ଟିକିରା ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ସନ୍ନିକଟ ୨୨୦ ନଂ ଜାତୀୟ ରାଜପଥର ଟିକିରା ଟିକେଶ୍ୱର ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି । ହୁଣ୍ଡିରେ ଦେଢ଼ ବର୍ଷରୁ ଊର୍ଦ୍ଧ୍ଵ ଦିନ ଧରି ସଂଗୃହିତ ହୋଇଥିବା ଟଙ୍କାକୁ ଦୁର୍ବୃତ୍ତ ମାନେ ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି ମନ୍ଦିର ପ୍ରତିଷ୍ଠାତା ନିତ୍ୟାନନ୍ଦ ବେହେରା । ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଫାଣ୍ଡିରେ ପଇଁତରା ଗାଡି ଥାଇ ବି ରାତିରେ ପଇଁତରା କରାଯାଉନଥିବାରୁ ବାରମ୍ବାର ଢେଙ୍କିକୋଟ ଅଞ୍ଚଳରେ ଚୋରି ହେଉଛି ବୋଲି ଅଭିଯୋଗ ହୋଇଛି । ସବୁଠାରୁ ପରିତାପର ବିଷୟ ଯେ ପଇଁତରା ହେଉ ନଥିବାରୁ ଘଟଗାଁ ବ୍ଲକ ଚାନ୍ଦପଶି ଠାରୁ ଢେଙ୍କିକୋଟ ପର୍ଯ୍ୟନ୍ତ ୨୦ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଲାଗିଥିବା ଜି.ଆଇ ସୁରକ୍ଷା ବାଡା ଗୁଡିକ ବହୁ ସ୍ଥାନରୁ ଚୋରି ହୋଇସାରିଲାଣି । ଢେଙ୍କିକୋଟ ଫାଣ୍ଡି ପକ୍ଷରୁ ରାତିକାଳୀନ ପଇଁତରା କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।
Comments are closed.