ବିଶ୍ବ ଚମ୍ପିଆନସିପ୍‌ ସୁଟିଂ: ଜୁନିୟର ବର୍ଗରେ ଭାରତକୁ ଆଉ ୨ ସ୍ବର୍ଣ୍ଣ

0

ଚାଙ୍ଗ୍‌ୱନ୍‌(ଦକ୍ଷିଣ କୋରିଆ): ଏଠାରେ ଚାଲିଥିବା ବିଶ୍ବ ଚମ୍ପିଆନସିପ୍‌ ସୁଟିଂରେ ଶୁକ୍ରବାର ଭାରତକୁ ଆଉ ୨ଟି ସ୍ବର୍ଣ୍ଣପଦକ ମିଳିଛି। ଜୁନିୟର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ହୃଦୟ ହଜାରିକା ସ୍ବର୍ଣ୍ଣପଦକ ଜିତିଥିବାବେଳେ ଜୁନିୟର ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ମଧ୍ୟ ଭାରତକୁ ସ୍ବର୍ଣ୍ଣପଦକ ମିଳିଛି। ଶୁକ୍ରବାର ଜୁନିୟର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ହୃଦୟ ୨୫୦.୧ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଇରାନର ମହମ୍ମଦ ଅମୀର ନିଓକୌନାମ୍‌ଙ୍କୁ ରୌପ୍ୟ ଓ ରୁଷର ଗ୍ରିଗୋରି ସାମାକୋଭ୍‌ଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି ା ୧୬ ବର୍ଷୀୟ ହୃଦୟ ଯୋଗ୍ୟତା ପର୍ଯ୍ୟାୟରେ ୬୨୭.୩ ପଏଣ୍ଟ ସ୍କୋର କରି ଏକମାତ୍ର ଭାରତୀୟ ଭାବେ ଫାଇନାଲକୁ ଉନ୍ନୀତ ହୋଇଥିଲେ। ତେବେ ଫାଇନାଲ ରାଉଣ୍ଡରେ ଉଭୟ ହୃଦୟ ଓ ନିଓକୌନାମ୍‌ ପ୍ରତ୍ୟେକ ୨୫୦.୧ ପଏଣ୍ଟ ସ୍କୋର କରି ସମାନ ସ୍ଥିତିରେ ରହିଥିଲେ। ଏହି ପରିପ୍ରେକ୍ଷୀରେ ଟାଇବ୍ରେକରର ସହାୟତା ନିଆ ଯାଇଥିଲା। ହୃଦୟ ୧୦.୩ ପଏଣ୍ଟ ସ୍କୋର କରି ସ୍ବର୍ଣ୍ଣପଦକ ଜିତିଥିବାବେଳେ ନିଓକୌନାମ୍‌ ୧୦.୨ ପଏଣ୍ଟ ପାଇ ରୌପ୍ୟହାସଲ କରିଥିଲେ ା ତେବେ ହୃଦୟ ହଜାରିକା, ଦିବ୍ୟାଂଶ ପାନୱାର ଓ ଅର୍ଜୁନ ବାବୁତାଙ୍କୁ ନେଇ ଗଠିତ ଦଳ ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ୧୮୭୨. ୩ ପଏଣ୍ଟ ସ୍କୋର କରି ୪ର୍ଥ ସ୍ଥାନ ଅଧିକାର କରିଛନ୍ତି ା
ଅପରପକ୍ଷରେ ଇଲାଭେନିଲ ଭାଲାରିଭାନ୍‌, ଶ୍ରେୟା ଅଗ୍ରୱାଲ ଓ ମାନିନୀ କୌଶିକ୍‌ଙ୍କୁ ନେଇ ଗଠିତ ଭାରତୀୟ ଦଳ ମହିଳା ୧୦ ମିଟର ଏୟାର ରାଇଫଲ ଦଳଗତ ଇଭେଣ୍ଟରେ ୧୮୮୦.୭ ପଏଣ୍ଟ ସ୍କୋର କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ସ୍ବର୍ଣ୍ଣପଦକ ଜିତିଛନ୍ତି। ଏଥିମଧ୍ୟରୁ ବ୍ୟକ୍ତିଗତ ଭାବେ ଭାଲାରିଭାନ ୬୩୧, ଶ୍ରେୟା ୬୨୮.୫ ଓ ମାନିନୀ ୬୨୧.୨ ପଏଣ୍ଟ ସ୍କୋର କରିଥିଲେ ା ତେବେ ସିନିୟର ବିଭାଗରେ ଭାରତୀୟ ସୁଟରଙ୍କୁ ନିରାଶ ହେବାକୁ ପଡିଛି ା ସିନିୟର ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ କୌଣସି ଭାରତୀୟ ସୁଟର ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇ ପାରିନାହାନ୍ତି। ଏସୀୟ କ୍ରୀଡାର ରୌପ୍ୟପଦକ ବିଜେତା ସଞ୍ଜୀବ ରାଜପୁତ୍‌ ଏହି ଇଭେଣ୍ଟରେ ୧୧୫୮ ପଏଣ୍ଟ ସହ ୫୮ତମ ସ୍ଥାନ ଅଧିକାର କରିଥିବାବେଳେ ସ୍ବପ୍ନିଲ କୁଶାଲେ (୧୧୬୧ ପଏଣ୍ଟ) ୫୫ତମ ଓ ଅଖିଲ ସିଓରାନ୍‌ (୧୧୬୭) ୪୪ତମ ସ୍ଥାନ ଅଧିକାର କରିଛନ୍ତି। ପୁରୁଷ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଦଳଗତ ଇଭେଣ୍ଟରେ ସଞ୍ଜୀବ, ସ୍ବପ୍ନିଲ ଓ ଅଖିଲଙ୍କୁ ନେଇ ଗଠିତ ଭାରତୀୟ ଦଳ ମୋଟ ୩୫୦୫ ପଏଣ୍ଟ ସ୍କୋର ୧୧ଶ ସ୍ଥାନ ଅଧିକାର କରିଛନ୍ତି ା

kalyan agarbati
Leave A Reply