www.samajalive.in
Saturday, December 6, 2025
23.1 C
Bhubaneswar

ଅଭିଜିତ୍‍ଙ୍କ ଓଡ଼ିଶା ବିରୋଧୀ ମନ୍ତବ୍ୟ: ତଦନ୍ତ ପାଇଁ ଗୃହ କମିଟି ଗଠିତ

ଭୁବନେଶ୍ୱର: ଅଭିଜିତ ଆୟାର ମିତ୍ର ଓଡ଼ିଶାର ସଂସ୍କୃତି, ଐତିହ୍ୟ ସର୍ବୋପରି ଓଡ଼ିଆମାନଙ୍କର ଭାବାବେଗ ସହିତ ଜଡ଼ିତ ଶ୍ରୀଜଗନ୍ନାଥଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଛନ୍ତି। ଏହାକୁ ନେଇ ସମଗ୍ର ଓଡ଼ିଶାରେ ଦଳମତ ନିର୍ବିଶେଷରେ ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି। ଘଟଣା ତଦନ୍ତ କରିବା ପାଇଁ ଆଜି ବିଧାନସଭାରେ ଗୃହ କମିଟି ଗଠନ ପାଇଁ ବାଚସ୍ପତି ନିର୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର ଦୁଇ ବନ୍ଧୁ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂହଙ୍କୁ ନେଇ ହେଲିକପ୍ଟରରେ ଚିଲିକା, ପୁରୀ ଶ୍ରୀମନ୍ଦିର ଓ କୋଣାର୍କ ଭ୍ରମଣ କରିଥିଲେ। ଏହି ଘଟଣାକୁ ନେଇ ବିବାଦ ଥମି ନ ଥିବା ବେଳେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର କଳା ଓ ଭାସ୍କର୍ଯ୍ୟକୁ ନେଇ ଅଭିଜିତଙ୍କ ଅରୁଚିକର ମନ୍ତବ୍ୟ ବିବାଦକୁ ଆହୁରି ତାଜା କରିଥିଲା।


କୋଣାର୍କ ମନ୍ଦିର ସାମ୍ନାରେ ଏକ ଭିଡିଓ ପୋଜ୍‍ ଦେଇ ଅଭିଜିତ କହିଥିଲେ ଯେ ‘କୋଣାର୍କ ମନ୍ଦିରରେ କଳା ଭାସ୍କର୍ଯ୍ୟ ନାମରେ ଯେଉଁ କାରୁକାର୍ଯ୍ୟ ହୋଇଛି ତାହା ଅଶ୍ଲୀଳ ଓ ମହିଳାଙ୍କ ପ୍ରତି ଅପମାନନ। ଏହା କିଭଳି ଏକ ପବିତ୍ର ସ୍ଥାନ ହୋଇପାରେ? ହିନ୍ଦୁ ଓ ଓଡ଼ିଆମାନଙ୍କୁ ଅପମାନିତ କରିିିବା ପାଇଁ ମୁସଲମାନଙ୍କ ଏହା ଏକ ଷଡ଼ଯନ୍ତ୍ର। ଆମ ରାମମନ୍ଦିର ନିର୍ମାଣରେ ଏଭଳି କଳାଭାସ୍କର୍ଯ୍ୟ ରଖାଯିବ ନାହିଁ।’ ଏହାର କିଛି ଘଣ୍ଟା ପରେ ପୁଣି ଟ୍ୱିଟ୍‍ କରି ଅଭିଜିତ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ, ଅପାମନସୂଚକ ଓ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଥିଲେ। ଟ୍ୱିଟ୍‍ରେ ଅଭିଜିତ ଉଲ୍ଳେଖ କରିଛନ୍ତି ଯେ ‘ଜଗନ୍ନାଥ ପ୍ରକୃତରେ କଲକାତାର ଠାକୁର। କଳିଙ୍ଗ ରାଜା ସେଠାରୁ ଜଗନ୍ନାଥଙ୍କୁ ଚୋରି କରି ନେଇଛନ୍ତି। ଓଡ଼ିଶାର କୌଣସି ସ୍ୱତନ୍ତ୍ରତା ନାହିଁ। ଓଡ଼ିଶାର ପ୍ରକୃତ ନାମ ହେଉଛି ଓରିଶଳା। ଏହି ଅଞ୍ଚଳ ଅବିଭକ୍ତ ପଶ୍ଚିମବଙ୍ଗର ଦକ୍ଷିଣ ପ୍ରଗଣାର ଏକ ଅଂଶ।’

