କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା

କଂଗ୍ରେସର ‘ମେହେଙ୍ଗାଇ ପର୍‌ ହଲ୍ଲାବୋଲ୍‌’

ନୂଆଦିଲ୍ଲୀ : ରବିବାର କଂଗ୍ରେସ ଦଳ ତରଫରୁ ଦିଲ୍ଲୀର ରାମଳୀଳା ମଇଦାନରେ ‘ମେହେଙ୍ଗାଇ ପର୍‌ ହଲ୍ଲା ବୋଲ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦରଦାମ୍‌ ବୃଦ୍ଧି, ବେରୋଜଗାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ନିଜ ଉଦ୍‌ବୋଧନରେ ରାହୁଲ କହିଥିଲେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଘୃଣା, ହିଂସା ଓ ଭୟର ବାତାବରଣ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ କରି ଚାଲିଛନ୍ତି। ଦେଶରେ ତୈଳ ଓ ଖାଦ୍ୟ ସାମଗ୍ରୀ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୪ରେ ତୈଳ ଓ ଖାଦ୍ୟ ସାମଗ୍ରୀ ଦର ଓ ବର୍ତ୍ତମାନର ଦରର ତୁଳନାତ୍ମକ ଚିତ୍ର ରାହୁଲ ଉପସ୍ଥାପନ କରିଥିଲେ। ଭାରତରେ ପୂର୍ବରୁ କେ​‌େ​ବ ଏପରି ଦରବୃଦ୍ଧି ଘଟିନଥିବା ସେ କହିଥିଲେ। ସେହିପରି ଦେଶରେ ବେରୋଜଗାରୀ ବଢ଼ି ଚାଲିଥିବା ରାହୁଲ କହିଥିଲେ। ମୋଦୀ ସରକାର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ମେରୁଦଣ୍ଡ ଭାଙ୍ଗି ଦେଇଥିବାରୁ ଲୋକଙ୍କୁ ରୋଜଗାର ମିଳିବାରେ ଅସୁବିଧା ହେଉଥିବା ସେ କହିଥିଲେ।
ଅନ୍ୟପକ୍ଷରେ ଦରଦାମ୍‌ ବୃଦ୍ଧି ସହ ଅନ୍ୟ ସମସ୍ୟା ନେଇ ବିରୋଧୀ ଦଳ ତରଫରୁ ସଂସଦରେ ଆଲୋଚନା ପାଇଁ ଦାବି ଉପସ୍ଥାପନ କରୁଥିବା ବେଳେ ଶାସକ ଦଳ ତରଫରୁ ବିରୋଧୀ ଦଳର କଣ୍ଠରୋଧ କରାଯାଉଥିବା ରାହୁଲ ଅଭିଯୋଗ କରିଥିଲେ। ଶାସକ ଦଳର ଏପରି ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସିଧାସଳଖ ଲୋକଙ୍କ ପାଖକୁ ଯାଇ ଦେଶର ସମସ୍ୟା ନେଇ ଚର୍ଚ୍ଚା କରିବା ଛଡ଼ା କଂଗ୍ରେସ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଥିଲେ। ଆଗାମୀ ଦିନରେ ଯଦି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଏକତ୍ର ହୋଇପାରିବେ ତେବେ ବିଜେପି ଓ ଆରଏସ୍‌ଏସ୍‌ର ବିଚାରଧାରାକୁ ପରାସ୍ତ କରିପାରିବେ। ବିଜେପି ଓ ଆରଏସ୍‌ଏସ୍‌ ଦଳର ନେତାମାନେ ଦେଶରେ ଭୟର ବାତାବରଣ ସୃଷ୍ଟି କରିଛନ୍ତି। ସେମାନେ ଲୋକଙ୍କୁ ଭୟଭୀତ କରିବା ସହ ଘୃଣାର ମଞ୍ଜି ବୁଣୁଛନ୍ତି ବୋଲି ରାହୁଲ ଅଭିଯୋଗ କରିଥିଲେ।
ଦେଶର ଦୁଇଜଣ ଶିଳ୍ପପତିଙ୍କୁ ସବୁକ୍ଷେତ୍ରରେ ଫାଇଦା ପହଞ୍ଚାଇବାକୁ ମୋଦୀ ସରକାର କାମ କରୁଥିବା ରାହୁଲ କହିଥିଲେ। ବିମାନବନ୍ଦର, ବନ୍ଦର, ରାସ୍ତା, ମୋବାଇଲ୍‌ ଫୋନ୍‌, ତୈଳ ସହ ସବୁ କ୍ଷେତ୍ରରେ ବ୍ୟବସାୟ କରିବାକୁ ଏହି ଦୁଇ ବ୍ୟବସାୟୀଙ୍କୁ ମୋଦୀ ସରକାର ପ୍ରୋତ୍ସାହନ ଦେଉଛି। ଏହି ଦୁଇ ପୁଞ୍ଜିପତିଙ୍କ ସହାୟତାରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରାଯାଉଛି ବୋଲି ସେ କହିବା ସହ ଏହି ଦୁଇ ପୁଞ୍ଜିପତି ଓ ଗଣମାଧ୍ୟମ ସହାୟତା ବିନା ମୋଦୀ ପ୍ରଧାନମନ୍ତ୍ରୀ ରହିପାରିବେ ନାହିଁ ବୋଲି ମତ ଦେଇଥିଲେ। ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ମୋଦୀ ସରକାର ବିରୋଧୀ ଦଳମାନଙ୍କୁ ଭୟଭୀତ କରିବାକୁ ପ୍ରୟାସ କରୁଛି। ତେବେ ସେ ଓ କଂଗ୍ରେସ ଦଳ ଆଦୌ ଭୟଭୀତ ନୁହେଁ ବୋଲି ରାହୁଲ ସ୍ପଷ୍ଟ କରି ଦେଇଛନ୍ତି।
ୟୁପିଏ କ୍ଷମତାରେ ଥିବା ବେଳେ ୨୭ କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖାରୁ ଉପରକୁ ଆଣିଥିବା ବେଳେ ମୋଦୀ ସରକାର ଗତ ୮ବର୍ଷ ମଧ୍ୟରେ ୨୩କୋଟି ଲୋକଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦେଇଥିବା ରାହୁଲ ଅଭିଯୋଗ କରିଥିଲେ। ମୋଦୀ ସରକାର ଦେଶକୁ ଦୁର୍ବଳ କରି ଦେଇଥିବା ରାହୁଲ କହିଥିଲେ।

kalyan agarbati

Comments are closed.