ଲଗାଣ ବର୍ଷା ଯୋଗୁ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ; ଜାତୀୟ ରାଜପଥରେ ଯାତାୟାତ ଠପ୍
କାଲିମେଳା: ମାଲାକାନଗିରି ସମେତ ଜିଲ୍ଲାର କାଲିମେଳା ବ୍ଲକରେ ଆଜିକୁ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅତ୍ୟଧିକ ବର୍ଷା ଯୋଗୁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ବନ୍ୟା ପାଣିରେ ପୋଲ ବୁଡି ଯାଇଥିବା ଦେଖିବାକୁ ମିଳିଛି । ବ୍ରିଜ ଉପରେ ୨ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା ବ୍ରିଜ ଉଭୟ ପାର୍ଶ୍ଵରେ ଶତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।
ପୁଲିସ କର୍ମଚାରୀ ମାନେ ବ୍ରିଜ ପାର ନହେବାକୁ ଲୋକଙ୍କୁ ବରଣ କରୁଛନ୍ତି । ଭୁବନେଶ୍ବର ଓ ବିଶାଖାପାଟଣାରୁ ଆସୁଥିବା ସରକାରୀ ଓ ବେସରକାରୀ ବସ ସେଠାରେ ଅଟକି ରହିଛି । ଆଜି ଭୋର୍ ସମୟରେ ଯାତାୟାତ ସ୍ୱଭାବିକ ରହିଥିବା ବେଳେ ସକାଳ ୭ଟା ପରଠାରୁ ଜଳ ସ୍ତର ବୃଦ୍ଧି ପାଉଛି l ବର୍ତ୍ତମାନ ମଧ୍ୟ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଜଳ ସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି । ସେହିପରି କାଲିମେଳାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ ତଳେ ପାଣି ରହିଛି । କେତେବେଳେ ବି ବ୍ରିଜ ବୁଡିଯିବାର ଆଶଙ୍କା ରହିଛି । ବର୍ଷାକୁ ନଜରରେ ରଖି ପ୍ରଶାସନ ଅଧିକାରୀ ମାନେ ସଜାଗ ରହିଛନ୍ତି ।
Comments are closed.