ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ ଆୟୁକ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ପୌର ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁଥିବା କାଉନସିଲର, କର୍ପୋରେଟର, ପୌର ପରିଷଦ ଅଧ୍ୟକ୍ଷ ଏବଂ ମହାନଗର ନିଗମ ମେୟର ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ। ଓଡ଼ିଶା ପୌରପାଳିକା ଆଇନ-୧୯୫୦ ଧାରା ୧୭-କ ଏବଂ ଓଡ଼ିଶା ମହାନଗର ନିଗମ ଆଇନ-୨୦୦୩ର ଧାରା ୮୨ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାରଙ୍କ ସହିତ ନିର୍ବାଚନ ଆୟୁକ୍ତ ବିଚାର କରିବା ପରେ ଏହି ଖର୍ଚ୍ଚ ସୀମାକୁ ବୃଦ୍ଧି କରିଛନ୍ତି। ଏ ସଂକ୍ରାନ୍ତରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ ୫୦ ହଜାରରୁ କମ ଜନସଂଖ୍ୟା ବିଶିଷ୍ଟ ପୌରାଞ୍ଚଳ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ (ଏନଏସି)ରେ କାଉନସିଲର ପଦବୀରେ ଲଢ଼ୁଥିବା ପ୍ରାର୍ଥୀ ନିର୍ବାଚନୀ ଖର୍ଚ୍ଚ ସର୍ବାଧିକ ୫୦ ହଜାର ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଯେଉଁ ପୌରାଞ୍ଚଳ ଓ ଏନଏସିରେ ୫୦ ହଜାରରୁ ୧ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବ ସେଠାରେ କାଉନସିଲର ପ୍ରାର୍ଥୀ ସର୍ବାଧିକ ୭୫ ହଜାର ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୩ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ। ଯେଉଁ ପୌରାଞ୍ଚଳରେ ୧ଲକ୍ଷରୁ ଅଧିକ ଲୋକ ବସବାସ କରୁଥିବେ ସେଠାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କାଉନସିଲର ପ୍ରାର୍ଥୀ ସର୍ବାଧିକ ୧ ଲକ୍ଷ ଟଙ୍କା ଓ ଅଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ ଟଙ୍କା ନିର୍ବାଚନ ଖର୍ଚ୍ଚ କରିପାରିବେ। ପୌର ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆସନ୍ତାକାଲି ପ୍ରାଥମିକ ଭୋଟର ତାଲିକା ପ୍ରକାଶ କରିବା ସହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପ୍ରକ୍ରିୟା ଚଳିତ ମାସ ଶେଷସୁଦ୍ଧା ସରିବ।
ପୌରନିର୍ବାଚନ ଖର୍ଚ୍ଚ(ଟଙ୍କାରେ)
ପୌର ସଂସ୍ଥା(ଜନସଂଖ୍ୟା) ଅଧ୍ୟକ୍ଷ କାଉନସିଲର
୫୦ ହଜାରରୁ କମ ୨ଲକ୍ଷ ୫୦ ହଜାର
୫୦ ହଜାରରୁ ୧ ଲକ୍ଷ ୩ଲକ୍ଷ ୭୫ହଜାର
୧ ଲକ୍ଷରୁ ଅଧିକ ୫ଲକ୍ଷ ୧ଲକ୍ଷ
ମହାନଗର ନିଗମ ମେୟର କର୍ପୋରେଟର
ଭୁବନେଶ୍ବର, କଟକ, ବ୍ରହ୍ମପୁର ୧୨ ଲକ୍ଷ ୨ ଲକ୍ଷ



