ମୃତ୍ୟୁର ନାମ ଶୁଣିବା ମାତ୍ରେ ଆମେ ଚମକି ପଡ଼ୁ। ମାମୁଲି ରୋଗଟିଏ ପାଇଁ ମରିଯିବା ଆଶଙ୍କାରେ ଡାକ୍ତରଙ୍କ ନିକଟକୁ ଯାଉ। ପୀଡ଼ିତ ଥିବା ସମୟରେ ମୃତ୍ୟୁରୁ ରକ୍ଷା ପାଇବା ନିମେନ୍ତ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର’ ଜପ କରାଉ। ମହର୍ଷି ପତଞ୍ଜଳି ମୃତ୍ୟୁଭୟକୁ ମନୁଷ୍ୟର ଅଭିନିବେଶ ବା ମହାଦୁଃଖ ନାମ ଦେଇଛନ୍ତି। ପ୍ରଶ୍ନ ଉଠେ, ସବୁବେଳେ ଆମେ ମୃତ୍ୟୁଭୟରେ ଉପସ୍ଥିତ ଜୀବନକୁ ଆଶଙ୍କିତ କରିବା ଉଚିତ କି? ମହାଭାରତରେ ଯକ୍ଷ-ଯୁଧିଷ୍ଠିର ସମ୍ବାଦବେଳେ ଯକ୍ଷ ପଚାରନ୍ତି- ‘ସଂସାରରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କ’ଣ? ଯୁଧିଷ୍ଠିର ଉତ୍ତର ଦିଅନ୍ତି- ‘ଅହନି ଅହନି ଭୂତାନି ଗଚ୍ଛନ୍ତୀହ ଯମାଳୟମ୍। ଶେଷାଃ ସ୍ଥାବରମିଚ୍ଛନ୍ତି କିମାଶ୍ଚର୍ଯ୍ୟମତଃ ପରମ୍।’- ପ୍ରତିଦିନ ପ୍ରାଣୀମାନେ ମୃତ୍ୟୁବରଣ କରନ୍ତି, ସେହି ଦୃଶ୍ୟ ଦେଖୁଥାଇ ମଧ୍ୟ ଲୋକେ ଚିରକାଳ ଜୀବିତ ରହିବାର ଇଚ୍ଛା ପୋଷଣ କରନ୍ତି। ଯୁବରାଜା ଭୋଜଙ୍କର ପିତାଙ୍କର ମୃତ୍ୟୁ ପରେ ରାଜାଙ୍କର ଭାଇ ନାବାଳକ ପୁତୁରା ଭୋଜଙ୍କୁ ହତ୍ୟା କରି ସିଂହାସନ ଦଖଲ ପାଇଁ ଷଡ଼ଯନ୍ତ୍ର କଲେ। ସେ ପୁତୁରା ଭୋଜଙ୍କୁ ନିହତ କରିବା ଲାଗି କେତେଜଣ ଅନୁଚରଙ୍କ ସହିତ ବନକୁ ପଠାଇଲେ।
ସେଠାରେ ସେମାନେ ଭୋଜଙ୍କୁ ସମାପ୍ତ କରିଦେବାପାଇଁ ଉଦ୍ୟତ ହେବା ସମୟରେ ସେ କକାଙ୍କ ନିକଟକୁ ଏକ ଚିଠି ଲେଖିଲେ ଓ ଚିଠିର ଉତ୍ତର ପାଇବା ପର୍ଯ୍ୟନ୍ତ ରାଜକର୍ମଚାରୀମାନଙ୍କୁ ଅପେକ୍ଷା କରିବା ପାଇଁ ଅନୁରୋଧ କଲେ। ଜଣେ ଅନୁଚର ସେହି ଚିଠିଟି ନେଇ ରାଜବାଟୀରେ ପହଞ୍ଚିଲେ। ଚିଠିରେ ଉଲ୍ଲେଖ ଥିଲା-‘ମାନ୍ଧାତା ଚ ମହୀପତିଃ କୃତଯୁଗେ ଲଙ୍କାରଭୂତୋ ଗତଃ। ସେତୁର୍ଯେନ ମହଦଧୌ ବିରଚିତଃ କ୍ବ ଅସୌ ଦଶସ୍ୟାନ୍ତକଃ। ଅନ୍ୟେ ଚାପି ଯୁଧିଷ୍ଠିର ପ୍ରଭୃତୟୋଃ ୟାତା ଦିବଂ ଭୂପତେ ନୈକେନାପି ସମଂଗତା ବସୁମତୀ ନୂନଂ ତ୍ବୟା ଯାସ୍ୟତି- ସତ୍ୟଯୁଗର ମାନ୍ଧାତା ଚାଲିଗଲେ। ସମୁଦ୍ର ଉପରେ ସେତୁ ନିର୍ମାଣ କରି ରାବଣକୁ ବଧ କରିଥିବା ରାମଚନ୍ଦ୍ର ଆଜି ନାହାନ୍ତି। ଯୁଧିଷ୍ଠିର ଆଦି ସମ୍ରାଟମାନେ ପରଲୋକ ଗମନ କଲେ। କାହା ସହିତ ଧନଦୌଲତ ଓ ରାଜସିଂହାସନ ଗଲା ନାହିଁ। ତଥାପି ହେ ମୁଂଜ! ତୁମେ ବିଚାରୁ ଅଛ ଯେ ଏହି ରାଜ୍ୟ ତୁମ ସହିତ ଯିବ।’ ମୁଂଜ ପତ୍ରଟି ପଢ଼ିବା ପରେ ତାଙ୍କର ଜ୍ଞାନୋଦୟ ହେଲା। ସେଙ୍ଗସଙ୍ଗେ ସେ ଭୋଜଙ୍କୁ ରାଜବାଟୀଙ୍କୁ ଫେରାଇ ଆଣିଲେ।
ମୃତ୍ୟୁକୁ ଭୟ କରିବାର କେତୋଟି କାରଣ ହେଉଛି- (କ) ମୃତ୍ୟୁର ପ୍ରକୃତ ସ୍ବରୂପକୁ ନ ବୁଝିବା (ଖ) ଇହଜୀବନର ଜ୍ଞାତି-ପରିଜନମାନଙ୍କ ସହିତ ଚିରଦିନ ବାସ କରିବାର ଆକାଙ୍କ୍ଷା ରଖିବା (ଗ) ମନରେ ମୃତ୍ୟୁ ସମୟର ଯନ୍ତ୍ରଣା କଳନା କରି ଭୟଭୀତ ହେବା। ଜନ୍ମମୃତ୍ୟୁ ଆମ ଅଧିକାରରେ ନାହିଁ। ନିଜ କର୍ମଫଳ ଅନୁସାରେ କେତେବେଳେ ଜନ୍ମ ନେବା ତାହା ପ୍ରଭୁଙ୍କର ନ୍ୟାୟ ବ୍ୟବସ୍ଥାର ଅଧୀନ ଅଟେ। ବେଦ କହନ୍ତି- ପକ୍ତାରଃ ପକ୍ବଃ ପୁନରାବିଶାତି-ପାଚକ ରାନ୍ଧିଥିବା ଖାଦ୍ୟ ନିଜେ ମଧ୍ୟ ଖାଏ। ବାଛୁରୀ ଯେପରି ଗୋଠ ଭିତରେ ନିଜ ମାଆ ଗାଈକୁ ଖୋଜିଖୋଜି ତା’ ପାଖରେ ପହଞ୍ଚିଯାଏ, ସେହିପରି କର୍ମଫଳ କର୍ତ୍ତା ନିକଟକୁ ଆପେଆପେ ଚାଲିଯାଏ।
ଶାସ୍ତ୍ରକାରମାନେ ଲେଖିଛନ୍ତି ଯେ ମରଣ ଆସନ୍ନ ହେବାବେଳେ ମନୁଷ୍ୟ ନିଜ ଜୀବନକାଳରେ କରିଥିବା କର୍ମଗୁଡ଼ିକ ତା’ ମନକୁ ଆସେ। ବିଶ୍ବବିଜୟୀ ସିକନ୍ଦର ମୃତ୍ୟୁଶଯ୍ୟାରେ ପଡ଼ି ରାଜ୍ୟଲୋଭ ପାଇଁ କରିଥିବା ନୃଶଂସ କର୍ମଗୁଡ଼ିକୁ ଭାବି ଭାବି ଅନୁତପ୍ତ ହୋଇଥିଲେ। ମୃତ୍ୟୁର ଭୟଙ୍କର ରୂପ ତାଙ୍କୁ ଭୟଙ୍କର ଯନ୍ତ୍ରଣା ଦେଉଥିଲା। ଅନ୍ୟ ପକ୍ଷରେ ସକ୍ରେଟିସ୍, ମହାନ୍ ଶଙ୍କରାଚାର୍ଯ୍ୟ, ମହର୍ଷି ଦୟାନନ୍ଦ ପ୍ରମୁଖ ନିଜନିଜ ଜୀବନକୁ ସଫଳ କରିଥିବାରୁ ପରମାତ୍ମାଙ୍କୁ କୃତଜ୍ଞତା ଅର୍ପଣ କରି ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଏପରି କି ସେମାନଙ୍କଠାରେ ବିଷପ୍ରୟୋଗ କରିଥିବା ଦୁର୍ଜନମାନଙ୍କୁ କ୍ଷମା ଦେବା ନିମନ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ।
ଆମେ ଗୋଟିଏ ଘର ଛାଡ଼ି ଏକ ନୂଆ ଘରକୁ ଯାଇ ରହିବାବେଳେ ଆମ ମନରେ ବିଷାଦ ଆସେ ନାହିଁ। ଆଜକୁ ପାଞ୍ଚହଜାର ବର୍ଷ ପୂର୍ବେ ଶ୍ରୀକୃଷ୍ଣ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କୁ ବୁଝାଇଥିଲେ ‘ବାସାଂସି ଜୀର୍ଣ୍ଣାନି ଯଥା ବିଦାୟ ନବାନି ଗୃହ୍ଣାତି ନରୋପରାଣି, ତଥା ଶରୀରାଣି ବିହାୟ ଜୀର୍ଣ୍ଣା ନ୍ୟନ୍ୟାନି ସଂଯାତି ନବାନି ଦେହି’ ଅର୍ଥାତ୍ ମୃତ୍ୟୁର ଅର୍ଥ ପୁରୁଣା ଲୁଗା ତ୍ୟାଗକରି ନୂଆ ଲୁଗା ପିନ୍ଧିବା। ଆତ୍ମା ଅମର, ପରନ୍ତୁୁ ପ୍ରତ୍ୟେକ ଜନ୍ମରେ ତାହାର ଦେହ ବଦଳୁଥାଏ। ସେ କେତେବେଳେ ପୁରୁଷ କେତେବେଳେ ସ୍ତ୍ରୀ, ପଶୁପକ୍ଷୀର ଜନ୍ମ ପାଉଥାଏ। ଜୀବନର ନଶ୍ବରତାକୁ ଯଜୁର୍ବେଦ (୩୫,୪) ମନ୍ତ୍ର କହନ୍ତି- ‘ଅଶ୍ବତ୍ଥେ ବା ନିଷଦନମ୍, ପତ୍ରେ ବୋ ବସତିକୃତାଃ’- ଅ=ନୁହେ, ଶ୍ବଃ= ଆସନ୍ତାକାଲି, ତ୍ଥ= ସ୍ଥିତି। ଅର୍ଥାତ୍ ଜୀବନ କାଲିକୁ ରହିବ କି ନାହିଁ ତାହାର ନିଶ୍ଚିତତା ନାହିଁ। ଅଶ୍ବତ୍ଥ ବା ଓସ୍ତ ଗଛର ପତ୍ର ହାଲୁକା ଓ ସବୁବେଳେ ହଲୁଥାଏ। କେତେବେଳେ ତଳେ ପଡ଼ିଯିବ ତାହାର ଠିକଣା ନ ଥାଏ। ମନୁଷ୍ୟର ଜୀବନ ମଧ୍ୟ ସେପରି କ୍ଷଣସ୍ଥାୟୀ।
ମୃତ୍ୟୁ ଭୟରୁ ଉଦ୍ଧାର ପାଇଥିବା ଦୁଇଜଣ ବେଦ ସାଧକଙ୍କର ଅନୁଭୂତି ଏଠାରେ ଉଲ୍ଲେଖ କରାଯାଉଛି- (କ) ଅକାଶୋ ଧୀରୋ ଅମୃତଃ ସ୍ବୟଂଭୂ ରସେନ ତୃପ୍ତୋ ନ କୁତଶ୍ଚନୋନ। ତମେବ ବିଦିତ୍ବା ନି ବିଭୟ ମୃତ୍ୟୋଃ ଆତ୍ମାନଂ ଧୀରଂ ଅଜରଂ ଯୁବାନାମ୍। (ଅଥର୍ବବେଦ ୧୦,୮.୪୪) ଯେଉଁ ପରମାତ୍ମା କାମନାଶୂନ୍ୟ, ପ୍ରଶାନ୍ତ, ଅବିନାଶୀ, ସ୍ବୟଂଭୂ ଓ ଆନନ୍ଦରସରେ ପରିପୂର୍ଣ୍ଣ, ତାଙ୍କର ସ୍ବରୂପକୁ ଉପଲବ୍ଧି କରିବା ପରେ ମୃତ୍ୟୁର ଭୟ ମନରୁ ଦୂର ହୁଏ। (ଖ) ‘ବେଦାହମେତଂ ପୁରୁଷଂ ମହାନ୍ତଂ ଆଦିତ୍ୟବର୍ଣ୍ଣଂ ତମସଃ ପରସ୍ତାତ୍, ତମେବ ବିଦିତ୍ବ ଅତି ମୃତ୍ୟୁମେତି ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ।’ (ଯଜୁର୍ବେଦ ୩୧,୮) ମୁଁ ବ୍ରହ୍ମାଣ୍ଡ ପୁରୁଷ, ସର୍ବତୋ ମହାନ୍, ଅଖଣ୍ଡନୀୟ, ଅନ୍ଧକାରମୁକ୍ତ ପରମାତ୍ମାଙ୍କୁ ଅନୁଭବ କରେ। ସେହି ଅନୁଭବ ଛଡ଼ା ଅନ୍ୟ କୌଣସି ଉପାୟରେ ମୃତ୍ୟୁଭୟରୁ ଉଦ୍ଧାର ପାଇବାର ପନ୍ଥା ନାହିଁ।


