ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ପେରାରି ଭାଲନ୍ ଓରଫ୍ ଆରିଭୁ ଦୀର୍ଘବର୍ଷ କାରାବାସ ପରେ ରାଜକ୍ଷମା ବଳରେ ମୁକ୍ତି ପାଇବା ତା’ ପାଇଁ ଅବଶ୍ୟ ଏକ ଆଶ୍ବସ୍ତି। ସେହି ଦୃଷ୍ଟିରୁ ଦଣ୍ଡହ୍ରାସର ଔଚିତ୍ୟ ବା ରାଜକ୍ଷମା ପାଇଁ ସେ ଯୋଗ୍ୟ କି ନୁହେଁ ତାହା ଭିନ୍ନ ଏକ ଦିଗ ଓ ତାହା ଏଠାରେ ଆଲୋଚନା କରାଯାଉନାହିଁ। ସେହିପରି ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଓ ଏହାର ମୁଖ୍ୟ ନାୟକ ଶ୍ରୀଲଙ୍କା ତାମିଲ ଏଲମ୍ (ଏଲଟିଟିଇ)ର ଭେରୁପିଲ୍ଲାଇ ପ୍ରଭାକରନ ଏବଂ ହତ୍ୟା ଯୋଜନାକୁ ଅନ୍ତିମ ରୂପ ଦେବାପାଇଁ ରାଜୀବ ଗାନ୍ଧୀଙ୍କ ସଭାସ୍ଥଳ ତାମିଲନାଡ଼ୁ ଶ୍ରୀପେରୁମ୍ବୁଦୁରକୁ ପ୍ରେରିତ ହତ୍ୟାକାରୀ ଦଳର ଅନ୍ୟତମ ସଦସ୍ୟ ଶିବରାସନ୍ ଓ ଅଣ୍ଟାବେଲ୍ଟରେ ମାନବ ବୋମାଧାରୀ ଆତ୍ମହତ୍ୟାକାରିଣୀ ମହିଳା ଧନୁର ମୃତ୍ୟୁ ହତ୍ୟାକାଣ୍ଡକୁ ପରାସ୍ତ କରିବାରେ ଗୁଇନ୍ଦା ପୁଲିସ୍ର ବିଫଳତା; ହତ୍ୟାକାରୀ ଦଳ ଧରାପଡ଼ିବା; ସେମାନଙ୍କ ଦୀର୍ଘ ବିଚାର ପ୍ରକ୍ରିୟା ଓ ଦଣ୍ଡାଦେଶ ଦଣ୍ଡିତଙ୍କ ମୁକ୍ତି ଦାବି ଓ ଗାନ୍ଧୀ ପରିବାରର ଏହାକୁ ସମର୍ଥନ; ହତ୍ୟାକାଣ୍ଡ ପଛର କାରଣ ଓ ଏହାର ରାଜନୈତିକ ପରିଣତି ତଥା ଅନ୍ୟାନ୍ୟ ପାର୍ଶ୍ବବର୍ତ୍ତୀ କାରଣ ଯାହା ହୋଇଥାଉନା କାହିଁକି, ସେସବୁର ଏଠାରେ ଅବତାରଣା ମଧ୍ୟ କରାଯାଉନାହିଁ; ପରନ୍ତୁ ହତ୍ୟାକାରୀଙ୍କୁ ରାଜକ୍ଷମା ସାମ୍ବିଧାନିକ ଦୃଷ୍ଟିକୋଣରୁ କେତେଦୂର ବିଧିସମ୍ମତ, ତାହା ହିଁ ଆଲୋଚନାର କେନ୍ଦ୍ରବିନ୍ଦୁ।
ଆମ ସମ୍ବିଧାନର ୭୨ ଓ ୧୬୧ ଧାରା ଜରିଆରେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କର ରାଜକ୍ଷମା ବଳରେ ଦଣ୍ଡିତର ଦଣ୍ଡହ୍ରାସକରଣ ତଥା ମାର୍ଜନା ସକାଶେ କ୍ଷମତା ଦିଆଯାଇଛି। ଏହି ଅର୍ଦ୍ଧ ତଥା ଆପାତତଃ ନ୍ୟାୟିକ ସ୍ବତନ୍ତ୍ର କ୍ଷମତା ଏବଂ ରାଜକ୍ଷମା ନିଷ୍ପତ୍ତିରେ ସେପରି ଗୁରୁତର ତ୍ରୁଟିବିଚ୍ୟୁତି ନଥିଲେ ସାଧାରଣତଃ ନ୍ୟାୟାଳୟର ହସ୍ତକ୍ଷେପ କ୍ଷମତା ଅତ୍ୟନ୍ତ ସୀମିତ। ତେବେ ରାଜକ୍ଷମା ନିଷ୍ପତ୍ତିରେ ଉପଲବ୍ଧ ସାକ୍ଷ୍ୟ-ପ୍ରମାଣକୁ ବିଚାରକୁ ନିଆଯାଇଛି କି ନାହିଁ ନ୍ୟାୟିକ ସମୀକ୍ଷା କ୍ଷମତା ବଳରେ ସର୍ବୋଚ୍ଚ ଅଦାଲତ ବିରଳରୁ ବିରଳତମ କ୍ଷେତ୍ରରେ ଏପରି ନିଷ୍ପତ୍ତିର ପୁନଃସମୀକ୍ଷା କରିପାରିବେ। ଭାରତର ସର୍ବୋଚ୍ଚ ଅଦାଲତ ଏହି ମର୍ମରେ ମେଜର ନାନାବତୀ ବନାମ ବମ୍ବେ (୧୯୬୧) ଗୋଡସେ ବନାମ ମହାରାଷ୍ଟ୍ର (୧୯୬୧) ଏବଂ କେହାର ସିଂହ ବନାମ୍ ୟୁନିଅନ (୧୯୮୮)ର କେସ୍ ନିର୍ଣ୍ଣୟରେ ରାଜକ୍ଷମା କ୍ଷମତାର ବ୍ୟାଖ୍ୟା ପୂର୍ବକ ମାର୍ଗଦର୍ଶନ କରିଅଛନ୍ତି। ଉପରୋକ୍ତ ସାମ୍ବିଧାନିକ ଅଧିକାରୀ ଯଦିଓ ଯଥାକ୍ରମେ ୭୪ ଓ ୧୬୩ ଧାରା ଅନୁଯାୟୀ ମନ୍ତ୍ରୀ ସଭାର ପରାମର୍ଶକ୍ରମେ କାର୍ଯ୍ୟକରିବାର ବ୍ୟବସ୍ଥା ରହିଛି, ରାଜକ୍ଷମା କ୍ଷେତ୍ରରେ ମନ୍ତ୍ରୀ ସଭାର ପରାମର୍ଶକୁ ରାଷ୍ଟ୍ରପତି ଓ ରାଜ୍ୟପାଳ ଏଡ଼େଇ ଯାଇ ସ୍ବାଧୀନ ଭାବେ ନିଷ୍ପତ୍ତି ନେଇ ପାରିବେ କି ନାହିଁ, ସେ ସମ୍ପର୍କରେ ସର୍ବୋଚ୍ଚ ଅଦାଲତଙ୍କ ସ୍ପଷ୍ଟ ବ୍ୟାଖ୍ୟା ନଥିଲେ ମଧ୍ୟ ଆମ ମତରେ ଉଭୟ ସାମ୍ବିଧାନିକ ଅଧିକାରୀଙ୍କ ପାଇଁ ମନ୍ତ୍ରୀ ସଭାର ପରାମର୍ଶ ଅନୁଯାୟୀ ନିଷ୍ପତ୍ତି ନେବା ଏକ ବାଧ୍ୟବାଧକତା ନୁହେଁ। ତେବେ ମନ୍ତ୍ରୀ ସଭାର ପରାମର୍ଶକୁ ଗୁରୁତ୍ବ ସହିତ ବିଚାରକୁ ନେବା ବିଧେୟ ଯେହେତୁ କେତେକ କ୍ଷେତ୍ରରେ ରାଜକ୍ଷମା ନିଷ୍ପତ୍ତି ସହିତ ରାଷ୍ଟ୍ରର ନିହିତ ସ୍ବାର୍ଥ ତଥା ଜନସ୍ବାର୍ଥ ଜଡ଼ିତ ରହିଥାଏ ଏବଂ ସଂସଦ ଓ ବିଧାନସଭା ତଥା ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ କ୍ଷମତା ପ୍ରୟୋଗ କ୍ଷେତ୍ରରେ ସମନ୍ବୟ ରକ୍ଷା ଏକ ସାମ୍ବିଧାନିକ ଆବଶ୍ୟକତା।
