କର୍ତ୍ତୃପକ୍ଷଙ୍କ ନିଘା ନାହିଁ; ଦୁଇ ଦଶନ୍ଧି ଧରି ଖାଲିପଡ଼ିଛି ପ୍ରାଣୀଧନ ଚିକିତ୍ସକ ପଦବୀ
ରେଙ୍ଗାଲି: ସରକାର ପଶୁପାଳନ ପାଇଁ ପ୍ରୋତ୍ସାହନ ଦେଉଥିବ ବେଳେ ପଶୁ ସମ୍ପଦ ଚିକିତ୍ସା ପାଇଁ ଅବଶ୍ୟକ ଚିକିତ୍ସକ, ପ୍ରାଣୀଧନ ନୀରିକ୍ଷକ ଆଦି ଅନୁସଙ୍ଗିକ ପଦବୀରେ ନିଯୁକ୍ତି ଦେଉ ନଥିବାରୁ ପଶୁ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ଦେଖିବାକୁ ମିଳୁଛି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକର ଲଇଡା ଠାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି । ଏହି କେନ୍ଦ୍ରରେ ଗତ ଦୁଇ ଦଶନ୍ଧି ହେଲା ପ୍ରାଣୀଧନ ଚିକିତ୍ସକ ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ଖାଲି ପଡିଥିଲେ ହେଁ ଖାଲି ପଡିଥିବା ପଦବୀରେ ନିଯୁକ୍ତି ଦିଆଯାଉ ନାହିଁ । ଜଣେ ଓ୍ୱାଚମେନ୍ ଭରସାରେ ଏହି କେନ୍ଦ୍ର ଦୁଇ ଦଶନ୍ଧି ହେଲା ଚାଲିଆସୁଛି । ଗତ କିଛି ଦିନ ହେଲା ଜୁନାଡିହି କେନ୍ଦ୍ରରୁ ଜଣେ ପିଅନକୁ ଏଠାରେ ଅବସ୍ଥାପିତ କଲା ପରେ ମାତ୍ର ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଭରସାରେ ଏହି କେନ୍ଦ୍ର ଚାଲିଛି । ଲଇଡା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଉପରେ ଆଖପାଖ ଅଞ୍ଚଳର ୨୦/୨୫ଟି ଗ୍ରାମର ପଶୁ ସମ୍ପଦ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି । ଚିକିତ୍ସକ ପଦବୀ ଦୁଇ ଦଶନ୍ଧି ହେଲା ଖାଳି ପଡିବା ଫଳ ରେ ଅଞ୍ଚଳରେ ପଶୁ ଚିକିତ୍ସା ପ୍ରଭାବିତ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ଖାଲି ପଡିଥିବା ଚିକିତ୍ସକ ପଦବୀ ଶୀଘ୍ର ନିଯୁକ୍ତି ଦେବାକୁ ଦାବି ହେଉଛି ।
Comments are closed.