www.samajalive.in
Saturday, December 13, 2025
14.1 C
Bhubaneswar

ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ : ଆହତ ଜାଡ଼େଜା, ଅକ୍ଷର, ଗିଲ୍‌ ବାଦ୍‌ ; ହନୁମା ଫେରିଲେ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବୁଧବାର ଚେତନ ଶର୍ମା ନେତୃତ୍ବାଧୀନ ଭାରତୀୟ ବରିଷ୍ଠ ମନୋନୟନ କମିଟି ୧୮ ଜଣିଆ ଟେଷ୍ଟ ଦଳ ଘୋଷଣା କରିଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍‌ର ଦିନିକିଆ ସିରିଜ୍‌ ପାଇଁ ଖେଳାଳି ମନୋନୟନ ପରେ କରାଯିବ। ଆଶା ଅନୁସାରେ, ବିରାଟ କୋହଲି ଦଳର ଅଧିନାୟକ ସ୍ଥାନ ବଜାୟ ରଖିଛନ୍ତି। ତେବେ ନିକଟ ଅତୀତରେ ଖରାପ ଫର୍ମରେ ଥିବା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେଙ୍କୁ ଟେଷ୍ଟ ଦଳର ନେତୃତ୍ବରୁ ହଟାଯାଇ ଏହି ଦାୟିତ୍ବ ରୋହିତ ଶର୍ମାଙ୍କୁ ପ୍ରଦାନ କରାଯାଇଛି।
ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍‌ରେ ବିଶ୍ରାମ ପାଇଥିବା ସମସ୍ତ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ରୋହିତ ଶର୍ମାଙ୍କ ସହ କେ.ଏଲ୍‌. ରାହୁଲ, ଋଷଭ ପନ୍ତ, ମହମ୍ମଦ ସାମି, ଯଶପ୍ରୀତ ବୁମ୍‌ରା ଓ ସାର୍ଦ୍ଦୁଳ ଠାକୁର ଦଳକୁ ଫେରିଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ଖେଳିବା ବେଳେ ଆହତ ହୋଇଥିବା ୪ ପ୍ରମୁଖ ଖେଳାଳି ଦୁଇ ବାମହାତି ସ୍ପିନ୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଓ ଅକ୍ଷର ପଟେଲ ଏବଂ ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ଶୁବ୍‌ମାନ ଗିଲ୍‌ ଏହି ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିଛନ୍ତି। ତେବେ ଜାଡ଼େଜାଙ୍କ ସ୍ଥାନରେ ଅଫ୍‌ସ୍ପିନର ଜୟନ୍ତ ଯାଦବଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବାର ସୁଯୋଗ ମିଳିଛି। ଦକ୍ଷିଣ ଆଫ୍ରିକାର ପିଚ୍ ଓ ବାତାବରଣ ପେସ୍ ବୋଲିଂକୁ ସୁହାଇବ। ତେଣୁ ଭାରତୀୟ ଟେଷ୍ଟ ଦଳରେ ୬ ଜଣ ପେସ୍ ବୋଲର ଏବଂ ୨ ଜଣ ସ୍ପିନର ସ୍ଥାନ ପାଇଛନ୍ତି। ଭାରତୀୟ ମଧ୍ୟକ୍ରମ ବ୍ୟାଟିଂରେ କୌଣସି ପରିବର୍ତ୍ତନ ହୋଇନାହିଁ। ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଓ ଶ୍ରେୟାସ ଆୟର ଦଳରେ ରହିଛନ୍ତି। ଜାଡ଼େଜା ନ ଥିବାରୁ ବ୍ୟାଟିଂ ଅଲ୍‌ରାଉଣ୍ଡର ହନୁମା ବିହାରୀ ଦଳକୁ ଫେରିଛନ୍ତି। ଦଳରେ ୨ୟ ୱିକେଟ ରକ୍ଷକ ଭାବେ ଋଦ୍ଧିମାନ ଶାହା ଥିଲେ ହେଁ ଦଳକୁ ଫେରିଥିବା ଋଷଭ ପନ୍ତ୍ ପ୍ରଥମ ପସନ୍ଦର ୱିକେଟ ରକ୍ଷକ ହେବେ। କେ.ଏଲ୍‌. ରାହୁଲ ଓ ମୟଙ୍କ ଅଗ୍ରୱାଲଙ୍କ ମଧ୍ୟରୁ ଜଣେ ଇନିଂସ ଓପନ୍‌ କରିବେ। ଖରାପ ଫର୍ମ ସତ୍ତ୍ବେ ପେସ୍ ବୋଲର ଈଶାନ୍ତ ଶର୍ମା ଦଳରେ ସ୍ଥାନ ବଜାୟ ରଖିଛନ୍ତି। ନ୍ୟୁଜିଲାଣ୍ଡ ସିରିଜ୍‌ରେ ମୟଙ୍କ ଭଲ ବ୍ୟାଟିଂ କରିଥିଲେ।
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ଶୃଙ୍ଖଳାରେ ଡିସେମ୍ବର ୨୬ରୁ ପ୍ରଥମ ଟେଷ୍ଟ ସେଞ୍ଚୁରିଅନ୍‌ରେ, ଜାନୁଆରୀ ୩ରୁ ୨ୟ ଟେଷ୍ଟ ଜୋହାନସବର୍ଗରେ ଓ ୧୧ରୁ ୩ୟ ଟେଷ୍ଟ କେପ୍‌ ଟାଉନ୍‌ରେ ଖେଳାଯିବ। ପ୍ରଥମ ୨ଟି ଦିନିକିଆ ଜାନୁଆରୀ ୧୯ ଓ ୨୧ରେ ପାର୍ଲରେ ଏବଂ ୩ୟ ଦିନିକିଆ ଜାନୁଆରୀ ୨୩ରେ କେପ୍‌ ଟାଉନ୍‌ରେ ଖେଳାଯିବ।

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), କେ.ଏଲ୍‌. ରାହୁଲ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ଅଜିଙ୍କ୍ୟ ରାହାଣେ, ଶ୍ରେୟାସ ଆୟର, ହନୁମା ବିହାରୀ, ଋଷଭ ପନ୍ତ୍ ଓ ଋଦ୍ଧିମାନ ଶାହା (ଉଭୟେ ୱିକେଟ ରକ୍ଷକ), ଜୟନ୍ତ ଯାଦବ, ରବିଚନ୍ଦ୍ରନ ଅଶ୍ବିନ, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯଶପ୍ରୀତ ବୁମ୍‌ରା, ସାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ୍।
ଅତିରିକ୍ତ ଖେଳାଳି: ନବଦୀପ ସୈନି, ସୌରଭ କୁମାର, ଦୀପକ ଚହର ଓ ଆର୍ଜାନ୍ ନାଗସୱାଲା।

Hot this week

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

Related Articles

Popular Categories