www.samajalive.in
Thursday, December 11, 2025
15.1 C
Bhubaneswar

‘ଭାଷା ଓ ସାହିତ୍ୟର ବିକାଶ ପାଇଁ ସରକାରୀ ଉଦ୍ୟମ ଆବଶ୍ୟକ’

ଭୁବନେଶ୍ୱର: ଭାଷା ଓ ସାହିତ୍ୟର ବିକାଶ ପାଇଁ ସରକାରୀ ଉଦ୍ୟମର ଯଥେଷ୍ଟ ଆବଶ୍ୟକତା ରହିଛି । ମା’, ମାଟି ଓ ମାତୃଭାଷା ହେଉଛି ସଂପର୍କର ଭିତ୍ତି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶରେ ପାଶ୍ଚାତ୍ୟ ପ୍ରଭାବ ହେତୁ ମାତୃଭାଷା ଉନ୍ନତିରେ ଉପଯୁକ୍ତ ପଦକ୍ଷେପ ନିଆଯାଇ ପାରିନାହିଁ। ସେଥିପାଇଁ ଭାଷା ଓ ସାହିତ୍ୟର ଉନ୍ନତି ନିମନ୍ତେ ଆନୁଷ୍ଠାନିକ ଓ ବ୍ୟକ୍ତିଗତ ତତ୍ପରତା ତଥା ନିଷ୍ଠା ପ୍ରକାଶ ପାଇବା ଦରକାର ବୋଲି ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆଜି ଭୁବନେଶ୍ୱର ସାହିତ୍ୟ ପର୍ବ ଉଦ୍‌ଘାଟନ କରି ଡ. ପଟ୍ଟନାୟକ ଉପରୋକ୍ତ ମର୍ମରେ ସମସ୍ତ ଶିକ୍ଷିତ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ କବି ରାଜେଂଦ୍ର କିଶୋର ପଂଡ଼ା ଯୋଗଦେଇ ଭାଷାର କ୍ରିୟାଶୀଳତା ଓ ସାଧାରଣ ବ୍ୟବହାରିକତା ଉପରେ ଗୁରୁତ୍ୱ ଦେଇଥିଲେ। କେବଳ ମାର୍ଗଦର୍ଶିକା ନୁହେଁ ବରଂ କଡ଼ାକଡ଼ି ଆଇନ ବଳରେ ଭାଷା ସୁରକ୍ଷା ସମ୍ଭବ ବୋଲି ସେ କହିଥିଲେ। ସମାଜସେବୀ ଡ. ସୌମ୍ୟରଞ୍ଜନ ସାମଲ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସାହିତ୍ୟକୁ ସମାଜ ଓ ଜୀବନର ପଥପ୍ରଦର୍ଶକ ବୋଲି ଉଲ୍ଲେଖ କରିଥିଲେ ।
ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବି ଡ. ତୁହିନାଂଶୁ ରଥଙ୍କୁ ‘କୈଳାସ ଲେଙ୍କା ସୃଜନ ସମ୍ମାନ’ ଓ ଶିଳ୍ପୀ ଶ୍ରୀ ପଞ୍ଚାନନ ସାମଲଙ୍କୁ ‘ଦିନନାଥ ପାଠୀ ଶିଳ୍ପୀ ସମ୍ମାନ’ ପ୍ରଦାନ କରାଯାଇଥିଲା । ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିବାବେଳେ ଉପସଭାପତି କବି ରକ୍ଷକ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଧୁଭୂଷଣ ତି୍ରପାଠୀ, ସରୋଜିନୀ ମିଶ୍ର ଓ ମିନତି ଦାଶଙ୍କ ଲିଖିତ କବିତା ଗ୍ରନ୍ଥ ‘ଜୀବାଶ୍ମ’, ‘ଆତ୍ମଗୀତି’ ଓ ‘ସେ’ ସମେତ ଅନୁଷ୍ଠାନର ବାର୍ଷିକ କବିତା ମୁଖପତ୍ର ଏବଂ ଭୁବନେଶ୍ୱର ସାହିତ୍ୟ ପର୍ବର ସ୍ମରଣିକା ଲୋକାର୍ପିତ ହୋଇଥିଲା । ସଂପାଦିକା ସୋନାଲି ମହାପାତ୍ର ବିବରଣୀ ପାଠ କରିଥିଲେ ।

‘ଓଡ଼ିଆ ଭାଷା: ସ୍ଥିତି ଓ ସମୀକ୍ଷା’ ଶୀର୍ଷକ ଆଲୋଚନା ସଭାରେ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହୃଷୀକେଶ ମଲ୍ଲିକ, ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ଡ. ବସନ୍ତ କୁମାର ପଣ୍ଡା ଓ ବିଶିଷ୍ଟ ସ୍ତମ୍ଭକାର ଅସିତ ମହାନ୍ତି ଯୋଗଦେଇଥିବାବେଳେ କବି ଡ. ଶୁଭଶ୍ରୀ ଲେଙ୍କା ଏହା ସଂଚାଳନ କରିଥିଲେ । ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ସହିତ ଜଣାଶୁଣା ମଞ୍ଚ ଅଭିନେତ୍ରୀ ଭାସ୍ୱତୀ ବସୁଙ୍କ କଥାବାର୍ତ୍ତା କାର୍ଯ୍ୟକ୍ରମ ‘ଆମ ମଞ୍ଚ, ଆମ ନାଟକ’ ଉପରେ ପର୍ଯ୍ୟବସିତ ଥିଲା । ଅପରାହ୍ନରେ ‘କିନ୍ନରଙ୍କ ସୃଜନ ପୃଥିବୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡ. ହିରଣ୍ମୟୀ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ମୀରା ପରିଡ଼ା, ସାଧନା ମିଶ୍ର ଓ ଐଶ୍ୱର୍ଯ୍ୟା ଋତୁପର୍ଣ୍ଣା ପ୍ରଧାନ ଅଂଶଗ୍ରହଣ କରି ସେମାନଙ୍କ ଜୀବନର
ଅଭିଜ୍ଞତା, ଅନୁଭବ ଓ ସୃଜନଶୀଳ କାର୍ଯ୍ୟଗୁଡ଼ିକ ଉପରେ ମତାମତ ରଖିଥିଲେ। ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ପଦ୍ମଶ୍ରୀ ମନମୋହନ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଉଦ୍ଦେଶ୍ୟରେ ତାଙ୍କ ନିର୍ଦ୍ଦେଶିତ ଶେଷ ଓଡ଼ିଆ ଚିତ୍ର ‘ଭିଜା ମାଟିର ସ୍ୱର୍ଗ’ ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଯୋଗଦେଇ ଏହି ସିନେମା ନିର୍ମାଣ ପଛରେ ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରିଥିଲେ।
ପୂର୍ବାହ୍ନରେ ମହିଳା ଶିଳ୍ପୀମାନଙ୍କ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା, ତାରାକାନ୍ତ ପରିଡ଼ା ଓ ରବିନାରାୟଣ ରଥ ମିଳିତ ଭାବରେ ଏହା ଉଦ୍‌ଘାଟନ କରିଥିଲେ। ୧୪ ଜଣ ମହିଳା ଶିଳ୍ପୀଙ୍କ ଚିତ୍ର ପ୍ରଦର୍ଶନୀରେ ସ୍ଥାନ ପାଇଛି। ଏହା ସହିତ ଏକ ପୁସ୍ତକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories