www.samajalive.in
Monday, December 8, 2025
13.1 C
Bhubaneswar

ସାଫ୍‍ କପ୍‍ ଫୁଟବଲ: ଭାରତକୁ ହରାଇ ମାଳଦ୍ୱୀପ ଚମ୍ପିଆନ

ଢାକା : ବାଂଲାଦେଶର ରାଜଧାନୀ ଢାକାରେ ଚାଲିଥିବା ସାଫ୍‍ (ସାଉଥ ଏସିଆନ ଫୁଟବଲ ଫେଡେରେସନ) ସୁଜୁକି କପ୍‍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ମାଳଦ୍ୱୀପ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଶନିବାର ସ୍ଥାନୀୟ ବଙ୍ଗବନ୍ଧୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମାଳଦ୍ୱୀପ ୨-୧ ଗୋଲରେ ଭାରତକୁ ପରାସ୍ତ କରିଛି। ଏଥରକୁ ମିଶାଇ ମାଳଦ୍ୱୀପ ଦ୍ୱିତୀୟ ଥର ଏହି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛି। ଅପରପକ୍ଷରେ ସାଫ୍‍ ଫୁଟବଲ ଇତିହାସରେ ଭାରତ ସାତଥର ଚମ୍ପିଆନ ହୋଇଥିବାବେଳେ ଚାରିଥର ରନର୍ସଅପ୍‍ ହୋଇଛି।
ଫାଇନାଲ ମ୍ୟାଚ ପ୍ରାରମ୍ଭରୁ ମାଳଦ୍ୱୀପ ଦଳ ଆକ୍ରମଣାତ୍ମକ ରଣନୀତି ଅବଲମ୍ବନ କରି ଭାରତୀୟ ଗୋଲ ଏରିଆରେ ଚାପ ସୃଷ୍ଟି କରିଥିଲା। ପ୍ରଥମାର୍ଦ୍ଧର ୧୯ ମିନିଟରେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଅସାବଧାନତାର ସୁଯୋଗ ନେଇ ଇବ୍ରାହିମ ହୁସେନ୍ ଗୋଲ ସ୍କୋର କରିବା ଫଳରେ ମାଳଦ୍ୱୀପ ୧-୦ରେ ଆଗୁଆ ରହିଥିଲା। ଗୋଟିଏ ଗୋଲ ପଛରେ ରହିଥିବା ଭାରତ ପ୍ରତିଆକ୍ରମଣ ଜରିଆରେ ଏକାଧିକ ସୁଯୋଗ ସୃଷ୍ଟି କରିଥିଲେ ସୁଦ୍ଧା ସେଗୁଡିକ ଫଳପ୍ରସୂ ହୋଇପାରିନଥିଲା। ୨୫ ମିନିଟରେ କୁରୁନିୟାନଙ୍କ ସଟ୍‍କୁ ମାଳଦ୍ୱୀପ ଡିଫେଣ୍ଡର ଇବ୍ରାହିମ ୱାହିଦ ହେଡ୍‍ କରି ବାହାର କରିଦେଇଥିଲେ। ୩୧ ମିନିଟରେ କୁରୁନିୟାନଙ୍କଠାରୁ ପାସ୍‍ ପାଇ ଫାରୁକ୍‍ ପ୍ରତିପକ୍ଷ ଗୋଲପୋଷ୍ଟକୁ ଲକ୍ଷ୍ୟ କରି ସଟ୍‍ ମାରିଥିଲେ ସୁଦ୍ଧା ଏହା ମାଳଦ୍ୱୀପ ଖେଳାଳିଙ୍କ ଗୋଡରେ ବାଜି ବାହାରକୁ ଚାଲିଯାଇଥିଲା ଓ ଭାରତକୁ କର୍ଣ୍ଣର କିକ୍‍ ମିଳିଥିଲା। ଅନିରୁଦ୍ଧ ଥାପ୍ପାଙ୍କ କର୍ଣ୍ଣର ସଟ୍‍କୁ ମାଳଦ୍ୱୀପ ଗୋଲରକ୍ଷକ ମହମ୍ମଦ ଫୈଜଲ ମୁଥ ମାରି ବାହାର କରିଦେଇଥିଲେ। ୩୩ ଓ ୩୪ ମିନିଟରେ ଯଥାକ୍ରମେ ମାନବୀର ସିଂହ ଓ ପୂଜାରୀଙ୍କ ସଟ୍‍କୁ ଫୈଜଲ ଅଟକାଇବାରେ ସଫଳ ହୋଇଥିଲେ। ୩୬ ମିନିଟରେ ମାଳଦ୍ୱୀପ ଫରୱାର୍ଡ ହୁସେନ ନିହାନ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କୁ ଚକ୍‍ମା ଦେଇ ସଟ୍‍ ମାରିଥିଲେ ସୁଦ୍ଧା ଏହା ଭାରତୀୟ ଗୋଲପୋଷ୍ଟ୍‍ର କ୍ରସବାର ଉପରେ ଚାଲିଯାଇଥିଲା। ଫଳରେ ମଧ୍ୟାନ୍ତର ସୁଦ୍ଧା ମାଳଦ୍ୱୀପ ୧-୦ ଗୋଲରେ ଆଗୁଆ ରହିଥିଲା।
ମଧ୍ୟାନ୍ତର ପରେ ଭାରତୀୟ ଦଳ ଗୋଲ ପରିଶୋଧ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲା। ୪୬ ମିନିଟରେ ମାନବୀରଙ୍କ ହେଡର ଲକ୍ଷ୍ୟଭେଦ କରିପାରିନଥିଲା। ୫୫ ମିନିଟରେ ଥାପ୍ପାଙ୍କ କ୍ରସପାସରୁ ମାନବୀର ହେଡ୍‍ କରିଥିଲେ ସୁଦ୍ଧା ଏହି ଉଦ୍ୟମ ବିଫଳ ହୋଇଥିଲା। ୬୭ ମିନିଟରେ ଅଲୀ ଫସିର ଗୋଲ ସ୍କୋର କରିବାରୁ ମାଳଦ୍ୱୀପ ୨-୦ରେ ଆଗୁଆ ରହିଥିଲା। ଇନ୍‍ଜ୍ୟୁରୀ ସମୟ (୯୨ ମିନିଟ)ରେ ବଦଳ ଖେଳାଳି ସୁମିତ ପାସି ଭାରତ ପକ୍ଷରୁ ଗୋଟିଏ ଗୋଲ ପରିଶୋଧ କରିଥିଲେ ସୁଦ୍ଧା ମାଳଦ୍ୱୀପ ଶେଷରେ ୨-୧ ଗୋଲରେ ବିଜୟୀ ହୋଇଥିଲା।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories