ଟି-୨୦ ବିଶ୍ବକପ୍‌ରୁ ବାଦ୍‌ ; ଜାଡ଼େଜାଙ୍କ ଆଣ୍ଠୁରେ ଆଘାତ

ନ୍ୟୁଜିଲାଣ୍ଡ : ଭାରତୀୟ କ୍ରିକେଟ୍‌ ପାଇଁ ଏହା ସବୁଠାରୁ ବଡ଼ ଦୁଃସମ୍ବାଦ। ଦଳର ତାରକା ବାମହାତି ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ବିଶ୍ବକପ୍‌ ଖେଳିବେନାହିଁ। ଖୁବ୍‌ ଶୀଘ୍ର ଜାଡ଼େଜାଙ୍କ ଆଣ୍ଠୁ ଅପରେସନ ହେବାକୁ ଯାଉଛି। ଫଳରେ ଅନିର୍ଦିଷ୍ଟ କାଳ ପାଇଁ ଜାଡ଼େଜା କ୍ରିକେଟ୍‌ ଖେଳିପାରିବେ ନାହିଁ। ଚଳିତ ଏସିଆ କପ୍‌ରେ ଜାଡ଼େଜା ୨ଟି ମ୍ୟାଚ୍‌ ଖେଳିଥିଲେ। ହେଲେ ତାଙ୍କ ଅନୁପସ୍ଥିତି ଏସିଅା କପ୍‌ ସହ ଟି୨୦ ବିଶ୍ବକପ୍‌ରେ ଦଳର ଭାରସାମ୍ୟକୁ ପ୍ରଭାବିତ କରିବ।
ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଜାଡ଼େଜାଙ୍କ ଡାହାଣ ଆଣ୍ଠୁର ଆଘାତ ବେଶ୍‌ ଗୁରୁତର। ତାଙ୍କ ଆଣ୍ଠୁରେ ବଡ଼ ଧରଣର ଅ‌େସ୍ତ୍ରାପଚାର ହେବାକୁ ଯାଉଛି। ଫଳରେ ସେ ଅନିର୍ଦିଷ୍ଟ କାଳ ପାଇଁ କ୍ରିକେଟ୍‌ ଖେଳିପାରିବେ ନାହିଁ। ଏନ୍‌ସିଏର ଡାକ୍ତରୀ ଦଳର ଆକଳନ ଅନୁସାରେ ଜାଡ଼େଜା କେବେ ଆନ୍ତର୍ଜାତିକ କ୍ରିକେଟ୍‌କୁ ଫେରିବେ; ତାହା କେହି କହିପାରିବେ ନାହିଁ। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଆଣ୍ଠୁ ଅପରେସନରୁ ସୁସ୍ଥହେବା ଲାଗି ଜାଡ଼େଜାଙ୍କୁ ଅତିକମ୍‌ରେ ୬ ମାସ ଲାଗିବ। ତେବେ ୩ ମାସ ପୂର୍ବରୁ ସେ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇବେ ବୋଲି ଆଶାରଖିବା ବୃଥା। ଅନୁମାନ କରାଯାଉଛି ଯେ ଜାଡ଼େଜାଙ୍କ ଆଣ୍ଠୁ ଆଘାତ ବହୁତ ପୁରୁଣା। ତେଣୁ ସେ ବୋଲିଂରେ ସେପରି ସଫଳତା ହାସଲ କରି ପାରୁନଥିଲେ। ତେଣୁ ଜଣେ ବ୍ୟାଟିଂ ଅଲ୍‌ରାଉଣ୍ଡର ଭାବେ ସେ ଖେଳୁଥିଲେ। ବୋଲିଂ କଲା ବେଳେ ଜାଡ଼େଜାଙ୍କ ଡାହାଣ ଗୋଡ଼ରେ ବହୁତ ଚାପ ପଡ଼ୁଥିଲା। ଫଳରେ ତାଙ୍କ ଆଣ୍ଠୁ ଆଘାତପ୍ରାପ୍ତ ହୋଇଛି। ୨୦୨୨ରେ ସେ ଆଉ କୌଣସି କ୍ରିକେଟ୍‌ ଖେଳିବେନାହିଁ। ଘରୋଇ ଓ ଆନ୍ତର୍ଜାତିକ କ୍ରିକେଟକୁ ମିଶାଇ ଜାଡ଼େଜା ପ୍ରାୟ ୬୩୦ଟି ସମସ୍ତ ଫର୍ମାଟ ମ୍ୟାଚରେ ପ୍ରାୟ ୭ ହଜାର ଓଭର ବୋଲିଂ କରିଛନ୍ତି। ଏଥିରୁ ସେ ୮୯୭ଟି ୱିକେଟ ନେଇଛନ୍ତି। ସେ ଉପରୋକ୍ତ ୬୩୦ ମ୍ୟାଚରୁ ୧୩ ହଜାରରୁ ଅଧିକ ରନ୍‌ ସ୍କୋର କରିଛନ୍ତି।

kalyan agarbati

Comments are closed.