ଗୁରୁ ଦିବସ
‘ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ଦେବୋ ମହେଶ୍ବର,
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ, ତସ୍ମୈ ଶ୍ରୀ ଗୁରବେ ନମଃ’
ଆମ ଶାସ୍ତ୍ର, ପରମ୍ପରାରେ ଗୁରୁଙ୍କୁ ସର୍ବୋଚ୍ଚ ଆସନରେ ବିରାଜମାନ କରାଯାଇଛି। ରାମାୟଣ ପୌରାଣିକ ଗାଥାରେ ମହର୍ଷି ବିଶ୍ବାମିତ୍ରଙ୍କ ଚରିତ୍ର, ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଭୂମିକା ଯୁଗେ ଯୁଗେ ପୂଜନୀୟ। ପ୍ରାଚୀନ ସମୟରୁ ଆଜିର ସ୍ମାର୍ଟ ଶତାବ୍ଦୀରେ ପହଞ୍ଚି ସୁଦ୍ଧା ଆମେ ଗୁରୁ ପୂଜାକୁ ପାସୋରିନାହଁୁ। ସର୍ବଭାରତୀୟସ୍ତରରେ ସେପ୍ଟେମ୍ବର ୫ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଓ ଦ୍ବିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଦେଶର ପ୍ରତ୍ୟେକ ପ୍ରାନ୍ତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଏ। ତାମିଲନାଡ଼ୁର ତିରୁଟ୍ଟନୀଠାରେ ୧୮୮୮ ସେପ୍ଟେମ୍ବର ୫ରେ ତାଙ୍କର ଜନ୍ମ। ମେଧାବୀ ଛାତ୍ର ରାଧାକୃଷ୍ଣନ୍ ବିଦ୍ୟାଳୟରେ ପଢ଼ିବା ସମୟରେ ବହୁଥର ବୃତ୍ତି ପାଇଥିଲେ। ଦର୍ଶନଶାସ୍ତ୍ରରେ ପାଠପଢ଼ା ସରିବା ପରେ ୧୯୦୯ରେ ମାଡ୍ରାସ୍ ପ୍ରେସିଡେନ୍ସି କଲେଜର ଦର୍ଶନଶାସ୍ତ୍ର ବିଭାଗରେ ସେ ନିଯୁକ୍ତି ପାଇଲେ। ୧୯୧୮ରେ ମହୀଶୂର ବିଶ୍ବବିଦ୍ୟାଳୟରେ ଡ. ରାଧାକୃଷ୍ଣନ୍ ପ୍ରଫେସର୍ ଭାବେ କାମ ଆରମ୍ଭ କଲେ। ଦକ୍ଷ ଗୁରୁ ରାଧାକୃଷ୍ଣନ୍ଙ୍କ ପାରଙ୍ଗମତା ସେତେବେଳେ ବ୍ରିଟିଶ୍ ଅଧିକାରୀଙ୍କୁ ମଧ୍ୟ ଅଜଣା ନଥିଲା। ୧୯୨୬ ସେପ୍ଟେମ୍ବରରେ ସେ କଲକାତା ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ଦାୟିତ୍ବ ତୁଲାଉଥାନ୍ତି, ସେହି ସମୟରେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ସେ କଲକାତା ବିଶ୍ବବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ବ କଲେ। ୧୯୨୯ରେ ପୁଣିଥରେ ଡ.ରାଧାକୃଷ୍ଣନ୍ଙ୍କୁ ଅକ୍ସଫୋର୍ଡସ୍ଥିତ ‘ମାଞ୍ଚେଷ୍ଟର ମହାବିଦ୍ୟାଳୟ’ରେ ଜୀବନର ଆଦର୍ଶ ସମ୍ପର୍କରେ କହିବାକୁ ସୁଯୋଗ ମିଳିଲା। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ସେ ୟୁନେସ୍କୋରେ ଭାରତର ରାଷ୍ଟ୍ରଦୂତ ରୂପେ କାର୍ଯ୍ୟ କରିଥିଲେ। ଅସାଧାରଣ ପ୍ରତିଭାର ଅଧିକାରୀ ଡ.ରାଧାକୃଷ୍ଣନ୍ ରାଷ୍ଟ୍ରପତି ଘୋଷିତ ହେବା ପରେ ତାଙ୍କର କେତେଜଣ ବନ୍ଧୁ ଓ ଛାତ୍ର ସେହି ବର୍ଷ ଜନ୍ମଦିନ ପାଳନ କରିବାକୁ ତାଙ୍କୁ ଅନୁରୋଧ କରିଥିଲେ। ବିନମ୍ରତାର ସହ ମନା କରି ସେ ପରାମର୍ଶ ଦେଇଥିଲେ ସେପ୍ଟେମ୍ବର ୫ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଗଲେ, ସେ ଖୁସି ହେବେ। ସେବେଠାରୁ ଡ.ରାଧାକୃଷ୍ଣନ୍ଙ୍କ ଜନ୍ମଦିନକୁ ‘ଗୁରୁ ଦିବସ’ ରୂପେ ଭାରତରେ ପାଳନ କରାଯାଉଛି।
Comments are closed.