www.samajalive.in
Saturday, December 13, 2025
26.1 C
Bhubaneswar

ଗୁଳିରେ ହାତୀ ମରିଛି

ସମ୍ବଲପୁର :  ସମ୍ବଲପୁର ଜିଲା ପଡ଼ିଆବାହାଲ ନିକଟସ୍ଥ ସାପଲହରା ପୋଖରୀରେ ପଡ଼ିଥିବା ଦନ୍ତା ହାତୀ ମୃତ୍ୟୁ ଘଟଣାର ପର୍ଦାଫାଶ କରିଛନ୍ତି ସମ୍ବଲପୁର ବନଖଣ୍ଡ କର୍ତ୍ତୃପକ୍ଷ। ଶିକାରୀ ଗୁଳିମାଡ଼ରେ ହାତୀର ମୃତ୍ୟୁ ହୋଇଛି। ଏହି ଘଟଣାରେ ୩ ଜଣ ଶିକାରୀଙ୍କୁ ଅଟକ ରଖି ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଜବତ କରାଯାଇଛି ବୋଲି ଡିଏଫଓ ବିଶ୍ବନାଥ ନୀଳାମ୍ବରମ କହିଛନ୍ତି। ସେ କହିଛନ୍ତ ଯେ, ଗତ ୨୧ ତାରିଖ ହାତୀର ମୃତ୍ୟୁ ହେବା ଶବ ବ୍ୟବଚ୍ଛେଦ ସମୟରେ ତା’ ଦେହରୁ ଏକ ଗୁଳି ବାହାରିଥିଲା। ତେଣୁ ଗୁଳି ମାରି ହାତୀ ଶିକାର କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ବନ ବିଭାଗ ପକ୍ଷରୁ ତଦନ୍ତ
ଜୋରଦାର କରାଯାଇଥିଲା। ହାତୀ ହତ୍ୟା ଘଟଣାରେ ଏକ ମାମଲା ରୁଜୁ କରି ଆଖପାଖ ଗାଁରେ ତନାଘନା ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ସନ୍ଦେହରେ ୩ ଜଣଙ୍କ୍ୁ ଅଟକ ରଖାଯାଇଛି। ସେମାନେ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ ଓ ଦୁଇଟି ଟାଙ୍ଗିଆ ଜବତ ହୋଇଛି। ସେମାନେ ବୟାନ ଦେଇଛନ୍ତି ଯେ କେନ୍ଦ୍ରାପାଟ ଜଙ୍ଗଲରେ ଗଛ ଉପରେ ଚଢ଼ି ଏହି ହାତୀକୁ ସେମାନେ ଗୁଳି ମାରିଥିଲେ। ତଦନ୍ତ ଚାଲିଥିବାରୁ ଅଭିଯୁକ୍ତ ମାନଙ୍କ ନାମ ଗୁପ୍ତ ରଖାଯାଇଛି। ପଚରାଉଚୁରା ପରେ ସେମାନଙ୍କୁ ଗିରଫ କରାଯିବ ବୋଲି ଡିଏଫଓ ଶ୍ରୀ ନିଳାମ୍ବରମ କହିଛନ୍ତି।
ଅଭିଯୁକ୍ତଙ୍କ ବିରୋଧରେ ଆର୍ମସ ଆକ୍ଟ, ୱାଇଲ୍ଡ ଲାଇଫ୍‌ ଆକ୍ଟ ଓ ଅନ୍ୟ ଦଫାରେ ମାମଲା ହେବ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ଡିଏଫଓ ଶ୍ରୀ ନୀଲାମ୍ବରମ୍ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦର ରିପୋର୍ଟକୁ ଅପେକ୍ଷା କରାଯାଇଛି। ହାତୀର ଚିିକିତ୍ସା ଓ ବ୍ୟବଚ୍ଛେଦ କରିଥିବା ବିଶେଷଜ୍ଞମାନଙ୍କ କହିବା ଅନୁସାରେ ହାତୀ ପାଣି କାଦୁଅରେ ବୁଡ଼ି ରହିବାରୁ ଗୁଳିମାଡ଼ କ୍ଷତ ପଚି ସଂକ୍ରମିତ ହୋଇ ଯାଇଥିଲା। ସେଥିରୁ ତା’ର ଗୁରୁତ୍ବପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇ ଯାଇଥିଲା। ଗତ ମେ ୨୮ ତାରିଖ ହାତୀର ଅବସ୍ଥିତି ସମ୍ପର୍କରେ ପ୍ରଥମ ସୂଚନା ମିଳିଥିଲା। ବିଶେଷଜ୍ଞଙ୍କ ପରାମର୍ଶରେ ଜୁନ ୨ ତାରିଖ ହାତୀକୁ ଟ୍ରାଙ୍କୁଲାଇଜ୍ କରି ପ୍ରଥମ ଦଫା ଚିକିତ୍ସା ଆରମ୍ଭ କରାଗଲା। ସେତେବେଳେ ମେଟାଲ ଡିଟେକ୍ଟର୍‌ରେ ହାତୀର ଶରୀର ଯାଞ୍ଚ କରାଯାଇଥିଲେ ମଧ୍ୟ ଗୁଳି କଥା ଜଣା ପଡ଼ି ନଥିଲା। ପ୍ରାଥମିକ ଚିକିତ୍ସା ଯୋଗୁ ତା ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ତାକୁ ଛାଡ଼ି ଦିଆ ଯାଇଥିଲା। କିନ୍ତୁ ଜୁନ ୧୭ ତାରିଖରେ ପୁଣି ଖବର ମିଳିଲା ଯେ ହାତୀଟି ପଡ଼ିଆବାହାଲ ବନାଞ୍ଚଳ ସାପଲହରା ମହାଦେବ ମନ୍ଦିର ସଂଲଗ୍ନ ପୋଖରୀ ପଙ୍କରେ ବୁଡ଼ି ରହିଛି। ଏହା ପରେ ପୁଣି ୧୮ ତାରିଖ ଦ୍ବିତୀୟ ଦଫା ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହି ସମୟରେ ଆଉ ଥରେ ମେଟାଲ ଡିଟେକ୍ଟର୍‌ରେ ତା ଶରୀର ଯାଞ୍ଚ କରାଯାଇଥିଲା। କିନ୍ତୁ ସେତେବେଳେ ମଧ୍ୟ ଗୁଳି କଥା ଜଣା ପଡ଼ିନଥିଲା। ଗତ ୧୮ ଓ ୧୯ ତାରିଖ ଭୁବନେଶ୍ବର ଓୟୁଏଟି ବିଶେଷଜ୍ଞ, ସାତକୋଶିଆ ଅଭୟାରଣ୍ୟ ଏବଂ ସ୍ଥାନୀୟ ବନ୍ୟପ୍ରାଣୀ ଡାକ୍ତର ଚିକିତ୍ସା କରିଥିଲେ ମଧ୍ୟ ତା ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଲାନାହିଁ। ତେଣୁ ୨୦ ତାରିଖ ତାକୁ କ୍ରେନ ଯୋଗେ ପାଣିରୁ କାଢ଼ି ବାହାରେ ଚିକିତ୍ସା ଆରମ୍ଭ କରାଯାଇଥିଲା। କିନ୍ତୁ ପାଣିରୁ ବାହାର କରିବାର କିଛି ସମୟ ମଧ୍ୟରେ ହାତୀଟି ମରିଗଲା। ଶବ ବ୍ୟବଚ୍ଛେଦ ବେଳେ ତା ଡାହାଣ କାନ୍ଧରେ ୩୦ରୁ ୪୦ ସେଣ୍ଟିମିଟର ଗଭୀର ମାଂସ ଭିତରେ ଏକ ଗୁଳି ମିଳିଥିଲା। ସେଥରୁ ଜଣାପଡ଼ିଲା ଯେ ହାତୀକୁ ଗୁଳି ମରାଯାଇଛି। ମେଟାଲ ଡିଟେକ୍ଟର ସମ୍ଭବତଃ ଏତେ ଗଭୀରକୁ ଯାଞ୍ଚ କରିପାରିଲା ନାହିଁ ବୋଲି ଡିଏଫଓ କହିଛନ୍ତି। ଗୁଳିଟି ୪ ଇଞ୍ଚ ଲମ୍ବା ଓ ୨ରୁ ଅଢ଼େଇ ଇଞ୍ଚ ଓସାର ବୋଲି ସେ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories