www.samajalive.in
Saturday, December 13, 2025
26.1 C
Bhubaneswar

ପୁରୀ ରଥଯାତ୍ରା ପାଇଁ ସୋରଡ଼ାରୁ ଗଲା କାଠ

ସୋରଡ଼ା : ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନରେ ଥିବା ସୋରଡ଼ା ଜଙ୍ଗଲରୁ କାଠ ଯାଇଛି। ପୂଜାର୍ଚ୍ଚନା କରି ଗାଜଲବାଡ଼ି ଜଙ୍ଗଲରୁ କାଠ ଗଲାବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗାଜଲବାଡ଼ିଠାରେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପତାକା ଦେଖାଇ ଯାତ୍ରା ଶୁଭାରମ୍ଭ କରିଥିଲେ। ପରେ ଅସୁରବନ୍ଧ, ଗୋବିନ୍ଦପୁର, କେଶରୀପାଟଣା ଗ୍ରାମ ଦେଇ ସୋରଡ଼ା ସହରରେ ରଥକାଠ ପ୍ରବେଶ କରିବା ବେଳେ ସ୍ବାଗତ କରିବାକୁ ବିଭିନ୍ନ ସ୍ଥାନରେ ବ୍ୟାପକ ଆୟୋଜନ କରାଯାଇଥିଲା। ସହରର ମୁଖ୍ୟ ରାସ୍ତା ଲୋକାରଣ୍ୟ ହୋଇପଡି ଥିଲା। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ରଥ କାଠକୁ ସ୍ୱାଗତ କରିଥିଲେ। ଏପରିକି ସହରରେ ବସବାସ କରୁଥିବା ମୁସଲିମ୍‍ ସମ୍ପ୍ରଦାୟର ଭାଇମାନେ ମଧ୍ୟ ରଥ କାଠକୁ ସ୍ୱାଗତ କରିଥିଲେ। ସହରର ଗଣିଛକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜଗନ୍ନାଥ ମନ୍ଦିର ନିକଟରେ କାଠଭର୍ତ୍ତି ଗାଡ଼ିକୁ ପୂଜାର୍ଚ୍ଚନା କରାଯାଇଥିଲା। ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ପ୍ରଫୁଲ ଚନ୍ଦ୍ର ଡାକୁଆଙ୍କ ତତ୍ତ୍ୱାବଧାନରେ ରଥକାଠକୁ ସ୍ୱାଗତ କରାଯାଇଥିଲା। ପରେ ବୈଦିକ ବ୍ରାହ୍ମଣମାନେ ବେଦପାଠ କରି ରଥ କାଠରେ ଉତ୍ତରୀୟ ପକାଇ ସ୍ୱାଗତ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀମାଞ୍ଚଳ ମଣ୍ଡଳ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୂତିକୃଷ୍ଣ ପାତ୍ର, ଏନ୍‍ଏସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା, ବନଖଣ୍ଡ ଅଧିକାରୀ ଦିଲ୍ଲିପ ରାଉତ, ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ, ସୋରଡ଼ା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେ, ବଡଗଡ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ଖଡ଼ଗରାୟ, ସୋରଡ଼ା ବନପାଳ ପି.ସୁରଜକୁମାର, ଅସୁରବନ୍ଧ ବନପାଳ ଭଗବାନ ବିଷୋୟୀ, ଗାଜଲବାଡ଼ି ବନପାଳ ଅର୍ଜୁନ କୁମାର ଜାନି ଓ ବନବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ୧୫ ଦିନ ତଳେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସୋରଡ଼ା ବନ ବିଭାଗ ସହିତ ଯୋଗାଯୋଗ କରି ଗାଜଲବାଡ଼ି ସଂରକ୍ଷିତ ଜଙ୍ଗଲରୁ ଅଶ୍ୱନ୍‍ ଓ ଧରୁଆ ପ୍ରଜାତିର ୫୬ ଖଣ୍ଡ କାଠ କଟାଯାଇ ରଥ ନିର୍ମାଣ ନିମନ୍ତେ ପଠାଯିବାକୁ ସ୍ଥିର କରାଯାଇଥିଲା। ପୁରୀରୁ ଆସିଥିବା ସ୍ୱତନ୍ତ୍ର ଗାଡ଼ି ଯୋଗେ ଏହିସବୁ କାଠ ପୁରୀ ପଠାଯାଇଛି। ସୋରଡ଼ା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଥାନା ଅଧିକାରୀ ରମେଶକୁମାର ପ୍ରଧାନଙ୍କ ତତ୍ତ୍ବାବଧାନରେ ବ୍ୟାପକ ପୁଲିସ୍‍ ମୁତୟନ କରାଯାଇଥିଲା। ଜଗନ୍ନାଥ ମନ୍ଦିରର ସେବାୟତ ପଣ୍ଡିତ ଲକ୍ଷ୍ମୀକାନ୍ତ ମିଶ୍ର ଓ କେଦାରନାଥ ତ୍ରିପାଠୀ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories