www.samajalive.in
Sunday, December 14, 2025
15.1 C
Bhubaneswar

ଭୁର୍ଟିଗଡ଼ ଅଞ୍ଚଳରେ ମୋବାଇଲ୍ ଟାୱାର ସ୍ଥାପନ ଦାବି, ଜିଲା ପ୍ରଶାସନ ଓ ଟେଲିକମ୍ ଅଧିକାରୀଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ: ବର୍ତ୍ତମାନ ସାରାଦେଶରେ ଡିଜିଟାଲ ଇଣ୍ଡିଆ ଓ ୫-ଜି ଯୁଗ ଆରମ୍ଭ ହୋଇଥିବାବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଭୁର୍ଟିଗଡ ଗ୍ରାମପଞ୍ଚାୟତରେ ଆଜି ପର୍ୟ୍ୟନ୍ତ ସାଧାରଣ ମୋବାଇଲ ଫୋନ୍ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ଯାହାଫଳରେ ଅଞ୍ଚଳର ଲୋକେ ନେଟୱାର୍କ ଅଭାବରୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋବାଇଲ ଯୋଗାଯୋଗ ନଥିବା ଯୋଗୁ ଏହି ଅଞ୍ଚଳରେ ଗର୍ଭବତୀ, ପ୍ରସୂତି କିମ୍ବା ଅନ୍ୟ କୌଣସି ରୋଗୀ ପାଇଁ ଆମ୍ବୁଲାନ୍ସଟିଏ ସହଜରେ ଯୋଗାଡ ହୋଇପାରେ ନାହିଁ। ପଞ୍ଚାୟତ ଅଞ୍ଚଳରେ ପ୍ରାୟ ଚାରି ହଜାର ଜନସାଧାରଣ ବସବାସ କରନ୍ତି। ପଞ୍ଚାୟତ ୧୨ଗୋଟି ୱାର୍ଡରେ ବିଭକ୍ତ ଥିବାବେଳେ ବିଭିନ୍ନ କାମ ପାଇଁ ମୋବାଇଲ ସେବାର ଆବଶ୍ୟକତା ପଡିଥାଏ। ଟେଲି ଯୋଗାଯୋଗ ଅଭାବରୁ ପିଲାଙ୍କ ଅନଲାଇନ୍ ପାଠପଢା, ଅନଲାଇନ ଆବେଦନ ସମେତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ରହିବାର କାରଣ ମଧ୍ୟ ଏହି ଟେଲି ଯୋଗାଯୋଗ ବ୍ୟବସ୍ଥାର ଅଭାବ। କୌଣସି ଜରୁରି ଫୋନ୍ କଲଟିଏ କରିବାକୁ ସାତ କିମି ଦୂର କଦମ୍ବଗୁଡା କିମ୍ବା ଲାଞ୍ଜିଗଡରୋଡକୁ ଯିବାକୁ ହୋଇଥାଏ । ସେହିପରି ଜରୁରି ସମୟରେ ପାହାଡ କିମ୍ବା ଗଛ ଚଢି ଫୋନ୍ କରିବାକୁ ଲୋକେ ବାଧ୍ୟ ହୋଇଥାନ୍ତି।

 

- Advertisement -

ଲାଞ୍ଜିଗଡ ବ୍ଲକରେ ମୋବାଇଲ ନେଟୱାର୍କର ସମସ୍ୟା ସଂପର୍କରେ ଯୁବ ସମାଜସେବୀ ସୁଶୀଲ କୁମାର ବାଗ କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କୁ ଚିଠି ଲେଖିଥିବାବେଳେ ନିର୍ବାଚନ ପୂର୍ବରୁ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଳାହାଣ୍ଡି ଜିଲ୍ଲାରେ ରେକର୍ଡସଂଖ୍ୟକ ୫୧୬ ମୋବାଇଲ ଟାୱାର ସ୍ଥାପନ ପାଇଁ ଘୋଷଣା କରିଥିଲେ। ସେଥିମଧ୍ୟରୁ କେବଳ ଲାଞ୍ଜିଗଡ ବ୍ଲକରେ ୧୬୭ଟି ଓ ଥୁଆମୂଳରାମପୁର ବ୍ଲକରେ ୧୧୭ଟି ମୋବାଇଲ ଟାୱାର ସ୍ଥାପନ ହେବା ନେଇ ସୂଚନା ମିଳିଥିଲା। ତେବେ ନିର୍ବାଚନ ଶେଷ ହେବାର ଦୁଇମାସ ପରେ ବି କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାନୁଯାୟୀ, ଲାଞ୍ଜିଗଡ ବ୍ଲକର ବିଭିନ୍ନ ଅଞ୍ଚଳରେ ମୋବାଇଲ ନେଟୱାର୍କ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇନାହିଁ। ଏପରିକି ବ୍ଲକ ଅନେକ ଅଞ୍ଚଳ ଭଳି ଦୁର୍ଗମ ଭୁର୍ଟିଗଡ ଅଞ୍ଚଳରେ ଟାୱାର ସ୍ଥାପନର ପ୍ରସ୍ତାବ ରହିଥିଲେ ହେଁ ଏହା କାର୍ୟ୍ୟକାରୀ ହୋଇନାହିଁ। ଯାହାଫଳରେ ଲୋକେ ମୋବାଇଲ ଯୋଗାଯୋଗ ଅଭାବରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଆଜି ଭୁର୍ଟିଗଡ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୁଶାନ୍ତ କୁମାର ପଟେଲଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେହିପରି ବିଏସ୍‌ଏନ୍‌ଏଲ୍ ଟେଲିକମ୍ ଉପଖଣ୍ଡ ଅଧିକାରୀ କେସି ଲେଙ୍କା ଓ ଜିଓ ନେଟୱାର୍କ ମ୍ୟାନେଜର ଅକ୍ଷୟ କୁମାର ମଲ୍ଲିକଙ୍କୁ ସାକ୍ଷାତ କରିବା ସହିତ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ନେତୃତ୍ୱରେ ଅମୀର ନାଏକ, ଚନ୍ଦ୍ରମଣି ନାଏକ, ଶଶୀଧର ନାଏକ, ଶୁକଦେବ ନାଏକ, ରାଜେଶ ହିଆଁଲ, ଚତୁର୍ଭୂଜ କରୁଆଁ, ପ୍ରଶାନ୍ତ ନାଏକ, ଗୋବର୍ଦ୍ଧନ ନାଏକ, ଦୀନବନ୍ଧୁ ହରପାଲ, ନେତ୍ରମଣି ପାତ୍ର, ସୁରେନ୍ଦ୍ର ପାତ୍ର, ସୁବାସ ପାତ୍ର, ସୋମନାଥ ପାତ୍ର, ମୂରଲୀ ନାଏକ, ଅକ୍ଷୟ ନାଏକ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଏହାସହିତ ମୋବାଇଲ ଟାୱାର ସ୍ଥାପନକୁ ନେଇ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଡାକ ଯୋଗେ ପତ୍ର ପ୍ରେରଣ କରିଥିବାବେଳେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରିଙ୍କୁ ମଧ୍ୟ ସେମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories