ଶିକ୍ଷକ ବଦଳି ପ୍ରହସନ; ଉଠିପାରୁନି ମଧ୍ୟାହ୍ନ ଭୋଜନ ଟଙ୍କା, ନିମ୍ନମାନର ଖାଦ୍ୟ ଖାଉଛନ୍ତି ଛାତ୍ରଛତ୍ରୀ

ଅଭିଭାବକଙ୍କ ଅସନ୍ତୋଷର ଶିକାର ହେଲେ ସି.ଆର.ସି.ସି

ହରଭଙ୍ଗା: ବୌଦ୍ଧ ଜିଲ୍ଲାରେ ଶିକ୍ଷକ ବଦଳିରେ ବଡ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ମଧ୍ୟ ଦେଖାଇଦେଇଛି । କେଉଁଠି ଶିକ୍ଷକ ଅଭାବ ଯୋଗୁଁ ପାଠପଢା ବାଧାପ୍ରାପ୍ତ ହେଉଛି ତ ପୁଣି କେଉଁଠି ପ୍ରଧାନ ଶିକ୍ଷକଙ୍କ ବଦଳି ଯୋଗୁ ମଧ୍ୟାହ୍ନ ଭୋଜନ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଛି । ଫଳରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ପୋଷାକ/ଜୋତା ବଣ୍ଟନରେ ବ୍ୟତିକ୍ରମ ଭଳି ଅଭାବନୀୟ ଚିତ୍ର ହରଭଙ୍ଗା ବ୍ଲକର ତଳଗାଁ ପଂଚାୟତର ଗୋରଡାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ଏହାର ସ୍ଥାୟୀ ସମାଧାନ ଦାବିରେ ସ୍କୁଲ କମିଟି ପକ୍ଷରୁ ସି.ଆର.ସି.ସିଙ୍କୁ ଦୀର୍ଘ ୬ଘଂଟା ଧରି ତାଲା ପକାଇ ଦିଆଯାଇଥିଲା ।  ୧୯୬୪ ମସିହାରେ ଗୋରଡାମୁଣ୍ଡା ପ୍ରାଥମିକ ସ୍କୁଲ ସ୍ଥାପିତ ହୋଇଛି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବର୍ତ୍ତମାନ ମାତ୍ର ୫୬ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି । ଏମାନଙ୍କ ଶିକ୍ଷାଦାନ ପାଇଁ ୫ଜଣ ଲେବୁଲ ୫/ଏ ଶିକ୍ଷକ ରହିଛନ୍ତି । ଗତ ୧ଅଗଷ୍ଟରେ ସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରମଣି କହଁର ଭଳି ଜଣେ (ଲେବୁଲ-୪) ଶିକ୍ଷକଙ୍କୁ ବଦଳି କରାଯାଇଥିଲା । ଅତିରିକ୍ତ ପ୍ରଧାନ ଶିକ୍ଷକ ଦାୟିତ୍ୱ ସହକାରୀ ଶିକ୍ଷକ ନୀଳକଣ୍ଠ ସାହୁଙ୍କୁ ଦିଆଯାଇଥିଲା । ମାତ୍ର ସେ କ୍ୟାସବୁକ୍‌ ଏବଂ ପାସବୁକ ପରିଚାଳନା ପାଇଁ ଅକ୍ଷମ ପ୍ରକାଶ କରିବାରୁ ଆର୍ଥିକ ନେଣଦେଣ ଚାର୍ଜ ହସ୍ତାନ୍ତର ହୋଇପାରିନାହିଁ  ।

ଫଳରେ ପ୍ରତିଦିନ ପିଲାଙ୍କ ରୋଷେଇ ପାଇଁ ଆବଶ୍ୟକୀୟ ମଧ୍ୟାହ୍ନ ଭୋଜନ ଟଙ୍କା ଉଠିପାରୁନାହିଁ । ଯାହାଫଳରେ ପିଲାଙ୍କୁ ନିୟମ ଅନୁସାରେ ଖାଦ୍ୟ ଦେବାରେ ବ୍ୟତିକ୍ରମ ଘଟିଛି । ଏହା ସହିତ ପିଲାଙ୍କୁ ଏପର୍ଯ୍ୟନ୍ତ ପୋଷାକ/ଜୋତା ମିଳିନଥିବା ମଧ୍ୟ ଜଣାପଡିଛି । ଏହାର ପ୍ରତିବାଦରେ ସ୍କୁଲ କମିଟି ସଭାପତି ନାରାୟଣ ମଲ୍ଲିକଙ୍କ ନେତୃତ୍ୱରେ କୁନ୍ତଳା କହଁର, ଶ୍ୟାମ ସିଂ କହଁର, ସୀତାରାମ ବେହେରା ଏବଂ ନାଏବ ସରପଂଚ ସୁରେନ୍ଦ୍ର କହଁର ପ୍ରମୁଖ ସ୍କୁଲ ଫାଟକରେ ତାଲା ପକାଇ ସି.ଆର.ସି.ସି ସନ୍ତୋଷ ମହାପାତ୍ରଙ୍କୁ ଘେରିଥିଲେ । ବହୁ ସମୟଧରି ଶିକ୍ଷକ, ସିଆରସିସି ଏବଂ କମିଟି ସଭାପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଶେଷରେ ସିଆରସିସି ତୁରନ୍ତ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ତାଲା ଖୋଲିଥିଲେ ।

ଏହି ସମସ୍ୟାର ତୁରନ୍ତ ସମାଧାନ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବି ହେଉଛି । ଏ ସର୍ମ୍ପକରେ ତଳଗାଁ କ୍ଲଷ୍ଟର ଦାୟିତ୍ୱରେ ଥିବା ସି.ଆର.ସି.ସି ସନ୍ତୋଷ ମହାପାତ୍ରଙ୍କୁ ପଚାରିବାରୁ ସେମାନେ ଜଣେ ଲେବୁଲ ୪ ଶିକ୍ଷକ ଚାହିୁଁଛନ୍ତି । ସେ ବାବଦରେ ମୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବି । ମଧ୍ୟାହ୍ନ ଭୋଜନ କଥା ପଚାରିବାରୁ ଫାଇନାନସିଆଲ ଚାର୍ଜ ହସ୍ତାନ୍ତର ହୋଇନାହିଁ । ତଥାପି ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯାଉଛି । ଅତିଶୀଘ୍ର ଏହାର ସମାଧାନ କରି ପିଲାଙ୍କୁ ଡ୍ରେସ /ଜୋତା ମଧ୍ୟ ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।

Comments are closed.