ଭୂମିହୀନଙ୍କ ଜମି ମାଡ଼ିବସିଛନ୍ତି ମନ୍ତ୍ରୀ, ଶିଳ୍ପପତି ଓ ଅଫିସର !

0

ପୁରୀ: ଗରିବ ଭୂମିହୀନଙ୍କ ଜମି ମାଡି ବସିଛନ୍ତି ରାଜ୍ୟର କେତେକ ମନ୍ତ୍ରୀ, ଶିଳ୍ପପତି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ। ଜମି ଦୁର୍ନୀତି ପଦାକୁ ଆସିବା ମାତ୍ରେ ତହସିଲ ରେକର୍ଡ ରୁମ୍‍ରୁ ନଥିପତ୍ର ଗାଏବ କରି ଦିଆଯାଇଛି। ଭୂମିହୀନଙ୍କୁ ପୁରୀ ସଦର ତହସିଲ ଦେଇଥିବା ଜମି ଉପରେ ଫାର୍ମହାଉସ ଓ ହୋଟେଲ ନିର୍ମାଣ କରାଯାଉଛି। ଏହି ଜମିର ମୂଲ୍ୟ ୫୦କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ। ବ୍ରହ୍ମଗିରି ତହସିଲ ଅନ୍ତର୍ଗତ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଏହି ବିବାଦୀୟ ଜମି ରହିଛି। ସେଥିରେ କିଛି ଜଙ୍ଗଲ ଜମି ଥିଲେ ମଧ୍ୟ ତଞ୍ଚକତା କରାଯାଇ କିସମ ବଦଳାଇ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଶିପସରୁବାଲି ମୌଜାର ୨୦୦ଏକର ଜମି ଭୂମିହୀନଙ୍କୁ ପ୍ରଦାନ କରାଯାଇଥିଲା। ଜମି ପାଇଥିବା ଗରିବ ଲୋକେ ପୁରୀ ତହସିଲରେ ସଲାମି ଦାଖଲ କରିଥିଲେ। ସେମାନଙ୍କ ନାମରେ
ଖତିଆନ ପ୍ରସ୍ତୁତ କରାଯିବା ସହ ଖଞ୍ଜଣା ଆଦାୟ କରାଯାଇଥିଲା। ତେବେ ବାଲିହରଚଣ୍ଡୀ ମୁହାଣରେ ଏକ ବନ୍ଦର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ କେତେକ ରାଜନେତା ଓ ଅଫିସର ଗରିବଙ୍କଠାରୁ ଶାଗମାଛ ଦରରେ ଏହିସବୁ ଜମି କିଣି ନେଇଛନ୍ତି। ଅବାଧ ଗଛ କଟାଯାଇ ସେଠାରେ ପ୍ରାଚୀର ନିର୍ମାଣ କରାଯାଉଛି। ଏହାଛଡା ପୂର୍ବ ଜମିଦାରଙ୍କ ହାତପଟ୍ଟା ଏବଂ ଜାଲ୍‍ କାଗଜପତ୍ର ମାଧ୍ୟମରେ କିଛି ପ୍ରଭାବଶାଳୀ ବ୍ୟକ୍ତି ସେଠାରେ ଶହ ଶହ ଏକର ସରକାରୀ ଜମି ଆତ୍ମସାତ କରିଛନ୍ତି। ଭୂମିହୀନଙ୍କ ଜମି ହାତେଇଥିବା ତାଲିକାରେ ଜଣେ ମନ୍ତ୍ରୀ, ସାଂସଦ ଏବଂ ଆଇଏଏସ୍‍ ଅଫିସରଙ୍କ ପରିବାର ସଦସ୍ୟ ରହିଥିବା ଚର୍ଚ୍ଚାହେଉଛି। ଜିଲା କାରାଗାର ସ୍ଥାନାନ୍ତର ପାଇଁ ଜମି ଚିହ୍ନଟ କରାଯିବା ବେଳେ ଏହି ଘଟଣା ଜିଲା ପ୍ରଶାସନ ଦୃଷ୍ଟିକୁ ଆସିଛି। ବାଲିହରଚଣ୍ଡୀ ନିକଟକୁ ଜିଲା କାରାଗାର ସ୍ଥାନାନ୍ତର ପାଇଁ ୫୦ଏକର ଜମି ଚିହ୍ନଟ କରାଯାଇଥିଲା। ପୁରୀ ଉପଜିଲାପାଳ, ବ୍ରହ୍ମଗିରି ତହସିଲଦାର ଏବଂ ଜେଲ୍‍ ଅଧିକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ବ୍ରହ୍ମଗିରି ତହସିଲ ପକ୍ଷରୁ ତାହାକୁ ମାପଚୁପ କରାଯିବା ବେଳେ କେତେକ ପ୍ରଭାବଶାଳୀ ବ୍ୟକ୍ତି ବିରୋଧ କରିଥିଲେ। ଗୁମର ଖୋଜୁ ଖୋଜୁ ତାହା ଶତାଧିକ ଭୂମିହୀନ ଗରିବଙ୍କୁ ଆବଣ୍ଟନ କରାଯାଇଥିବା ଜଣାପଡିଥିଲା। ଭୂମିହୀନଙ୍କ ଜମିକୁ କିପରି କିଛି ପ୍ରତିପତ୍ତିଶାଳୀ ବ୍ୟକ୍ତି କିଣିଲେ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜମି ମହାଦୁର୍ନୀତି ରହସ୍ୟ ଉପରୁ ପରଦା ହଟିବା ପୂର୍ବରୁ ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ ଏବଂ ତହସିଲଦାରଙ୍କ ବଦଳି ହୋଇଯାଇଛି। ଜଙ୍ଗଲ ଜମି ସମ୍ପର୍କରେ ରିପୋର୍ଟ ଦେଇଥିବା ତଳିଆ ବନ ଅଧିକାରୀଙ୍କୁ ରାତାରାତି ଜିଲା ବାହାରକୁ ପଠାଇ ଦିଆଯାଇଛି। ବଡ଼ବଡିଆଙ୍କ ଚାପରେ ବାଲିହରଚଣ୍ଡୀ ପରିବର୍ତ୍ତେ କୋଣାର୍କ ନିକଟସ୍ଥ ବାଙ୍ଗର ରାଜସ୍ୱ ମୌଜାକୁ ଜିଲା କାରାଗାର ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ବାଲିହରଚଣ୍ଡୀ ନିକଟସ୍ଥ ଜମି ପୁରୀ ସଦର ତହସିଲ ଅଧୀନରେ ରହିଥିଲା। ଶିପସରୁବାଲି, ବାଲିହରଚଣ୍ଡୀ ଏବଂ ଅମଙ୍ଗ ବାରବାଟୀରେ ସିଲିଂ ବହିର୍ଭୁତ ଜମି ପ୍ରାୟ ୩ଶହ ଭୂମିହୀନଙ୍କୁ ବଣ୍ଟନ କରାଯାଇଥିଲା। ଓଡ଼ିଶା ଉପକୂଳରେ ଆଉ ୧୪ଟି ନୂଆ ବନ୍ଦର ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ଘୋଷଣା କରିବା ସହ କେତେକ ଘରୋଇ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହାପରେ ବାଲିହରଚଣ୍ଡୀ ମନ୍ଦିର ଏବଂ ମୁହାଣ ନିକଟରେ ଭୂମିହୀନ ତଥା ସରକାରୀ ଜମି ହାତେଇବାକୁ କିଛି ବ୍ୟକ୍ତିଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିଲା। ରାଜ୍ୟ ସରକାର ଏହି ଦୁର୍ନୀତିର ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦେଶ ଦେବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ବାଲିହରଚଣ୍ଡୀ ଜମି ଦୁର୍ନୀତି ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ। ଅଭିଯୋଗ ମିଳିଲେ ତଦନ୍ତ କରାଯିବା ସହ ଜମି ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହେବ।

kalyan agarbati
Leave A Reply