ଆଖିଲାଗିବାରୁ ଚାଲିଗଲା ଗୋଟିଏ ମୂଲ୍ୟବାନ ଜୀବନ- ସିସି ଟିଭିରୁ ଠାବ ହେଲା ଜୀବନ ନେଇଥିବା ଡ୍ରାଇଭର

ଅଟୋ ଡ୍ରାଇଭର ଲୋକନାଥ ମୃତ୍ୟୁ ଘଟଣାରେ ୨ଗିରଫ

ଚୌଦ୍ୱାର ୨୧ା୬(ନି.ପ୍ର.): ଓଟିଏମ ଦୁର୍ଗାବଜାରର ଅଟୋ ଡ୍ରାଇଭର ଲୋକନାଥ ବିଶ୍ୱାଳ(ଡାକ) ମୃତ୍ୟୁ ଘଟଣାର ୨୧ ଦିନପରେ ପୁଲିସ ୨ଜଣକୁ ଗିରଫ କରିଛି । ସେମାନେ ହେଲେ ଲୋକନାଥଙ୍କ ଅଟୋକୁ ଧକ୍କା ଦେଇଥିବା ମହିନ୍ଦ୍ରା ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର ଚୌଦ୍ୱାର ଦୁର୍ଗା ବଜାରର ମନଜିତ୍‌ ସାହୁ ଓ ଗାଡିର ମାଲିକ ଢିହସାହି ସିମିଳିହାଣ୍ଡ ଗ୍ରାମର ସୁମନ୍ତ ସାହୁ । ପୁଲିସ ଉଭୟଙ୍କୁ ଆଜି ଘଟଣାସ୍ଥଳକୁ ନେଇ ଘଟଣାର ନାଟକୀୟ ପୁନରାବୃତ୍ତି କରାଇ ଘଟଣା ଉପରୁ ପରଦା ହଟାଇଥିଲା । ଚୌଦ୍ୱାର ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ସୂଚନା ଅନୁଯାୟୀ ପ୍ରଥମରେ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚଳାଇ ପୁଲିସ ଦୁର୍ଘଟଣା ଘଟାଇଥିବା ମହିନ୍ଦ୍ରା ପିକଅପ୍‌ ବୋଲେରୋ ଗାଡିକୁ ଠାବ କରିବାରେ ସକ୍ଷମ ହୋଇଥିଲା । ପରେ ଉକ୍ତ ଗାଡିର ଡ୍ରାଇଭର ମନଜିତ୍‌କୁ ପଚରାଉଚରା କରିବାରେ ଦୁର୍ଘଟଣା ଦିନ ରାତି ପ୍ରାୟ ୧୦ଟା ସମୟରେ ସେ ଖୋର୍ଦ୍ଧାରୁ ଚୌଦ୍ୱାର ଫେରୁଥିବା ବେଳେ ଜଗତପୁର ନିକଟରେ ରାସ୍ତାରେ ତାର ଆଖି ଲାଗି ଯାଇଥିଲା । ଫଳରେ ସମ୍ମୁଖରେ ଯାଉଥିବା ଲୋକନାଥଙ୍କ ଅଟୋକୁ ମହିନ୍ଦ୍ରା ଗାଡି ଧକ୍କା ଦେଇଥିଲା ।

prayash

ଏଥିରେ ଲୋକନାଥ ଅଟୋରୁ ଛଟିକି ପଡି ଧକ୍କା ଦେଇଥିବା ମହିନ୍ଦ୍ରା ଗାଡିର ତଳେ ଲାଗିଯାଇ ପ୍ରାୟ ଦେଢ କିଲୋମିଟର ଘୋଷାରି ହୋଇ ଚାଲି ଆସିଥିଲେ । କିଛି ବାଟ ଯିବାପରେ ଗାଡିର ତଳେ କିଛି ଲାଗିରହିଥିବା ଡ୍ରାଇଭର ମନଜିତ୍‌ ଜାଣି ପାରିଥିଲା । ଗାଡିକୁ ଚୌଦ୍ୱାର ନିକଟ ନୁନଟିକିରି ଠାରେ ରଖି ଦେଖିବା ବେଳକୁ ଲୋକନାଥଙ୍କ ମୃତ ଶରୀର ଗାଡି ତଳେ ଲାଖି ରହିଛି । ମନଜିତ୍‌ ପଛରେ ଓଡ଼ି ୦୫ ଏଜେ ୯୭୭୩ ନମ୍ବର ଯୁକ୍ତ ଏକ ଅଶୋକ ଲିଲାଣ୍ଡ ଗାଡ଼ିରେ ଅଣ୍ଡା କାର୍ଟୁୂନ୍‌ ବୋଝେଇକରି ଡ୍ରାଇଭିଂ କରି ଯାଉଥିବା ଗାଡିର ମାଲିକ ସୁମନ୍ତକୁ ଜଣାଇବାରୁ ଗାଡି ମାଲିକ ତାଙ୍କୁ ଘଟଣାସ୍ଥଳରୁ ଚାଲିଯିବା ପାଇଁ କହିଥିଲେ । ସେହିଠାରେହିଁ ଲୋକନାଥଙ୍କ ମୃତଶରୀରକୁ ଗାଡି ତଳୁ ଓହ୍ଲାଇଦେଇ ମନ୍‌ଜିତ୍‌ ଫେରାର ହୋଇଯାଇଥିବା ସ୍ୱକାର କରିଥିଲା । ପୁଲିସ ଏସଂକ୍ରାନ୍ତରେ ୨୭୯,୩୦୪,୨୦୪,୩୪ ଆଇପିସି ଦଫାରେ ମାମଲା ରୁଜୁକରି ଉଭୟ ଅଭିଯୁକ୍ତଙ୍କୁ ଅଦାଲତ ଚାଲଣ କରିଛି ।

ଲୋକନାଥଙ୍କୁ ହତ୍ୟା କରାଯାଇ ନାହିଁ ବରଂ ତାଙ୍କର ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା ଚୌଦ୍ୱାର ପୁଲିସ ସ୍ପଷ୍ଟ କରିଥିବା ବେଳେ ଲୋକନାଥଙ୍କ ପରିବାର ଲୋକେ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଲୋକନାଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଘଟଣାର ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଓ ସିବିଆଇକୁ ଦିଆଯାଉ ବୋଲି ଦାବି କରି ସନ୍ଧ୍ୟାରେ ଲୋକନାଥଙ୍କ ପରିବାରଙ୍କ ସମେତ ସ୍ଥାନୀୟ ବହୁ ମହିଳା ଥାନାରେ ବସିରହିଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ଗତ ମାସ ୩୧ତାରିଖ ରାତିରେ ଜଗତପୁର ବିରୁପା ପୋଲ ଉପରେ ଏକ ଡାଲା ଅଟୋ ଓଲଟି ପଡିଥିବା ବେଳେ ଡ୍ରାଇଭର ନିଖୋଜ ଥିଲେ । ତାପରଦିନ ସକାଳୁ ସେହି ଗାଡିର ଡ୍ରାଇଭର ଲୋକନାଥଙ୍କ ମୃତଦେହ ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ନୁନଟିକିରି ନିକଟରୁ କ୍ଷତବିକ୍ଷତ ଅବସ୍ଥାରେ ପୁଲିସ ଉଦ୍ଧାର କରିଥିଲା ।

Comments are closed.