www.samajalive.in
Sunday, December 14, 2025
26.1 C
Bhubaneswar

ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷ ଧରି ଚାଲିଛି ଗଛକଟା ଏବଂ ବେଆଇନ ରତ୍ନପଥର କାରବାର- ମାଫିଆଙ୍କୁ କାବୁ କରିବାକୁ ପ୍ରଶାସନର ଦୃଢୋକ୍ତି

ଟିଟିଲାଗଡ଼- ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ହଜାର ହଜାର ବୃକ୍ଷ ଛେଦନ ସହ ଚାଲିଥିବା ବେଆଇନ ରତ୍ନପଥର କାରବାର ଉପରେ ଏଥର ଅଙ୍କୁଶ ଲାଗିବା ସୁନିଶ୍ଚିତ ବୋଲି ସୋମବାର ପ୍ରଶାସନିକ ଅଧିକାରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଗତ ୨୨ରେ ରତ୍ନପଥର ଖଣି ଗାତରେ କାର୍ଯ୍ୟ କରୁଥିବା ସମୟରେ ଦୁଇ ଶ୍ରମିକ ନବିନ ଜାନୀ ଏବଂ ଉଜ୍ଜ୍ୱଳ ଭୋଇ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିବା ପରଠାରୁ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ମୃତଦେହ ରାସ୍ତାରେ ରଖି ପରିଜନ ତଥା ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ଧାରଣାପ୍ରଦର୍ଶନ, ବନ ବିଭାଗ ଅଧିକାରୀଙ୍କ ପ୍ରତି ଆକ୍ରୋଶ ବୃଦ୍ଧି, ଅଭିଯୁକ୍ତ ରାଜୁ ସାହୁ ଫେରାର ହେବା ଘଟଣା ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୁପ ନେବାକୁ ଲାଗିଛି । ଆଜି ଅଭିଯୋଗ ଶୁଣାଣି ଅବସରରେ ଟିଟିଲାଗଡ ଆସିଥିବା ବଲାଙ୍ଗିର ଜିଲାପାଳ ଚଞ୍ଚଲ ରାଣା, ଜିଲା ଆରକ୍ଷି ଅଧିକ୍ଷକ ନୀତିନ କୁଲଶକର, ବଲାଙ୍ଗିର ବନଖଣ୍ଡ ଅଧିକାରୀଙ୍କ ପ୍ରତିନିଧି ଏସିଏଫ ବିସି ରାଉଳ ଏଥର କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ବୋଲି ଜିଲାପାଳ ଗଣମାଧ୍ୟମରେ କହିଛନ୍ତି । ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରୀ କୁଲଶକର ପ୍ରଥମେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି କହିବାକୁ ମନା କରିଦେଇଥିବା ବେଳେ ପରେ ଡାକି ନିଜ ସଂକ୍ଷିପ୍ତ ଉତ୍ତରରେ କାହାକୁ ଛଡା ଯିବ ନାହିଁ ବୋଲି ସଂକେତ ଦେଇଛନ୍ତି । ବନ ବିଭାଗର ତଦନ୍ତ ଦଳ ଘଟଣାସ୍ଥଳକୁ ଯାଇ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ବିଭାଗ ପକ୍ଷରୁ ଏନେଇ ଧାରା ୨୭ ଅନୁଯାୟୀ କେସ ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସିଏଫ ଶ୍ରୀ ରାଉଳ କହିଛନ୍ତି । ମୁରିବାହାଲ ବନ ରେଞ୍ଜ ଅଧିକାରୀ ତଥା ଜଇଁତରା ଏବଂ ଗୁଲମି ବନପାଳ ଖୁବ ଅଲ୍ପ ଦିନ ତଳେ କାର୍ଯ୍ୟରେ ଯୋଗ ଦେଇଥିବା ଏସିଏଫ କହିଛନ୍ତି ।

ଦୁଇ ବାଇକ କାହାର!

- Advertisement -

ରତ୍ନପଥର ଉତ୍ତୋଳନ ନେଇ ଖଣିରେ ଅନେକ ଲୋକ କାର୍ଯ୍ୟ କରିଥାନ୍ତି । ଗାତରୁ ମୋଟର ଯୋଗେ ପାଣି ନିଷ୍କାସନ, ଗାତରେ ଲୋକଙ୍କୁ ରଶିରେ ବାନ୍ଧି ଓହ୍ଲାଇବା, ଗାତରେ ବାହାର ବାୟୁ ପ୍ରବେଶ ପାଇଁ ସ୍ୱତନ୍ତ୍ର ମୋଟର ଚଳାଇବା, ପଥର ବ୍ଲାଷ୍ଟିଂ, ଗଛ କଟା, ଶିବିରରେ ସମସ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଏଭଳି ବିଭିନ୍ନ କାମ ଭିନ୍ନଭିନ୍ନ ଲୋକ ସମ୍ପାଦନ କରିଥାନ୍ତି । ଘଟଣା ଦିନ ସକାଳୁ ଦୁଇ ଶ୍ରମିକଙ୍କ ଗାତ ଭିତରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ପରେ ଯେତେ ଲୋକ ସେଠି ନିୟୋଜିତ ଥିଲେ ଭୟରେ ଯିବ ଯୁଆଡେ ପଲାଇଥିଲେ । ଅନେକ ପୋଷାକ, ଚପଲ, ବିଭିନ୍ନ ସରଞ୍ଜାମ ସହ ଏପରିକି ବ୍ଲାଷ୍ଟିଂ ପାଇଁ ରହିଥିବା ଡିଟୋନେଟର ମଧ୍ୟ ସେଠାରୁ ପୁଲିସ ଜବତ କରିଥିଲା । ପୁଲିସ ଉକ୍ତ ଖଣି ଅଞ୍ଚଳରୁ ଓଡି୦୩ ୫୭୫୨ ନମ୍ବର ବିଶିଷ୍ଟ ଗୋଟିଏ ପେସନ ପ୍ରୋ ଏବଂ ଏକ ନମ୍ବର ବିହିନ ଟିଭିଏସ ସ୍ପୋର୍ଟସ ବାଇକ ମଧ୍ୟ ଜବତ କରିଛି । ଉକ୍ତ ଦୁଇ ବାଇକ କାହାର ତାହା ଜଣାପଡିନାହିଁ । ତେବେ ସବୁ ଅପରାଧି ଧରା ପଡିବେ ବୋଲି ଟିଟିଲାଗଡ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥି କହିଛନ୍ତି ।

 

 

ରାଜୁ ଠାରୁ ୭୨ ହଜାର ଟଙ୍କା ନେଲା କିଏ?