ରାଜକ୍ଷମା ବ୍ୟବସ୍ଥାକୁ ସୁବିନ୍ୟସ୍ତ ଭାବେ କାର୍ଯ୍ୟକାରୀ କରିବାପାଇଁ ଫୌଜଦାରୀ କାର୍ଯ୍ୟବିଧି ଆଇନର ୪୩୨, ୪୩୩ ଧାରା ଜରିଆରେ ସରକାରଙ୍କୁ କ୍ଷମତା ଦିଆଯାଇଥିବା ବେଳେ ୪୩୩(କ) ଧାରାରେ କଟକଣା ରଖାଯାଇଛି ଯେ କୌଣସି ଦଣ୍ଡିତ ୧୪ ବର୍ଷ ଜେଲ୍ ଦଣ୍ଡ ନ ଭୋଗିଥିଲେ, ସେ ମୁକ୍ତି ଯୋଗ୍ୟବୋଲି ବିବେଚିତ ହେବନାହିଁ। ପୁନଶ୍ଚ ରାଜକ୍ଷମା କ୍ଷେତ୍ରରେ ୪୩୪ ଧାରାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ କ୍ଷମତା ଦିଆଯାଇଥିବାବେଳେ ୪୩୫ ଧାରାରେ କୁହାଯାଇଛି ରାଜ୍ୟସରକାର କେନ୍ଦ୍ରର ପରାମର୍ଶକ୍ରମେ ଏହି କ୍ଷମତାକୁ ପ୍ରୟୋଗ କରିପାରିବେ। ସମ୍ବିଧାନର ୧୬୧ ଧାରା ଅନ୍ତର୍ଗତ ରାଜ୍ୟପାଳଙ୍କ ରାଜକ୍ଷମା କ୍ଷମତା ୧୬୨ ଧାରା କଟକଣା, ଅର୍ଥାତ୍ ରାଜ୍ୟର ସମ୍ବିଧାନ ପ୍ରଦତ୍ତ କାର୍ଯ୍ୟନିର୍ବାହୀ କ୍ଷମତା ରାଜକ୍ଷମା କ୍ଷେତ୍ରରେ କେନ୍ଦ୍ରର କାର୍ଯ୍ୟନିର୍ବାହୀ କ୍ଷମତା ଅଧୀନ ଏହାକୁ ରାଜ୍ୟ ଅତିକ୍ରମଣ କରିପାରିବ ନାହିଁ।
କାରଣ ଭାରତୀୟ ପିଙ୍ଗଳ କୋଡର ୩୦୨ (ହତ୍ୟା ପାଇଁ ଦଣ୍ଡାଦେଶ) ଆର୍ମସ ଆକ୍ଟ, ୧୯୫୯, ଏକ୍ସପ୍ଲୋସିଭ୍ ସବଷ୍ଟାନ୍ସ ଆକ୍ଟ, ୧୯୪୬ ବଳରେ ଆରିଭୁକୁ ଦଣ୍ଡାଦେଶ ଦିଆଯାଇଛି ଓ ସମ୍ବିଧାନର ୭ମ ଅନୁଚ୍ଛେଦ ଅଧୀନ ଲିଷ୍ଟ-୧ (କେନ୍ଦ୍ର ତାଲିକା), ଲିଷ୍ଟ-୨ (ରାଜ୍ୟ ତାଲିକା) ଏବଂ କନ୍କରେଣ୍ଟ ଲିଷ୍ଟ (ଉଭୟ କେନ୍ଦ୍ର ଓ ରାଜ୍ୟ ପାଇଁ ଉଦ୍ଦିଷ୍ଟ) ଅନ୍ତର୍ଗତ ଏବଂ ୧୬୨ ଧାରାର କଟକଣା ଦୃଷ୍ଟିରୁ କେନ୍ଦ୍ରର ବିନା ସହମତିରେ ରାଜ୍ୟ ସରକାର ସ୍ବାଧୀନ ଭାବେ ରାଜକ୍ଷମା କ୍ଷେତ୍ରରେ ନିଷ୍ପତ୍ତି ନେଇପାରିବେ ନାହିଁ। ଏହି କଟକଣାର ପ୍ରସଙ୍ଗରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଶ୍ରୀହରନ (୨୦୧୬) ଓ.ଏମ.ପି ସ୍ପେସାଲ ପୁଲିସ ଏଷ୍ଟାକ୍ଲସମେଣ୍ଟ (୨୦୦୪) ମାମଲାରେ ନେଇଥିବା ନିର୍ଣ୍ଣୟ ଉଲ୍ଲେଖଯୋଗ୍ୟ।
