ବଲାଙ୍ଗିର:ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅନ୍ତର୍ଗତ ଧଉରାଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଚୁମକି ପଧାନ ଜାଲ୍ ବିଇଡି ପ୍ରମାଣପତ୍ର ଓ ମାର୍କସିଟ୍ ଦେଇ ଚାକିରୀ କରୁଥିବା ଧରାପଡିବା ପରେ ବଲାଙ୍ଗିର ଜିଲାପାଳ ତଥା ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଚୁମକି ପଧାନଙ୍କୁ ଚାକିରୀରୁ ବହିଷ୍କୃତ କରିଛନ୍ତି।
ଶ୍ରୀମତୀ ପ୍ରଧାନ ୨୦୧୪ ମସିହାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇ ୨୦୧୪ ମାର୍ଚ୍ଚ ୩ ତାରିଖରେ ଧଉରାଦାଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟିକା ଭାବେ ଯୋଗ ଦେଇଥିଲେ। ପରେ ସେ ନିୟମିତ ହୋଇ ଧଉରାଦାଦର ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଶିକ୍ଷା ସହାୟିକା ନିଯୁକ୍ତି ସମୟରେ ଶ୍ରୀମତୀ ପ୍ରଧାନ ବିଇଡି ପ୍ରମାଣପତ୍ର ଓ ମାର୍କସିଟ୍ ଦାଖଲ କରିଥିଲେ। ତେବେ ପ୍ରମାଣପତ୍ର ଓ ମାର୍କସିଟ୍ ଯାଞ୍ଚ କରାଯିବା ପରେ ତାହା ଜାଲ୍ ବୋଲି ଜଣାପଡିଥିଲା। ଏହା ଜଣାପଡ଼ିବା ପରେ ଜିଲାପାଳ ଚଞ୍ଚଳ ରାଣା ଶୁକ୍ରବାର ଶ୍ରୀମତୀ ପଧାନଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି। ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ତୁରନ୍ତ ଏତଲା ଦେବା ସହ ନିଯୁକ୍ତି ପାଇଥିବା ଦିନରୁ ଅଦ୍ୟାବଧି ପାଇଥିବା ଆର୍ଥିକ ରାଶି ତାଙ୍କଠାରୁ ଆଦାୟ କରିବା ପାଇଁ ପଦକ୍ଷେପ ନେବା ପାଇଁ ଆଗଲପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜିଲାପାଳ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଛନ୍ତି।