ମୃତକ ନବିନ ଜାନୀଙ୍କ ପରିବାରଙ୍କ ପକ୍ଷରୁ ଘଟଣା ଦିନ ରାତ୍ରୀରେ ଟିଟିଲାଗଡ ଥାନାରେ ରତ୍ନପଥର ମାଫିଆ ରାଜୁ ସାହୁ ଉପରେ ଦୋଷାରୋପ କରି ଲିଖିତ ଅଭିଯୋଗ କରାଯାଇଥିଲା । ଏନେଇ ଭାରତୀୟ ଦଣ୍ଡ ବିଧାନ ଆଇନର ୩୦୪ ସମେତ ଅନେକ ସଙ୍ଗିନ ମାମଲାରେ ପୁଲିସ ଏକ ମାମଲା ରୁଜୁ କରି ଏବେ ରାଜୁର ସନ୍ଧାନରେ ଲାଗି ପଡିଛି । ଘଟଣା ଦିନ ହିଁ ରାଜୁ ନିଜ ପରିବାରଙ୍କୁ ଧରି ଗୁଲମି ସ୍ଥିତ ବାସଭବନ ଛାଡି କୁଆଡେ ଫେରାର ହୋଇଯାଇଛି । ଅନ୍ୟପକ୍ଷରେ ନିୟମିତ ଭାବରେ ରାଜୁ ନିଜ ଗ୍ରାମ ଗୁଲମିର କିଛି ଯୁବକ ତଥା ମୁରିବାହାଲ ବ୍ଲକ ତଥା କଲାହାଣ୍ଡି ଜିଲାରେ ଥିବା ସମ୍ପର୍କିୟଙ୍କ ସହ ଯୋଗାଯୋଗରେ ରହିଥିବା ଆଳୋଚନା ହୋଇଛି । ମାମଳାକୁ ହାଲୁକା କରିବା ସହ ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ରାଜୁ ଜାଳ ବିଛାଇବା ଆରମ୍ଭ କରିଥିବା ଆଳୋଚନା ହୋଇଛି । ରାଜୁ ଜାମିନ ପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିବାକୁ ରାଜୁ ଉଦ୍ୟମ କରୁଥିବା କିଛି ଲୋକ ଆଳୋଚନା କରୁଛନ୍ତି । ଅନ୍ୟପକ୍ଷରେ ତଳସ୍ତରରେ ସେଟସାଟ ପାଇଁ ରାଜୁ ଜନୈକ ବ୍ୟକ୍ତିକୁ ୭୨ ହଜାର ଟଙ୍କା ଦେଇଥିବା ନେଇ ଆଳୋଚନା ଜୋର ଧରିଛି । ସ୍ଥାନୀୟ ପୁଲିସ ଅଧିକାରୀ ମଧ୍ୟ ଏଭଳି ଶୁଣିବାକୁ ମିଳିଥିବା ନେଇ ତଦନ୍ତ କରାଯାଉଥିବା କହିଛନ୍ତି । ପୁର୍ବରୁ ଏଭଳି ଅର୍ଥ ଲୋଭ ଉପହାର ଦେଇ ରାଜୁ ଦୀର୍ଘ ବର୍ଷ ଧରି ନିଜ କଳା ସାମ୍ରାଜ୍ୟ ବିସ୍ତାର କରିଥିଲା । ତେଣୁ ଏହା ନୁଆ କଥା ନୁହେଁ ବୋଲି ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୋଇଛି । ରାଜୁ ସହ କାରବାର ଜାରି ରଖିଥିବା କିଛି ବଡବଡିଆ ଲୋକେ କାଳେ ଫସିଯିବା ଭୟରେ ନିଜ ପତିଆରା ବଳରେ ତାହାର ସୁରକ୍ଷା ପାଇଁ ଗୋଟି ଚାଳନା କଲେ ଅଭିଯୁକ୍ତ ଖସିଯିବା ସମ୍ଭାବନା ରହିଥିବା ଲୋକେ ଆଶଙ୍କା କରୁଛନ୍ତି । ।ତେବେ ପୁଲିସ ରାଜୁର ମୋବାଇଲର ସମସ୍ତ ଫୋନ କଲ ଡିଟେଲ୍ସ ଯାଞ୍ଚ କଲେ ଅନେକ ରହସ୍ୟ ପଦାକୁ ଆସିବା ସହ ବିରାଟ ର‌୍ୟାକେଟର ପର୍ଦ୍ଦାଫାଶ ହୁଅନ୍ତା ବୋଲି ଜିଲା କନ୍ଧ ସମାଜ ଯୁବ ସଂଗଠନର ନଗର ସଭାପତି ସୁରେଶ ଭୋଇ କହିଛନ୍ତି । ଆଜି ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବଲାଙ୍ଗିର ଜିଲା ଆରକ୍ଷୀ ଅଧିକ୍ଷକ ଏନେଇ ଟିଟିଲାଗଡ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥି, ଥାନାଧିକାରୀ ରଞ୍ଜନ ବରିହାଙ୍କ ସହ ଏହି ଦୀର୍ଘ ସମୟ ଧରି ଆଳୋଚନା କରିଥିବା ଜଣାଯାଇଛି । ଅପରପକ୍ଷରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ତଥା ତତଲାଗଡ ଭାବରେ ପରିଚିତ ଟିଟିଲାଗଡ ଉପଖଣ୍ଡ ଅଞ୍ଚଳରେ ବ୍ୟାପକ ପରିମାଣରେ ବନସମ୍ପଦ ଧ୍ୱଂସ ଘଟଣାରେ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories