ଟ୍ରକ୍ ଯାଇ ରାସ୍ତା ଦବିଲା, ଏସିଡ୍ ଫିଙ୍ଗିଲେ ଅଧ୍ୟାପକ
ଉତ୍ତରଭୁବନେଶ୍ୱର : ଟ୍ରକ୍ ଦ୍ୱାରା ରାସ୍ତା ଦବିବାକୁ କେନ୍ଦ୍ରକରି ପ୍ରଥମେ ଚାଳକ ଓ ହେଲପରଙ୍କ ସହ କଳି ତା’ ପରେ ସେମାନଙ୍କ ଉପରେ ପ୍ରତିପକ୍ଷ ଅଧ୍ୟାପକଙ୍କ ଏସିଡ୍ ମାଡ଼ ଘଟଣା ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ଟ୍ରକ୍ ଚାଳକ ଓ ହେଲ୍ପର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ଘଟିଛି ମଞ୍ଚେଶ୍ୱର ସତ୍ୟବିହାର ଅଞ୍ଚଳରେ। ପୁଲିସ ଅଧ୍ୟାପକ କୌଶିକ ମହାନ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୁଲିସ ସୂଚନା ଅନୁସାରେ, ରସୁଲଗଡ଼ ଅଞ୍ଚଳର ଜଣେ ଚାଳକ ଏବଂ ତାଙ୍କ ହେଲ୍ପର ଏକ ଘରର ଜିନିଷପତ୍ର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପୂର୍ବାହ୍ନରେ ସତ୍ୟବିହାରକୁ ଟ୍ରକ୍ ନେଇ ଯାଇଥିଲେ। ଜିନିଷପତ୍ର ଲଦିବା ପୂର୍ବରୁ ରାସ୍ତାଟି ଟ୍ରକ୍ ଚକା ଦ୍ୱାରା ଜଣେ ଅଧ୍ୟାପକଙ୍କ ଘର ସମ୍ମୁଖରେ ଦବି ଯାଇଥିଲା। ରାସ୍ତା ଦବିବା ଯୋଗୁଁ ଗାଡ଼ିଟି ଉଠିପାରି ନଥିଲା। ଫଳରେ କ୍ରେନ୍ ସହାୟତାରେ
ଗାଡ଼ିଟିକୁ ଉଠାଯାଇଥିଲା। ତେବେ ରାସ୍ତା ମରାମତି କରିବାକୁ ଅଧ୍ୟାପକ ଜଣକ ଚାଳକ ଏବଂ ହେଲ୍ପରଙ୍କୁ ବାଧ୍ୟ କରିଥିଲେ। ସେମାନେ ରାସ୍ତା ମରାମତି କରିବେ ନାହିଁ ବୋଲି ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଉକ୍ତ ଅଧ୍ୟାପକ ଚାଳକ ଏବଂ ହେଲ୍ପର ଉପରକୁ ଏସିଡ୍ ଫିଙ୍ଗି ଥିଲେ। ଏସିଡ୍ ଜ୍ୱାଳାରେ ହେଲପର ଏବଂ ଚାଳକ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ମଞ୍ଚେଶ୍ୱର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଥାନା ପିସିଆର ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ଅଧ୍ୟାପକକୁ ପୁଲିସ ଧରିଆଣି ଅଟକ ରଖି ପଚରା ଉଚରା କରୁଛି। ଆହତ ଚାଳକ କାହ୍ନୁ ମଲ୍ଲିକ ଏବଂ ହେଲ୍ପର ହସ୍ପିଟାଲରେ ଥିବା ବେଳେ ପୁଲିସ ସେମାନଙ୍କଠାରୁ ବୟାନ ରେକର୍ଡ କରିଛି। ଏ ସଂକ୍ରାନ୍ତରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚାରିବାରେ ଜଣାପଡ଼ିଛି ଯେ ସେ ଓଡ଼ିଶା ଇଂଜିନିୟରିଂ କଲେଜର ଅଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି। ଆତ୍ମ ରକ୍ଷା ପାଇଁ ସେ ଏକପ୍ରକାର ରାସାୟନିକ ପଦାର୍ଥ ପାଖରେ ରଖିଥିଲେ ବୋଲି ପୁଲିସକୁ କହିଛନ୍ତି। ଚାଳକ ଏବଂ ହେଲପର ତାଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିବାରୁ ସେ ସେମାନଙ୍କ ଉପରକୁ ଏହି ପଦାର୍ଥ ଫିଙ୍ଗିଥିବା ବୟାନରେ କହିଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।