www.samajalive.in
Monday, December 8, 2025
24.1 C
Bhubaneswar

ଓମିକ୍ରନ – ଅଭିଶାପ ନା ଆଶୀର୍ବାଦ

କୋଭିଡ୍‌ ଓମିକ୍ରନ୍‌ ଭୂତାଣୁ ୨୦୨୧ ମସିହା ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକାରେ ଆବିଷ୍କୃତ ହେଲା। ୨୦୨୨ ଜାନୁଆରୀ ସୁଦ୍ଧା ଏହି ଭୂତାଣୁ ଦ୍ରୁତ ଗତିରେ ବଢ଼ି ପୃଥିବୀର ବହୁ ଦେଶରେ ସଂକ୍ରମଣ ବଢ଼ାଇବାରେ ଲାଗିଛି।
ଏତେ ଦ୍ରୁତ ଗତିରେ ଏହା ବଢ଼ୁଛି ଯେ ଦିଲ୍ଲୀକୁ କୋଭିଡ୍‌ର ରାଜଧାନୀ କୁହାଗଲେ ମହାରାଷ୍ଟ୍ରକୁ କୋଭିଡର ସୁନାମି କୁହାଯାଉଛି। କୋଭିଡ୍‌ ଭୂତାଣୁର ବହୁ ପରିବର୍ତ୍ତନ ପରେ ଓମିକ୍ରନ୍‌ ସୃଷ୍ଟି ହୋଇଛି। ଏହି କୋଭିଡ୍ ଡେଲଟାଠାରୁ ତିନିଗୁଣରୁ ସାତଗୁଣ ଅଧିକ ସଂକ୍ରାମକ। ଏହା ଦୁଇଟି କୋଭିଡ୍‌ ଟିକା କିମ୍ବା ବୁଷ୍ଟର ଟିକାକୁ ମଧ୍ୟ ମାନେ ନାହିଁ। କୋଭିଡ୍‌ ଡେଲଟା ଭାଇରସ୍‌ର ସାଙ୍ଘାତିକ ଲକ୍ଷଣଠାରୁ ଏହା ବହୁଳାଂଶରେ ଅଳ୍ପ ଲକ୍ଷଣ ଯୁକ୍ତ। ଓମିକ୍ରନ ଆକ୍ରାନ୍ତଙ୍କଠାରେ ଜର, କାଶ, ଥଣ୍ଡା, ତଣ୍ଟିଦରଜ, ଛିଙ୍କ, ଦୁର୍ବଳତା, ଶରୀର ପୀଡ଼ା, ଝାଡ଼ା, ନାକରୁ ପାଣି ବୋହିବା ଇତ୍ୟାଦି ଲକ୍ଷଣ ପ୍ରାୟ ଦେଖାଯାଏ ନାହିଁ କିମ୍ବା ଖୁବ୍‌ କମ୍‌ ଦେଖାଯାଏ। ବହୁତ ସୁସ୍ଥ ଲୋକଙ୍କୁ ରୋଗୀଙ୍କ ସହିତ ଆସି ପରୀକ୍ଷା କଲେ କୋଭିଡ୍ ଥିବା ପ୍ରମାଣ ମିଳି ପାରୁଛି।

ଏହି କୋଭିଡ୍‌ ଓମିକ୍ରନ୍‌ ଭୋଗୁଥିବା ରୋଗୀମାନଙ୍କଠାରେ ଶରୀରରୁ ଅମ୍ଳଜାନ ଶତକଡ଼ା ଚଉରାନବେ ତଳେ କମିଯିବା, ଶ୍ବାସକଷ୍ଟ ହୋଇ ଭେଣ୍ଟିଲେଟର ଆବଶ୍ୟକ ପଡ଼ିବା, ରୋଗୀ ଅଚେତ ହୋଇଯିବା, ଯନ୍ତ୍ରଣା ତିନିଚାରିଦିନ ଧରି ଲାଗିରହିବା ଭଳି ଅବସ୍ଥା ସୃଷ୍ଟି ହୁଏନାହିଁ।

- Advertisement -

ଏବେ ଓଡ଼ିଶାରେ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଉଥିବା କୋଭିଡ଼ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି ବୋଲି ଭୁବନେଶ୍ବର ସ୍ଥିତ ଲାଇଫ୍‌ ସାଓନ୍ସ ଇନ୍‌ଷ୍ଟିଚ୍ୟୁଟର ନିର୍ଦେଶକ ଗବେଷଣାରୁ ଜାଣି ପାରିଛନ୍ତି। ତାଙ୍କ ଗବେଷଣାରେ ଏହା ଶତକଡ଼ା ସତୁରି ଭାଗରୁ ଅଧିକ ବୋଲି ଜଣାପଡ଼ିଛି। ଓଡ଼ିଶାରେ ସରକାର ଓମିକ୍ରନ ଶୀଘ୍ର ଚିହ୍ନିବା ପାଇଁ ଟାଟା ତରଫରୁ ‘ଓମିସିଓର’ ନାମକ ଡାଇଗ୍ନୋଷ୍ଟିକ କିଟ୍‌ ବାହାରିବା ପରେ କିଣି ସାରିଛନ୍ତି। ଏହା ଜାନୁଆରୀ ତୃତୀୟ ଚତୁର୍ଥ ସପ୍ତାହରେ ବ୍ୟବହୃତ ହେବ ଏବଂ ସଙ୍ଗେସଙ୍ଗେ ଓମିକ୍ରନ ରୋଗ ଅଛି କି ନାହିଁ ଜଣାପଡ଼ିଯିବ।

