www.samajalive.in
Saturday, December 13, 2025
26.1 C
Bhubaneswar

ଅସରାଏ ବର୍ଷାରେ ପଶୁଥିଲା ପାଣି : ତିନି ମହଲା ଘର ଉଠୁଛି ଉପରକୁ

ବଲାଙ୍ଗିର : ରାସ୍ତାକୁ ଦେଖିଲେ ତିନି ଫୁଟ ତଳେ ଥିଲା ତିନି ମହଲା ଘର । ଘର କଡ଼ ଦେଇ ଯାଇଛି ବର୍ଷା ପାଣି ନିଷ୍କାସନ ହେବା ପାଇଁ ବଡ ନାଳ। କିନ୍ତୁ ଘର ପାଖ ଦେଇ ନାଳର କାନ୍ଥ ଭାଙ୍ଗି ଯାଇଥିବା ବେଳେ ନାଳ ରାସ୍ତା କଡ଼ରେ ଘର ନିର୍ମାଣ ଯୋଗୁଁ ପାଣି ତାଙ୍କ ଘରେ ପଶୁଥିଲା। ସେମାନେ ଢେର ହଇରାଣ ହେଉଥିଲେ। ତିନି ମହଲା ଘର ଭାଙ୍ଗି ପୁଣି ତିଆରି କରିବା ସହଜ ନଥିଲା । ତେଣୁ କ’ଣ କରିବେ ବୋଲି ଭାବୁଥିଲେ। ୟୁଟ୍ୟୁବ ଜରିଆରେ ଘରକୁ ଉପରକୁ ଉଠାଇବା ପାଇଁ କୌଶଳ ଜାଣିବା ପାଇଁ ଖୋଜାଖୋଜି କରିଥିଲେ । ବିହାରର ଏକ ସଂସ୍ଥା ଏଭଳି କାମ କରୁଥିବା ଜାଣିବାକୁ ପାଇଥିଲେ। ତା’ପରେ ଯୋଗାଯୋଗ କରାଯାଇଥିଲା। ସେମାନଙ୍କ ଦଳ ଆସି ଦେଖିବା ପରେ ହେଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ କାମ ଆରମ୍ଭ ହୋଇ ୩ ଫୁଟ ଉପରକୁ ଉଠିଲାଣି ଘରଟି । କାହାରି କିଛି ଅସୁବିଧା ହେଉ ନାହିଁ । ଘର ମାଲିକଙ୍କ ସହ ୨୨ଜଣ ପ୍ରାୟ ଘର ଉଠା କାମରେ ନିୟୋଜିତ କର୍ମଚାରୀ ରହୁଛନ୍ତି ଉପରେ । ଅବାଧରେ ଯାତାୟତ କରୁଛନ୍ତି। କୌଣସି ସମସ୍ୟା ବି ନାହିଁ।
ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କ(ବିଡିସିସିବି)ରେ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି ଜ୍ୟୋତ୍ସ୍ନାମୟୀ ପ୍ରଧାନ। ତାଙ୍କ ସ୍ୱାମୀ କିଛି ମାସ ହେଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଅବସର ନେଇଛନ୍ତି । ତାଙ୍କର ୩ ମହଲା ଘର ରେଳ ଷ୍ଟେସନ ରାସ୍ତାର ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ) ପାଖରେ ରହିଛି । ଗୋଦାମ ଓ ତାଙ୍କ ଘର ମଝି ଦେଇ ଏକ ବଡ ନାଳ ଯାଇଛି । ବର୍ଷା ପାଣି ପୂରିଗଲେ ମହାରାଣୀ ସାଗରରୁ ଏହି ନାଳ ଦେଇ ଅନ୍ୟ ପୋଖରୀକୁ ପାଣି ଯାଇଥାଏ । ତେବେ ଏହି ନାଳ ଉପରେ ଅନେକ ଘର ନିର୍ମାଣ ହୋଇଥିବା ବେଳେ ନାଳଟି ଜବରଦଖଲକାରୀ କବ୍ଜା କରୁଥିବାରୁ ଅଣଓସାରିଆ ହୋଇଗଲାଣି । ବର୍ଷା ହେଲେ ଶ୍ରୀମତୀ ପ୍ରଧାନଙ୍କ ଘରେ ବର୍ଷା ପାଣି ପଶି ଯାଏ । ଘରଠାରୁ ରାସ୍ତା ଉଚ୍ଚରେ ଥିବାରୁ ବର୍ଷା ପାଣି ତାଙ୍କ ଘରକୁ ଗଡିଯାଏ। ତଳ ଘରେ ପାଣି ଆଣ୍ଠୁଏ ଲେଖାଏଁ ହେଇଯାଏ । ଚଳିବା ବେଶ କଷ୍ଟକର ହୁଏ ସେମାନଙ୍କ ପାଇଁ । ଶେଷରେ ସେମାନେ ଘର ଉପରକୁ ଉଠାଇବା ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀମତୀ ପ୍ରଧାନ କହନ୍ତି । ବିହାରରେ ଶିବା ବିଲଡିଂ ଲିଫ୍ଟିଂ ପ୍ରାଇଭେଟ ଲିମିଟେଡକୁ ଯୋଗାଯୋଗ କରିଥିଲେ । ସେମାନଙ୍କ ସଂସ୍ଥାର ଲୋକେ ଆସି ଘର ଦେଖିବା ପରେ ଘର ଉଠା କାମ ହୋଇପାରିବ ବୋଲି କହିଥିଲେ। ପୂର୍ବରୁ ୩ରୁ ୪ ଫୁଟ ଉପରକୁ ଘର ଉଠାଯାଉଥିବା ବେଳେ ଏଥର ଶ୍ରୀମତୀ ପ୍ରଧାନଙ୍କ ଘର ୯ ଫୁଟ ଉପରକୁ ଉଠାଯିବା ବୋଲି ସଂସ୍ଥାରେ କାର୍ଯ୍ୟରତ ଗୋପାଳ କୁମାର ମଣ୍ଡଳ କହିଛନ୍ତି । ଏହି କାମରେ ଶହେ ଟନ୍ ବିଶିଷ୍ଟ ୨୩୦ଟି ଜ୍ୟାକ୍ ଲାଗିଛି। ୨୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସକାଳୁ ସନ୍ଧ୍ୟା ଯାଏ କାମ ଜାରି ରହୁଛି । ମନ ଇଚ୍ଛା କାମ ନକରାଯାଇ ଜ୍ୟାକ୍ ଉଠାଇବା ପାଇଁ ନିୟୋଜିତ କର୍ମଚାରୀଙ୍କୁ ମାଇକ୍ ଜରିଆରେ ଶ୍ରୀ ମଣ୍ଡଳ ନିର୍ଦ୍ଦେଶ ଦେବା ପରେ ଏକା ସଙ୍ଗେ ଜେକ୍ ଉଠାଯାଉଛି । ଏହା ସହ ଇଟା ଯୋଡେଇ କାମ କରାଯାଉଛି । ପ୍ରାୟ ୪୫ ଦିନ କାମ ରହିଥିବା ବେଳେ ୧୫ ଦିନ କାମ ସରିଲାଣି । ଘର ଭାଙ୍ଗି ନିର୍ମାଣ ଅପେକ୍ଷା ଏହାର ଅଧାରୁ ଅଧା ଖର୍ଚ୍ଚ ଏହି ଘର ଉଠା କାମରେ ଲାଗିବ ବୋଲି ଶ୍ରୀ ମଣ୍ଡଳ କହିଛନ୍ତି । କେବଳ ଶ୍ରୀମତୀ ପ୍ରଧାନ ନୁହନ୍ତି, ଏଭଳି ଘର ରାସ୍ତା ତଳେ ଥିବା ଓ ପାଣି ପଶୁଥିବା ସମସ୍ୟା ଭୋଗୁଥିବା ଲୋକେ ମଧ୍ୟ ଖବର ପାଇ କାମ ଦେଖିବାକୁ ଆସୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories