ବିନା ଫଳକରେ ଚାଲିଛି ବିଜୁ ସେତୁ ଓ ରାସ୍ତା କାମ

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଏନ୍ଏସି ବସ୍ ଷ୍ଟାଣ୍ଡରୁ ବାବେବୀରା ପର୍ଯ୍ୟନ୍ତ ଚାଲିଛି ରାସ୍ତାର କଂକ୍ରିଟ କରଣ । ଏହି ରାସ୍ତାର ମଝିରେ ବୈମାନଟିକ୍ରାଠାରେ ଦୀର୍ଘ ଦିନର ପୁରୁଣା ପୋଲକୁ ଭଙ୍ଗାଯାଇ ନୂତନ ଭାବରେ ବିଜୁ ସେତୁ ନିର୍ମାଣ ମଧ୍ୟ ଚାଲିଛି । କିନ୍ତୁ ସେତୁ ନିର୍ମାଣ କାମ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ସକାଳେ ବା ଦିନବେଳା ଆବଶ୍ୟକ କବାଡି ସାମଗ୍ରୀ ବି ଦେଖିବାକୁ ମିଳିନଥାଏ କିନ୍ତୁ ଅଧା ରାତିଆ କାମ ହୋଇ ପୁଣି ସକାଳେ କାମ ବନ୍ଦ। ସିମେଣ୍ଟ ବାଲିର ପରିମାଣ ଜଣାପଡୁନାହିଁ କି ଲୁହା ରଡଗୁଡ଼ିକର ଗୁଣାତ୍ମକ ମାନ ଜଣାପଡୁନାହିଁ । ଅନ୍ୟ ପୋଲଗୁଡ଼ିକରେ ଯେଉଁ କାମ ହେଉଛି, ସେଠାରେ କାର୍ଯ୍ୟ ସ୍ଥଳରେ ସାମଗ୍ରୀ ଜମା ହୋଇ ରହୁଛି। ଲୋକେ ତାର କାର୍ଯ୍ୟ ଦକ୍ଷତା ବିଷୟରେ ଜାଣି ପାରୁଛନ୍ତି । କିନ୍ତୁ ତାର ବିପରୀତ ଦେଖିବାକୁ ମିଳୁଛି। କାର୍ଯ୍ୟ ସ୍ଥଳରେ ନା ଜମା ରହୁଛି ସିମେଣ୍ଟ ନା ଲୁହା ରଡ । ଏପରିକି ଏହି ନାଳରେ ଯାଉଥିବା ମଇଳା ପାଣି ତଥା କାଦୁଅକୁ ସଫା କରା ନଯାଇ ତାରି ଉପରେ କାମ ଚାଲିଛି। ପୁଣି ଯେଉଁ ସିମେଣ୍ଟରେ କାମ ହେଉଛି ତାହା ଅଞ୍ଚଳର କୌଣସି ଦୋକାନରେ ଦେଖିବାକୁ ମିଳୁନାହିଁ। ଶ୍ରମିକମାନଙ୍କୁ ପଚାରିଲେ ବାହାରୁ ସିମେଣ୍ଟ ଆସୁଛି ବୋଲି କହୁଛନ୍ତି। ତାର ଗୁଣାତ୍ମକ ମାନ ବିଷୟରେ ମଧ୍ୟ ଅଞ୍ଚଳବାସୀ ବୋଧେ ଜାଣି ନଥିବେ। ସେତୁ ପାଇଁ ତିଆରି ହୋଇଥିବା କଲମଗୁଡ଼ିକର ନିମ୍ନ ଭାଗ ଯେମିତି କାମ ହୋଇଛି, ଏହା ଗୋଟିଏ ବର୍ଷରେ ଖରାପ ହୋଇଯିବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବନି। ଏହି ରାସ୍ତା ଦେଇ ଯେତେ ପରିମାଣର ଯାନ ବାହନ ନିୟମିତ ଭାବରେ ଯିବା ଆସିବା କରୁଛି, ପୋଲ କାମ ଦେଖିଲେ ଲାଗୁନି ଯେ ଏହି ପୋଲଟି ଦୀର୍ଘସ୍ଥାୟୀ ହୋଇପାରିବ। ଏଥିପାଇଁ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳ ରହିଥିବା ବେଳେ ଆଜି ଯାଏଁ କୌଣସି ଫଳକ ଦିଆଯାଇ ନାହିଁ। ଏହି ସେତୁ ନିର୍ମାଣ କାମରେ ସଂପୃକ୍ତ ଯନ୍ତ୍ରୀଙ୍କ କାମ ଆରମ୍ଭ ଦିନରୁ ଦେଖ ଦର୍ଶନ ନାହିଁ ବୋଲି ସାଧାରଣରେ ଉଦବେଗ ପ୍ରକାଶ ପାଉଛି।

ଏହି ବିଜୁ ସେତୁ ନିର୍ମାଣର ସାତ ଆଠ ବର୍ଷ ପୂର୍ବରୁ ବୁଗୁବୁଗାରୁ ଅତାବିରା ପର୍ଯ୍ୟନ୍ତ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା କାମ ହୋଇଥିଲା। ଏହି ରାସ୍ତାର ଅଧିକାଂଶ ସ୍ଥାନରେ ଫକ୍ଷଟିଯାଇ ଗର୍ତ୍ତ ହୋଇଥିଲା। ଯାହା ଫଳରେ ଆରଡି ବିଭାଗ ପକ୍ଷରୁ ଅତାବିରାରୁ ଵାବେବିରା ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ କିମି ରାସ୍ତା ପାଇଁ ତିନି କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟୟ ଅଟକଳରେ ପୁଣି ରାସ୍ତାର ନିର୍ମାଣ କାମ ଚାଲିଛି। ତାହା ମଧ୍ୟ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁ ନିମ୍ନ ମାନର କାମ ହେଉଥିବା ନେଇ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ପୁରୁଣା ରାସ୍ତା ଉପରେ ତିନିରୁ ଚାରି ଇଞ୍ଚର କଂକ୍ରିଟ କରାଯାଉଛି ଯେଉଁଥିରେ ବାଲି ସିମେଣ୍ଟର ଅନୁପାତ ପଚାରିଲେ ଉତ୍ତର ମିଳୁନି। ମାତ୍ର ଗୋଟିଏ ମାସ ପୁରି ନାହିଁ, ରାସ୍ତାରେ ଗେଟି ବାହାରକୁ ଦିଶିଲାଣି। ଏଥିରୁ ସ୍ପଷ୍ଟ ଅନୁମେୟ, କେତେ ନିମ୍ନ ମାନର କାମ ଚାଲୁଛି । କେବଳ ସେତିକି ନୁହେଁ ଏହି ରାସ୍ତାଦେଇ ଭାରି ଯାନଗୁଡ଼ିକ ଯିବା ଆସିବା କରିବା ପରେ ଅନେକ ସ୍ଥାନରେ ରାସ୍ତା ଦବି ଗଲାଣି । ଜଣ ସାଧାରଣଙ୍କ ଗମନା ଗମନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ କାମ ବହୁତ ନିମ୍ନ ମାନର ହେଉଛି। ବାରମ୍ବାର ରାସ୍ତା କାମ ପରେ କାମ ଚାଲିଛି, ଯେଉଁଥିରେ ସରକାରଙ୍କ ରାଜସ୍ବ ଖର୍ଚ୍ଚ ହୋଇ ଚାଲିଛି। କିନ୍ତୁ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ କାମ ଉନ୍ନତ ମାନର ହେଉ ନଥିବା ଦୃଷ୍ଟିଗୋଚର ହେଉଛି। ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାରଣ ଏହି ଅର୍ଥ ରାଶି ପରୀକ୍ଷା ଭାବରେ ଏହି ଜନସାଧାରଣଙ୍କର ଅଟେ।ତେଣୁ ଏଥିପ୍ରତି ଯନ୍ତ୍ରୀ ଓ ଠିକାଦାର ବେଶ୍ ସଚେତନ ହୋଇ ଜନସାଧାରଣଙ୍କ ହିତରେ କାମ କରିବା ଆବଶ୍ୟକ। ଯାହାକି ଓଲଟା ପ୍ରତୀତ ହେଉଛି । ଅଧିକ ସ୍ବାର୍ଥ ଲାଳସା ରଖି ନିମ୍ନ ମନର କାମ କରାଯାଉଛି, ଫଳରେ ସରକାରଙ୍କ ରାଜସ୍ବ ପାଣିରେ ପଡ଼ିଲା ପରି ମନେ ହେଉଛି। ତେଣୁ କାମ ଉନ୍ନତ ମାନର ହେବା ପାଇଁ ଜନ ସାଧାରଣରେ ଦାବି ରହିଛି।

Comments are closed.