ଓମିକ୍ରନ ଭୂତାଣୁ ଚିକିତ୍ସା ପାଇଁ ଆଗରୁ ବ୍ୟବହୃତ ହେଉଥିବା ବହୁବିଧ ଔଷଧର ଆବଶ୍ୟକତା ନାହିଁ। ଆଜିଥ୍ରୋ ମାଇସିନ, ଆଇଭରମେକ୍ଟିନ୍‌, ଷ୍ଟିରଏଡ୍‌, ରାମ ଡେସିଭିର ମନୋକ୍ଲୋନାଲ ଆଣ୍ଟିବଡ଼ି ମଲନୁ ପିରାଭିର ଭଳି ଔଷଧର ଓମିକ୍ରନ ଉପରେ ବିଶେଷ ପ୍ରଭାବ ନାହିଁ। ମାତ୍ର ମୁଣ୍ଡବିନ୍ଧା ଶରୀରପୀଡ଼ା ଦୂର ପାଇଁ ପାରାସିଟାମଲ ବଟିକା ଛଅଶହ ପଚାଶ ମିଲିଗ୍ରାମ ଦିନକୁ ୩ଥର ଖାଇଲେ ଏହା ତିନିଦିନରେ ଆରୋଗ୍ୟ ହୋଇଥାଏ। ଏଥର କୋଭିଡ୍‌ ସଂକ୍ରମଣର ତୃତୀୟ ଲହରରେ ସଂକ୍ରମଣ ଅଧିକ ହେଲେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବାର ଆଶ୍ୟକତା ନାହିଁ। ଏହି ପ୍ରକାର ପରିସ୍ଥିତିରେ ଓମିକ୍ରନ୍‌ ଭୂତାଣୁ ସଂକ୍ରମଣ ପୂର୍ବଭଳି ଆଉ ଅଭିଶାପ ନୁହେଁ ବରଂ ବରଦାନ।

ଓମିକ୍ରନ ସଂକ୍ରମିତ ରୋଗୀଙ୍କର ଦେହରେ ପ୍ରତିପିଣ୍ଡ (ଆଣ୍ଟିବଡ଼ି) ସ୍ବାଭାବିକ ଭାବରେ ସୃଷ୍ଟି ହୋଇଥାଏ। ଫଳରେ ଟିକା ନେବା ଆବଶ୍ୟକ ନାହିଁ। ଓମିକ୍ରନ ସଂକ୍ରମଣ ପରେ କୌଣସି ଲକ୍ଷଣ ପ୍ରକାଶ ପାଇ ନଥିବାରୁ ଏବଂ ପ୍ରତିପିଣ୍ଡ ତିଆରି ହୋଇ ଟିକାର ସୁରକ୍ଷା ଦେଉଥିବାରୁ ୨୦୨୨ ମସିହାରେ ଜୁନମାସ ବେଳକୁ କରୋନା ସ୍ବାଭାବିକ ଭାବରେ ହୋଇ ଆୟତ୍ତ କରାଯାଇ ପାରିବ ବୋଲି ବହୁ ବିଶେଷଜ୍ଞ ମତ ଦାନ କରିଛନ୍ତି। ବୋଧହୁଏ ଓମିକ୍ରନ ପୃଥିବୀପୃଷ୍ଠରୁ ଲୋପ ପାଇଁ ଶ୍ରୀଜଗନ୍ନାଥଙ୍କର ବରଦାନ। ସେଥିପାଇଁ ବିଶେଷଜ୍ଞ ଡାକ୍ତରମାନେ ରୋଗର ଲକ୍ଷଣ ନଥିଲେ ଡାକ୍ତରଖାନାରେ ଭିଡ଼ ନ ଜମାଇବାକୁ ନିର୍ଦେଶ ଦେଇଛନ୍ତି। ତାହା ପରିବର୍ତ୍ତେ ଟେଲିମେଡିସିନ ନମ୍ବରରେ ପରାମର୍ଶ କରିବାକୁ ଅନୁରୋଧ କରିଛନ୍ତି। ଅଳ୍ପ ଲକ୍ଷଣ କୋଭିଡ୍‌ ରୋଗୀ ନିଜେ ଘରେ ରହି ଏକାନ୍ତ ବାସ କରିବା ଉଚିତ। ଦୁଇଟି କୋଭିଡ୍‌ ଟିକା ନେଇଥିବା ପରିବାରର ସଦସ୍ୟ ହିଁ ରୋଗୀର ସେବା କରିବେ।

ଯେଉଁ ରୋଗୀଙ୍କର ଅଙ୍ଗ ପରିରୋପଣ କରାଯାଇଛି, ଏଡସ୍‌ ରୋଗରେ ସଂକ୍ରମଣ ହୋଇଛି, ଜଟିଳ କର୍କଟ, ମଧୁମେହ, ହୃଦ୍‌ରୋଗ ଓ ବୃଦ୍ଧାବସ୍ଥା ସେମାନେ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ଆବଶ୍ୟକ। ଏବେ ଏତେ ଔଷଧ ବଜାରରେ ଉପଲବ୍ଧ ଯେ କେବଳ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଆବଶ୍ୟକ।

ଡା. ନରଞ୍ଜନ ତ୍ରିପାଠୀ
ଜୀବନବିକାଶ, ନିମସାହି, କଟକ
ଦୂରଭାଷ:୯୪୩୭୪୭୪୭୪୭

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories