ଡିଏମ୍‍କେ ଉତ୍ତରାଧିକାରୀ ଯୁଦ୍ଧ ସରିନି

0

ଚେନ୍ନାଇ: ଡିଏମକେର ଅନ୍ୟତମ ପ୍ରତିଷ୍ଠାତା ଦିବଂଗତ ଏମ୍‍ କରୁଣାନିଧିଙ୍କ ମୃତ୍ୟୁ ପରେ ବି ରାଜନୈତିକ ଉତ୍ତରାଧିକାରୀ ପଦ ପାଇଁ ଯୁଦ୍ଧ ଜାରି ରହିଛି। ଡିଏମ୍‍କେରୁ ବହିଷ୍କୃତ ନେତା ତଥା କରୁଣାନିଧିଙ୍କ ବଡ଼ ପୁଅ ଏମ୍‍ ଆଲାଗିରି ବାପାଙ୍କ ଏକ କାଂସ୍ୟ ପ୍ରତିମୂର୍ତ୍ତି ନିର୍ମାଣ କରିବେ ବୋଲି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସାନ ପୁଅ ଏମ୍‍ କେ ଷ୍ଟାଲିନ୍‍ଙ୍କୁ କରୁଣାନିଧି ତାଙ୍କ ଉତ୍ତରାଧିକାରୀ ଘୋଷିତ କରିବା ପରେ ଆଲାଗିରି ଏହାର ପ୍ରତିବାଦ କରିଥିଲେ। ଫଳରେ ଦଳବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ତାଙ୍କୁ କରୁଣାନିଧି ୨୦୧୪ରେ ଦଳରୁ ବହିଷ୍କାର କରିଥିଲେ। ସେହିବର୍ଷ ଷ୍ଟାଲିନ୍‍ଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିବା ଡିଏମ୍‍କେ ତାମିଲନାଡ଼ୁର ଗୋଟିଏ ହେଲେ ଲୋକସଭା ଆସନରେ ଜିତିପାରି ନଥିବାବେଳେ ବିଧାନସଭା ନିର୍ବାଚନରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏଆଇଏଡିଏମକେଠାରୁ ଶୋଚନୀୟ ପରାସ୍ତ ହୋଇଥିଲା। ଆଲାଗିରିଙ୍କୁ ଦଳରୁ ବହିଷ୍କାର କରିବାର ପ୍ରଭାବ ନିର୍ବାଚନରେ ପ୍ରତିଫଳିତ ହେଲା ବୋଲି ରାଜନୀତି ବିଶେଷଜ୍ଞମାନେ ମତ ଦେଇଥିଲେ। ତଥାପି ତାଙ୍କୁ ଦଳକୁ ଫେରାଇ ଆଣିବାକୁ କରୁଣାନିଧି ଇଚ୍ଛା ପ୍ରକାଶ କରି ନଥିଲେ। କରୁଣାନିଧିଙ୍କ ଦେହାନ୍ତ ପରେ ଡିଏମକେ କର୍ମୀଙ୍କ ସର୍ବାଧିକ ସମର୍ଥନ ତାଙ୍କ ପ୍ରତି ରହିଛି ଏବଂ ତାଙ୍କ ବିନା ଡିଏମ୍‍କେ ସମାଧି ନେଇଯିବ ବୋଲି ଆଲାଗିରି କହିଥିଲେ। ମାତ୍ର ଗତ ୨୮ ତାରିଖରେ ଷ୍ଟାଲିନ୍‍ଙ୍କୁ ସର୍ବସମ୍ମତିକ୍ରମେ ଦଳର ସୁପ୍ରିମୋ ଘୋଷଣା କରାଯିବା ପରେ ଆଲାଗିରି ମତ ପରିବର୍ତ୍ତନ କରି ଡିଏମ୍‍କେକୁ ଫେରିବା ପାଇଁ ପରୋକ୍ଷ ଭାବରେ ଇଚ୍ଛା ପ୍ରକାଶ କରିଥିଲେ। ଦଳକୁ ଫେରିଲେ ଷ୍ଟାଲିନ୍‍ଙ୍କୁ ନେତା ମାନିବାରେ ଅସୁବିଧା ନାହିଁ ବୋଲି ଆଲାଗିରି କହିଥିଲେ। କିନ୍ତୁ ଆଲାଗିରିଙ୍କ ଏହି ମନ୍ତବ୍ୟ ଉପରେ ଷ୍ଟାଲିନ୍‍ କୌଣସି ପ୍ରତିକ୍ରିୟା ଦେଇ ନଥିବାରୁ ଆଲାଗିରି ଏବେ କରୁଣାନିଧିଙ୍କୁ ନେଇ ସମାନ୍ତରାଳ ରାଜନୀତି ପାଇଁ ଉଦ୍ୟମ ଆରମ୍ଭ କରିଥିବା ରାଜନୀତି ବିଶାରଦମାନେ ମତ ଦେଇଛନ୍ତି।
ଆଲାଗିରିଙ୍କ ନିକଟତମ ମହଲରୁ ମିଳିଥିବା ସୂଚନା ଅନୁଯାୟୀ, ସେ ମଦୁରାଇ ସହରରେ କରୁଣାନିଧିଙ୍କ ଏକ କାଂସ୍ୟ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କୁ ଅନୁମତି ଦେବାକୁ ମଦୁରାଇ ଜିଲାପାଳଙ୍କୁ ଆଲାଗିରି ଆବେଦନ କରିଛନ୍ତି। ଏହାପୂର୍ବରୁ ଗତ ୫ ତାରିଖରେ ଆଲାଗିରି ତାଙ୍କ ସମର୍ଥକଙ୍କ ସହିତ ଏକ ଚେନ୍ନାଇର ମାରିନା ବିଚ୍‍ରେ ଏକ ବିଶାଳ ଶାନ୍ତି ପଦଯାତ୍ରା ଆୟୋଜନ କରିଥିଲେ। ଏହି ସମୟରେ ‘କାରମ୍‍ କୋରପୋମ୍‍ କାଝାଗାମ୍‍ କୋପୋମ୍‍’(ହାତ ମିଳାଅ ଓ ଦଳକୁ ସୁରକ୍ଷା ଦିଅ) ଧ୍ୱନିରେ ଆଖପାଖ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ଏହି ସବୁ ଘଟଣାକୁ ତର୍ଜମା କଲେ ଆଲାଗିରି ଡିଏମକେରେ ସମାନ୍ତରାଳ ଉତ୍ତରାଧିକାରୀ ରାଜନୀତି ଆରମ୍ଭ କରିଦେଇଥିବା ସ୍ପଷ୍ଟ ହେଉଛି। ଏହି ପରିପ୍ରେକ୍ଷୀରେ ଷ୍ଟାଲିନ୍‍ଙ୍କ ପାଇଁ ରାଜନୈତିକ ପଥ ସେତେଟା ସୁଗମ ହେବ ନାହିଁ ବୋଲି କୁହାଯାଉଛି।

Leave A Reply