ଧାମରା : ଧାମରା ନିକଟସ୍ଥ ଜାଗୁଳା ପଂଚାୟତରେ ନିର୍ବାଚନୀ ଗଣ୍ଡଗୋଳ ଦେଖିବାକୁ ମିଳିଛି । ଗୋଟିଏ ଦଳର ଲୋକ ଅନ୍ୟ ଦଳର ଲୋକଙ୍କୁ କାହିଁକି ଆମ ପ୍ରାର୍ଥୀଙ୍କୁ ଭୋଟ ଦେଲ ନାହିଁ ବୋଲି ଜାଗୁଳା ପଂଚାୟତ ଅଧିନସ୍ଥ ଅଡାବନ୍ଧ ଗ୍ରାମର ବାସିନ୍ଦାଙ୍କୁ ପଚାରିଥିଲେ । ଏଥିସହ ଜାଗୁଳା ପଂଚାୟତର ପୂର୍ବତନ ସରପଂଚ ସୁରେଶ ମାହୁନ୍ତ, ଡିଆଁ ନରସିଂହ ପୁରର ବିପନା ଜେନା ଏବଂ ରାଜେନ୍ଦ୍ର ଜେନାଙ୍କୁ ଏକ ବାଡି ସାହାଯ୍ୟରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ୩ଜଣଙ୍କ ମୁଣ୍ଡ ଫାଟିଯାଇଥିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଆହତ ମାନଙ୍କୁ ଧାମରା ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଦୀର୍ଘ ଏକ ଘଣ୍ଟା ଧରି ଗଣ୍ଡଗୋଳ ଲାଗି ରହିଥିଲେ ମଧ୍ୟ ଧାମରା ମାରାଇନ ପୁଲିସ ଅବା ଧାମରା ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ପାରି ନଥିଲେ । ଫଳରେ ଉତ୍ୟକ୍ତ ଲୋକେ ଧାମରା ବଜାର ମଧ୍ୟରେ ଗଣ୍ଡଗୋଳ କରିବା ସହ ଜନସାଧାରଣଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ । ଧାମରା ବଜାରର ଦୋକାନୀ ଏବଂ ଉପସ୍ଥିତ ଜନସାଧାରଣ ନିଜ ଘରକୁ ଡରରେ ପଳାଇ ଯାଇଥିଲେ । ଦୀର୍ଘ ସମୟ ଧରି ଉତ୍ୟକ୍ତ ଲୋକେ ଧାମରା ବଜାର ଉପରେ ଆତଙ୍କରାଜ ଚଳାଇଥିବା ବେଳେ ପୁଲିସ ପ୍ରଶାସନ କାହାରିଙ୍କୁ ସୁରକ୍ଷା ଦେବାରେ ସକ୍ଷମ ହୋଇ ପାରି ନଥିଲା । ଅନ୍ୟ ପକ୍ଷରେ ଚାନ୍ଦବାଲି ଏସଡିପିଓଙ୍କୁ ଯୋଗାଯୋଗ କରିବାରୁ ସେ ଏହି କଥା ଉପରେ ନଜର ରଖିଛନ୍ତି ବୋଲି କହିଥିଲେ।



