ଗୋପାଳପୁର:ପାଲୁର ହିଲ ଠାରେ ଥିବା ନିଷ୍ଟ ବୈଷୟିକ ଶିକ୍ଷାନୁଷ୍ଠାନ ଓ ପ୍ରୋଟିଓନିକ୍ସ ମଧ୍ୟରେ ଓଡିଶାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ଆଜି ଅନୁଷ୍ଠିତ ଏହି ବୁଝାମଣାପତ୍ରରେ ସ୍ବାକ୍ଷର ସମୟରେ ନିଷ୍ଟର ଅଧ୍ୟକ୍ଷ ଡ଼ ପ୍ରିୟଦର୍ଶୀ ତ୍ରିପାଠୀ ଓ ପ୍ରୋଟିଓନିକ୍ସ୍ ସଂସ୍ଥାପକ ପ୍ରଭାସ ରାଜ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।
୨୦୧୯ରେ ଏକ ଷ୍ଟାର୍ଟ-ଅପ୍ କମ୍ପାନୀ ହିସାବରେ ନିଷ୍ଟ ପରିସରରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଭାରତର ପାଞ୍ଚଟି ରାଜ୍ୟରେ ଆଇସିଟି ପ୍ରଯୁକ୍ତି ବିଦ୍ୟା ସଂକଳିତ ପାଠ୍ୟକ୍ରମ ପାଇଁ ଆବଶ୍ୟକ ରହୁଥିବା ବିଭିନ୍ନ ସରଞ୍ଜାମ ଯୋଗାଇବା ସହ, କାର୍ଯ୍ୟଶାଳା ଆୟୋଜନ, ହାଇସ୍କୁଲ ପାଠ୍ୟକ୍ରମକୁ ନେଇ ତିଆରି ହେଇ ଥିବା କ୍ୟାପ୍ସେନ ବୋର୍ଡ ଆଦି ପ୍ରସୃତ କରୁଛି। ଏହି କାର୍ଯ୍ୟକ୍ରମ ବେଳେ ନିଷ୍ଟ୍ ଶିଳ୍ପ ସହଭାଗିତା ଏକକର ଡ଼ ଆକାଂକ୍ଷା ପଟ୍ଟନାୟକ, ଡ଼ ଅଶ୍ବିନୀ ନାୟକ, ଡ଼ ସୁଶାନ୍ତ ସାହୁ, ଆଲୋକ ପାତ୍ର ଓ କୌଶଳ ବିକାଶ ବିଭାଗର ଡ଼ ସାମ୍ବି ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ କୁ ଆଧାର କରି ବିଦ୍ୟାର୍ଥୀ ମାନଙ୍କ ନିମନ୍ତେ ବିଭିନ୍ନ ବିଜ୍ଞାନ ଭିତ୍ତିକ ଖେଳ ସରଞ୍ଜାମ ନିର୍ମାଣ କରାଯିବ। ଏହି ବୁଝାମଣାପତ୍ରରେ ସ୍ବାକ୍ଷରିତ ପରେ ନିଷ୍ଟ ରେ ଅଧ୍ୟୟନ ରହିଥିବା ତୃତୀୟ ବର୍ଷ ଛାତ୍ର ଛାତ୍ରୀ ମାନେ ଇଣ୍ଟରନସିପ କରିବା ସହ ଶିକ୍ଷା ସମାପ୍ତ ପରେ ନିଯୁକ୍ତି ପାଇପାରିବେ ବୋଲି ପ୍ରୋଟିଓନିକ୍ସ ସଂସ୍ଥାପକ ପ୍ରଭାସ ରାଜ ପାଣିଗ୍ରାହୀ କହିଛନ୍ତି।