- Advertisement -

ଅଭିଜିତ୍‍ଙ୍କ କୋଣାର୍କ ମନ୍ଦିର ବିରୋଧୀ ଅଶ୍ଲୀଳ ମନ୍ତବ୍ୟକୁ ନେଇ ଉଠିଥିବା ପ୍ରତିବାଦର ସ୍ୱର ଶ୍ରୀଜଗନ୍ନାଥ ସଂସ୍କୃତି ବିରୋଧୀ ମନ୍ତବ୍ୟ ପରେ ଆହୁରି ତୀବ୍ର ହୋଇଉଠିଛି। ଓଡ଼ିଆଙ୍କ ଭାବବେଗ ସହିତ ଜଣେ ଅଣଓଡ଼ିଆର ମନ୍ତବ୍ୟ ଦେବାର କୌଣସି ଅଧିକାର ନାହିଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି।
ସାଧାରଣ ଜନତାଙ୍କ ଭିତରୁ ସୃଷ୍ଟି ହୋଇଥିବା ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟାର ସ୍ୱର ରାଜ୍ୟ ବିଧାନସଭାରେ ପ୍ରତିଫଳିତ ହୋଇଛି। ଏହି ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ଗୃହ ଭିତରେ ଓ ବାହାରେ ପ୍ରତିକ୍ରିୟା ରଖିଥିଲେ। କିନ୍ତୁ ଓଡ଼ିଶାର ଗୌରବ ଓ ସ୍ୱାଭିମାନ ଦୃଷ୍ଟିରୁ ଯେଭଳି ଢଙ୍ଗରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ଉପସ୍ଥାପିତ ହେବା କଥା ତାହା ହୋଇପାରୁନାହିଁ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇବା ପରେ ସରକାର ଓ ବିରୋଧୀ ଦଳ ଏ ଦିଗରେ ତତ୍ପରତା ପ୍ରକାଶ କରିଥିଲେ। ଅଭିଜିତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦଳମତ ନିର୍ବିଶେଷରେ ସଦସ୍ୟମାନେ ଅଡ଼ି ବସିବାରୁ ବାଚସ୍ପତି ପ୍ରଶ୍ନକାଳକୁ ବାତିଲ କରିଥିଲେ। ଏହାପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିଥିଲେ। ଏହାକୁ ଆଇନ ମନ୍ତ୍ରୀ ସମର୍ଥନ କରିବା ପରେ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ସରକାରୀ ଦଳର ଅରୁଣ ସାହୁ, ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅଭିଜିତ୍‍ଙ୍କ ମନ୍ତବ୍ୟ ଓଡ଼ିଶାର କଳା, ଭାସ୍କର୍ଯ୍ୟ, ଗୌରବ, ଅସ୍ମିତା ଓ ସ୍ୱାଭିମାନ ପ୍ରତି ଅପାମନ ବୋଲି ସଦସ୍ୟମାନେ କହିଥିଲେ।


ଆଲୋଚନା ପରେ ଅଭିଜିତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ତଦନ୍ତ ପାଇଁ ଗୃହ କମିଟି ଗଠନ କରାଯାଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଶାସକ ଦଳର ଦେବୀ ମିଶ୍ର, ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ପ୍ରମିଳା ମଲ୍ଲିକ ପ୍ରମୁଖ ସଦସ୍ୟ ଅଛନ୍ତି।
ବିଧାନସଭାର ଚଳିତ ମୌସୁମୀ ଅଧିବେଶନକୁ ଗୁରୁବାର ଦିନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିବାରୁ ଆଗାମୀ ଅଧିବେଶନର ପ୍ରଥମ ଦିନରେ କମିଟି ତାର ରିପୋର୍ଟ ଉପସ୍ଥାପନ କରିବ।
ଅପରପକ୍ଷରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସଙ୍ଗକୁ ଅଯଥା ରାଜନୈତିକୀକରଣ କରା ନ ଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।
ସେହିପରି ଅଭିଜିତ୍‍ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱେଚ୍ଛାସେବୀ ଓ ବୁଦ୍ଧିଜୀବୀ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ଏ ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories