www.samajalive.in
Monday, December 8, 2025
24.1 C
Bhubaneswar

ପୁଣି ଅତାବିରାରେ ଚୋରି ଡକାୟତି ସକ୍ରିୟ; ପୁଲିସକୁ ଚ୍ୟାଲେଞ୍ଜ ଦେଲେ ଡକାୟତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଏମ୍ ଆଇ ମୋବାଇଲ ଦୋକାନରେ ବୁଧବାର ଡକାୟତ ଦଳଙ୍କର ଡକାୟତି ଉଦ୍ୟମ ଫେଲ୍ ମାରିଛି। ଦୋକାନ ମାଲିକ ଦୀପକ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ସକାଳୁ ସେ ପ୍ରାତଃ ଭ୍ରମଣ ପାଇଁ ଆସୁଥିବା ବେଳେ ତାଙ୍କ ଦୋକାନର ସଟରଟି ତଳପଟୁ କଟାଯାଇ କିଛି ଉପରକୁ ଉଠିଥିବା ଦେଖିଥିଲେ। ସେ ଘରକୁ ଫେରିଯାଇ ଦୋକାନର ଚାବି ଆଣି ସଟରକୁ ଖୋଲି ଭିତରେ ଦେଖିଲେ ସବୁ କିଛି ଠିକ୍ ଠାକ୍ ଥିଲା। ଘଟଣା ବିଷୟରେ ଜାଣିବା ପାଇଁ ସେ ସିସିଟିଭି କ୍ୟାମେରାର ଫୁଟେଜ ଦେଖିଥିଲେ। ସେଥିରୁ ଜଣା ପଡୁଛି ଠିକ୍ ରାତି ୨ଟାରେ ପ୍ରଥମେ ଦୁଇଜଣ ଯୁବକ ଆସି ଦୋକାନ ପିଣ୍ଡାରେ ବସିଲେ। ପରେ ଆଉ ତିନିଜଣ ଆସି ଏକାଠି ମିଳିତ ହେଲେ। ସେଥି ମଧ୍ୟରୁ ଜଣେ ନିଜ ପକେଟରୁ ରୁମାଲ କାଢି ମୁହଁରେ ବନ୍ଧିଦେଇ ଗୋଟିଏ ବଡ଼ ପରଦାକୁ ଦୁଇ ହାତରେ ଖୋଲି ଧରି ଛିଡା ହେଲା। ପରଦାର ପଛପଟେ ଥିବା ଅନ୍ୟ ଚାରିଜଣ ଗୋଟିଏ ମୁଣାରୁ କିଛି ଯନ୍ତ୍ରପାତି ବାହାର କରି ସଟରକୁ କାଟିଲେ ଓ ତାଡ଼ିବାର ଉଦ୍ୟମ କରୁଥିଲେ। ୨ଟା ୭ ମିନିଟ ସମୟରେ ଦୋକାନର ବିପରୀତ ପଟରୁ ଜନୈକ ବ୍ୟକ୍ତି ତାଙ୍କ ଘରୁ ବାହାରକୁ ବାହାରିଥିଲେ କିଛି କାମ ନେଇ। ତାଙ୍କୁ ଦେଖି ଡକାୟତ ଦଳ ଚୁପ୍ ମାରି ରହି ଯାଇଥିଲେ କିନ୍ତୁ ବ୍ୟକ୍ତି ଜଣକ ଭିତରକୁ ନଯିବା ଫଳରେ ଡକାୟତ ଦଳ ଆଉ ସାହସ କରିପାରି ନଥିବା ଜଣାପଡ଼ୁଛି। ତେଣୁ ଜଣେ ପରେ ଜଣେ ଚତୁରତାର ସହିତ ବାହାରି ଖସି ପଳାଇଥିଲେ। ଫଳରେ ଦୋକାନରୁ ଚୋରି ହେଉ ହେଉ ବଞ୍ଚିଯାଇଥିଲା।

ଏହି ଡକାୟତ ଦଳରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ଦୋକାନକୁ ସକାଳେ ମୋବାଇଲ ଚାର୍ଜର କିଣି ଆସିଥିବା ଭଳି ମନେ ହେଉଛି ବୋଲି ଦୋକାନୀ କହିଛନ୍ତି ସିସିଟିଭି ଫୁଟେଜକୁ ଦେଖି। ଏହି ଯୁବକମାନେ ବାହାରୁ କାମ ପାଇଁ ଆସୁଥିବା ଅଣଓଡ଼ିଆ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ସେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ପରିସ୍ଥିତିରେ ଅତାବିରା ଅଞ୍ଚଳରେ ବାହାର ରାଜ୍ୟରୁ ଆସି କାମ କରୁଥିବା ଲୋକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତେଣୁ ଏମାନଙ୍କ ଉପରେ ସତର୍କ ନଜର ରଖିବା ସହ କାମ ଦେବା ପୂର୍ବରୁ ସେମାନଙ୍କ ଆଧାର କାର୍ଡ ସହ ସମ୍ପୂର୍ଣ୍ଣ ଠିକଣା ଯାଞ୍ଚ କରି କାମ ଦିଆଯିବା ଜରୁରୀ ହୋଇପଡିଛି। ନହେଲେ ଆଜି ସିନା ଚୋରି ହେଉ ହେଉ ବଞ୍ଚିଯାଇଛି, କିନ୍ତୁ ଭବିଷ୍ୟତରେ ଏଥିପ୍ରତି ଦୃଷ୍ଟି ନଦେଲେ ଅଞ୍ଚଳରେ ପୁଣି ଚୋରି ଡକାୟତିର ପ୍ରାଦୁର୍ଭାବ ବଢ଼ିଚାଲିବ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛି। ରାତିରେ ‘ଆମ ପୁଲିସ ସମିତି’ ବୈଠକରେ ଅତାବିରା ଅଞ୍ଚଳରେ ଚୋରିର ପ୍ରାଦୁର୍ଭାବ କମିଯାଇଛି ବୋଲି ଆଲୋଚନା ହୋଇଥିଲା। ପୁଲିସକୁ ଲୋକେ ସାଧୁବାଦ ଦେଇଥିଲେ। କିନ୍ତୁ ସେହି ରାତିରେ ଘଟିଛି ଏହି ଡକାୟତି ଘଟଣା। ସୌଭାଗ୍ୟବଶତଃ କିଛି ଚୋରି ହୋଇ ନାହିଁ, ତଥାପି ଡକାୟତମାନେ ଉଦ୍ୟମ କରିଛନ୍ତି। ଭବିଷ୍ୟତରେ ହୁଏତ ସେମାନେ ତାଙ୍କ ଉଦ୍ୟମରେ ସଫଳ ହୋଇଯିବେ। ତେଣୁ ପୁଣି ପୁଲିସର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। ଆଜିର ଘଟଣା ପୁଣି ଥରେ ଅଞ୍ଚଳରେ ଚାଲ ସୃଷ୍ଟି କରି ଲୋକଙ୍କ ନିଦ ହଜେଇ ଦେଇଛି। ରାତି ୧୨ ତରୁ ସକାଳ ୪ଟା ଭିତରେ ଏମିତି ଚୋରି ଡ଼କାୟତି ହେଉଛି। ତେଣୁ ଏହି ସମୟରେ ପାଟ୍ରୋଲିଂ ବ୍ୟବସ୍ଥା କଡା କଡ଼ି ହେବା ଉଚିତ୍।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories