କିଭ୍, : ରୁଷ୍ ସୈନ୍ୟ ପଛକୁ ହଟୁଥିବା କିଭ୍, ବୁଚା ଓ ଚେର୍ଣ୍ଣିହିଭ୍ ଆଦି ଅଞ୍ଚଳରେ ରାସ୍ତା, ଗଳି କନ୍ଦିରେ କୁଢ କୁଢ ମୃତଦେହ ପଡ଼ିରହିଛି। ସେଗୁଡିକ ସାଧାରଣ ନାଗରିକଙ୍କର ମୃତ ଶରୀର ବୋଲି ଚିହ୍ନଟ କରାଯାଇଛି। ଯୁଦ୍ଧକୁ ୩୯ ଦିନ ଅତିବାହିତ ହୋଇଥିବାବେଳେ ସମ୍ପ୍ରତି କିଭ୍, ଚେର୍ଣ୍ଡିହିଭ୍, ବୁଚା ସମେତ ୟୁକ୍ରେନ୍ର ବିଭିନ୍ନ ସହରରେ କେବଳ ବିଧ୍ୱଂସର ଚିତ୍ର ଦେଖିବାକୁ ମିଳୁଛି। ରୁଷ୍ ସୈନ୍ୟ ପଛକୁ ହଟୁଥିବାବେଳେ ସେମାନେ ନିଜ ଦଖଲରେ ରଖିଥିବା ଅଞ୍ଚଳରେ ବ୍ୟାପକ ମାଇନ୍ ବିଛାଇଛନ୍ତି। ସମ୍ପ୍ରତି ୟୁକ୍ରେନ୍ ସୈନ୍ୟମାନେ ସତର୍କତାର ସହିତ ସେହିସବୁ ଅଞ୍ଚଳ ନିଜ ଦଖଲକୁ ପୁନର୍ବାର ନେବା ସହିତ ମାଇନ୍ ସଫା ଆରମ୍ଭ କରିଛନ୍ତି। ମୁଖ୍ୟ ମୁଖ୍ୟ ରାସ୍ତାରେ ଏତେ ସଂଖ୍ୟାରେ ମୃତଦେହ ପଡ଼ିରହିଛି ଯେ ତାହାକୁ ଅତିକ୍ରମ କରି ୟୁକ୍ରେନ୍ ସୈନ୍ୟଙ୍କ ସାମରିକ ଗାଡି ଯିବା କଷ୍ଟକର ହୋଇପଡୁଛି। ମୃଦଦେହଗୁଡିକ ରାସ୍ତାରୁ ହଟାଯାଇପାରୁନାର୍ହି। କାରଣ ରୁଷ୍ ସୈନ୍ୟମାନେ ମୃତ ଦେହରେ ମଧ୍ୟ ମାଇନ ଖଞ୍ଜିଛନ୍ତି। ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ଯେ ରୁଷ୍ ନିଜ ସୈନ୍ୟଙ୍କୁ କିଛି ଅଞ୍ଚଳରୁ ପ୍ରତ୍ୟାହାର କରୁଥିଲେ ମଧ୍ୟ ସେମାନଙ୍କୁ ଅନ୍ୟତ୍ର ମୁତୟନ କରୁଛି। ରୁଷ୍ ପକ୍ଷରୁ ୟୁକ୍ରେନ୍ର କୃଷ୍ଣ ସାଗର ତଟରେ ଥିବା ଓଡେଶା ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଆକ୍ରମଣରେ ଓଡେଶାରେ ଥିବା ଏକ ତୈଳ ବିଶୋଧନାଗାର ଧ୍ୱଂସ ପାଇଛି। ୟୁକ୍ରେନ୍ ପକ୍ଷରୁ ରୁଷ୍ର ବେଲଗୋରୋଡରେ ଥିବା ଏକ ତୈଳ ଭଣ୍ଡାର ଉପରେ ଆକ୍ରମଣର ଦିନକ ପରେ ରୁଷ୍ ତାହାର ପାଲଟା ଜବାବ ଦେଇଛି। ଓଡେଶାରେ ଥିବା ତୈଳ ବିଶୋଧନାଗାରରୁ ୟୁକ୍ରେନ୍ ତାହାର ମିକୋଲେଭ୍ ସହରରେ ଥିବା ସୈନ୍ୟଙ୍କୁ ତୈଳ ଯୋଗାଉଥିଲା।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନ୍ସ୍କି କହିଛନ୍ତି, ତାଙ୍କ ଦେଶର ସୈନ୍ୟମାନେ କିଭ୍, ଚେର୍ଣ୍ଣିହିଭ୍ ଆଦି ସହରକୁ ନିଜ ଦଖଲକୁ ନେବାରେ ଲାଗିଛନ୍ତି। ସେଠାରେ ଥିବା ଅବଶିଷ୍ଟ ରୁଷ୍ ସୈନ୍ୟଙ୍କ ଉପରେ ଜୋର୍ଦାର ଆକ୍ରମଣ ଚାଲିଛି। ଇତିମଧ୍ୟରେ ୟୁକ୍ରେନ୍ ସୈନ୍ୟମାନେ କିଭ୍ ଚାରିପଟେ ଥିବା ଅନ୍ୟୂନ ୩୦ଟି ସହର ଏବଂ ଗ୍ରାମକୁ ନିଜ ଦଖଲକୁ ନେଇସାରିଲେଣି। ୟୁକ୍ରେନ୍ର ଉତ୍ତର ଭାଗରେ ଥିବା ସହର ବୁଚାର ମେୟର ଆନୋତୋଲି ଫେଡରୁକ୍ କହିଛନ୍ତି, ତାଙ୍କ ସହର ରାସ୍ତାରେ ସାଧାରଣ ଲୋକଙ୍କ ମୃତଦେହ ପଡ଼ିରହିଛି। ଲୋକଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ଉକ୍ତ ଅଞ୍ଚଳକୁ ରୁଷ୍ ସମର୍ଥିତ ଚେଚେନ ବିଦ୍ରୋହୀମାନେ ନିଜ ଦଖଲରେ ରଖିଥିଲେ। ଏହାଦ୍ୱାରା ରୁଷ୍ ସାଂଘାତିକ ଯୁଦ୍ଧ ଅପରାଧ କରିଥିବା ସେ ଅଭିଯୋଗ କରିଛନ୍ତି। ଏହା ରୁଷ୍ ପକ୍ଷରୁ ଇଛାକୃତ ଗଣହତ୍ୟା ବୋଲି ସେ ଦର୍ଶାଇଛନ୍ତି। ଏହା ଦେଖିବାପରେ ଜି୭ ରାଷ୍ଟ୍ରସମୂହ ରୁଷ୍ ବିରୋଧରେ ତୁରନ୍ତ ଅଧିକ କଡା କଟକଣା ଲଗାଇବାକୁ ସେ ଦାବି କରିଛନ୍ତି।
ହ୍ୟୁମ୍ୟାନ୍ ରାଇଟ୍ସ ୱାଚ୍ ପକ୍ଷରୁ କୁହାଯାଇଛି ଯେ ରୁଷ୍ ଖୋଲାଖୋଲି ଭାବରେ ୟୁକ୍ରେନ୍ରେ ଯୁଦ୍ଧ ଅପରାଧ କରିଛି। ୟୁକ୍ରେନ୍ର ବିଭିନ୍ନ ସହରର ରାସ୍ତା ଘାଟରେ କୁଢ କୁଢ ସାଧାରଣ ଲୋକଙ୍କ ମୃତଦେହକୁ ଦେଖିବା ପରେ ହ୍ୟୁମ୍ୟାନ ରାଇଟ୍ସ ୱାଚ୍ ପକ୍ଷରୁ କୁହାଯାଇଛି ଯେ ଚେର୍ଣ୍ଣିହିଭ୍, ଖାକ୍ରିଭ୍, କିଭ୍, ବୁଚା ଆଦି ବହୁ ସହରରେ ଏଭଳି ଘଟଣା ଘଟିଛି। ରବିବାର ରୁଷ୍ ପକ୍ଷରୁ ୟୁକ୍ରେନ୍ର ମିକୋଲେଭ୍ ସହର ଉପରେ ଜୋର୍ଦାର କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ରୁଷ୍ ସୈନ୍ୟମାନେ ମିକୋଲେଭ୍ ସହିତ ଓଡେଶା, ମାରିଉପୋଳ୍ ଆଦି ସହରରେ ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷ୍ରେ ଔଷଧ ସଙ୍କଟ ପରିସ୍ଥିତି ଲାଗି ରହିଛି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ କଟକଣା ଲାଗୁ କରାଯିବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଔଷଧ ରୁଷ୍ରେ ଏବେ ଆଉ ମିଳୁନାହିଁ।
ରୁଷ୍ କର୍ତ୍ତୃପକ୍ଷ କହିଛନ୍ତି ଯେ ଜନସାଧାରଣ ଭୟରେ ତରବରିଆ ଭାବରେ ଅଧିକ ଔଷଧ କ୍ରୟ କରିବା ଦ୍ୱାରା ଏଭଳି ସାମୟିକ ଅଭାବ ପରିସ୍ଥିତି ସୃଷ୍ଟି ହୋଇଛି। ବ୍ରିଟେନ ସାମରିକ ଗୋଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ୍ ସୈନ୍ୟମାନେ ରୁଷ୍ର ବିମାନ ଓ କ୍ଷେପଣାସ୍ତ୍ର ଆକ୍ରମଣର କଡା ଜବାବ ଦେଉଛନ୍ତି ଏବଂ ଏହା ଜାରି ରହିବ। ତେବେ ରୁଷ୍ ଓ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପାଇଁ ବିଷୟସୂଚୀ ପ୍ରସ୍ତୁତି ସରିଛି ଏବଂ କେବଳ ସମୟ ଓ ସ୍ଥାନକୁ ଅପେକ୍ଷା କରାଯାଉଛି ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି।