ଉପରୋକ୍ତ ପୃଷ୍ଠଭୂମିରେ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ସମ୍ବିଧାନର ୧୪୨ ଧାରା ବଳରେ ଆରିଭୁର ମୁକ୍ତି ପାଇଁ ଦିଆଯାଇଥିବା ନିର୍ଦେଶକୁ ଅନୁଶୀଳନକଲେ କେତେକ ଅସଙ୍ଗତି ଦେଖାଯାଏ। ଆରିଭୁ କ୍ଷେତ୍ରରେ କେଉଁ ବିଶେଷ ପରିସ୍ଥିତିରେ ନ୍ୟାୟାଳୟ ୧୪୨ ଧାରାର ବିଶେଷ କ୍ଷମତା ପ୍ରୟୋଗ କରିଛନ୍ତି, ତାହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିନଥିଲେ ମଧ୍ୟ ତାମିଲନାଡ଼ୁ ସରକାର ଆରିଭୁକୁ ରାଜକ୍ଷମା ପାଇଁ ରାଜ୍ୟପାଳଙ୍କୁ ସୁପାରିସ କରିଥିବା ସତ୍ତ୍ବେ ରାଜ୍ୟପାଳ ଏହା ଉପରେ ନିଷ୍ପତ୍ତି ନନେଇ ଦୀର୍ଘବର୍ଷ ଧରି ଏହାକୁ ଝୁଲାଇ ରଖିଥିବାରୁ ନ୍ୟାୟାଳୟ କ୍ଷୋଭପ୍ରକାଶ ସହିତ ନିଜର ବିଶେଷ କ୍ଷମତା ପ୍ରୟୋଗ କରିଥିବା ଜଣାପଡ଼ିଛି।
ତେବେ ନ୍ୟାୟାଳୟଙ୍କ ନିଧିକାଇମ୍ ବନାମ୍ ମଧ୍ୟପ୍ରଦେଶ (୨୦୧୭) ଏବଂ ଏନଜିସି ବନାମ୍ ଗୁଜୁରାଟ(୨୦୧୭) ନିର୍ଣ୍ଣୟରେ ୧୪୨ ଧାରାର ପ୍ରୟୋଗାତ୍ମକ ଦିଗ ଅର୍ଥାତ୍ ବିଶେଷ ପରିସ୍ଥିତିର ଯାହା ବାଖ୍ୟା କରିଛନ୍ତି ଆରିଭୁ କେସ୍ ନିର୍ଣ୍ଣୟ ତା’ର ବିରୁଦ୍ଧାଚରଣ କରୁଛି। ପୁନଶ୍ଚ ସମ୍ବିଧାନର ୧୪ଧାରା (ଆଇନର ସମଦୃଷ୍ଟି) ବ୍ୟବସ୍ଥା ଦୃଷ୍ଟିରୁ ଆରିଭୁ ଭଳି ଅନ୍ୟଦଣ୍ଡିତଙ୍କ କ୍ଷେତ୍ରରେ ଅନୁକମ୍ପା ମୂଳକ ରାଜକ୍ଷମା କାହିଁକି ପ୍ରୟୋଗ କରାଯାଉନାହିଁ ବା ନଯିବ କିମ୍ବା ଆରିଭୁ କ୍ଷେତ୍ରରେ କରାଯାଇଥିବା ବ୍ୟତିକ୍ରମର କୌଣସି ସନ୍ତୋଷ ଜନକ କାରଣ ନ୍ୟାୟାଳୟଙ୍କ ନିଷ୍ପତ୍ତିରେ ଦିଆଯାଇନାହିଁ। ଅତଏବ ଉପରୋକ୍ତ ଆଲୋଚନା ଦୃଷ୍ଟିରୁ ରାଜୀବ ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ପେରାରି ଭାଲାନ୍ ଓରଫ୍ ଆରିଭୁଙ୍କୁ ରାଜକ୍ଷମା ଏକ ସାମ୍ବିଧାନିକ ଅନ୍ତର୍ବିବାଦାତ୍ମକ ବିଷୟ।


