ଦେବଗଡ଼ :ଗ୍ରାମାଂଚଳର ବିକାଶ ସମେତ ଓ କାମଧନ୍ଦା ପାଉନଥିବା ଶ୍ରମିକଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା(ମନରେଗା)ଯୋଜନା ଆରମ୍ଭ କରିଛନ୍ତି। ମାତ୍ର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀ, ଯନ୍ତ୍ରୀ ଓ ଅଧିକାରୀ ମାନଙ୍କ ଯୋଗୁଁ ଦେବଗଡ ଜିଲାରେ ଏହି ଯୋଜନା ପ୍ରହଶନରେ ପରିଣତ ହୋଇଛି। ଶ୍ରମିକ ମାନେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ ହେଁ ମନରେଗା ଅଧିନସ୍ଥ ନିର୍ମାଣ କାର୍ଯ୍ୟରେ ଶ୍ରମିକ ମାନଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି ପ୍ରହରେ ମେସିନ ସାହାଯ୍ୟରେ ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଫଳରେ ଶ୍ରମିକ ମାନେ କାମଧନ୍ଦାରୁ ବଂଚିତ ହେବାସହ ଯେଉଁ ଉଦ୍ଦେଶ୍ୟ ନେଇ ଏହି ମନରେଗା ଯୋଜନା ଆରମ୍ଭ ହୋଇଛି ତାହା ସମ୍ପୁର୍ଣ୍ଣ ଭାବେ ବିଫଳ ହୋଇଛି।
ଏହି କ୍ରମରେ ମନରେଗା ଯୋଜନାରୁ ତିଲେଇବଣି ବ୍ଲକ ଦୁଧିଆନାଳୀ ଗ୍ରାମ ପଂଚାୟତର ଜାମ୍ବୁନାଳୀ ଗ୍ରାମରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ଚାଲିଥିବା କ୍ଷେତ ପୋଖରୀ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜମ୍ବୁନାଳୀ ଗ୍ରାମର ଚାଷୀ ଲମ୍ବୋଦର ନାୟକଙ୍କ ନାମରେ ୨୦୨୧-୨୦୨୨ ଆର୍ଥୀକ ବର୍ଷରେ ଏକ କୃଷି ପୋଖରୀ ନିମନ୍ତେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ୧ଲକ୍ଷ ୯୯ ହଜାର ୮ଶହ ଟଙ୍କା ମଞ୍ଜୁର ହୋଇଥିଲା। ତେବେ ଏହାର ନିର୍ମାଣ କାର୍ଯ୍ୟରେ କୌଣସି ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଦିନ ଦ୍ୱି’ ପ୍ରହରେ ମେସିନ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଫଳରେ କାମ ଧନ୍ଦା ଅଭାବରୁ ହାତ ବାନ୍ଧି ବସିଥିବା ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ଘୋର ନୈରାଶ୍ୟ ଭାବ ପ୍ରକାଶ ପାଇଛି ।
ଏ ସମ୍ପର୍କରେ ମତାମତ ପାଇଁ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ତିଲେଇବଣି ବ୍ଲକ ମୃତିକା ସଂରକ୍ଷଣ ବିଜୟଲକ୍ଷ୍ମୀ ନାୟକଙ୍କୁ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ମିଳିନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ବିଭାଗୀୟ ପ୍ରକଳ୍ପ ନିର୍ଦ୍ଦେଶକ ଦେବାଶିଷ ଜଗଦେବଙ୍କ ମତାମତ ଲୋଡିବାରୁ ସେ ‘ଆମେ ତ କାହାକୁ କହୁନାହୁଁ ମେସିନରେ କାମ କରିବା ପାଇଁ, ଯିଏ କାମ କରୁଛି ସିଏ କାମ କରିବା ପାଇଁ ମେସିନ ଲଗାଉଥାଇ ପାରନ୍ତି ’ ବୋଲି ମନ୍ତବ୍ୟ ଦେଇଛନ୍ତି। ଫଳରେ ଏନେଇ ସମ୍ପୃକ୍ତ ଅଂଚଳର ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଇବା ସହ ସେମାନେ ଏ ଘଟଣାର ଭିଜିଲାନ୍ସ ତଦନ୍ତ ଦାବୀ କରିଛନ୍ତି। ତେବେ କେବଳ , ଦେବଗଡ ଜିଲାର ବାରକୋଟ ବ୍ଲକ କିମ୍ବା ତିଲେଇବଣି ବ୍ଲକରେ ଏଭଳି ଅନିୟମିତତା ହେଉଛି ତାହା ନୁହେଁ, ଜିଲାର ରିଆମାଳ ବ୍ଲକରେ ମଧ୍ୟ ଶ୍ରମିକ ନିୟୋଜିତ କରାନଯାଇ ବିଭାଗୀୟ ଅଧିକାରୀଙ୍କ ଜ୍ଞାତସାରରେ ମେସିନ ଦ୍ୱାରା ଦିନ ଦ୍ୱି ପ୍ରହରେ କ୍ଷେତ ପୋଖରୀ ଖନନ କରାଯାଉଥିବା ଦେଖିବାକୁ ମିଳୁଛି।



