www.samajalive.in
Saturday, December 13, 2025
26.1 C
Bhubaneswar

ତାଲିବାନ ମନ୍ତ୍ରିମଣ୍ଡଳ ଘୋଷିତ

ପଞ୍ଜଶିର ସମ୍ପୂର୍ଣ୍ଣ ଭାବେ ଆମ ନିୟନ୍ତ୍ରଣରେ: ତାଲିବାନ, ବିରୋଧ କିମ୍ବା ବିଶୃଙ୍ଖଳା କଲେ ବରଦାସ୍ତ କରାଯିବନି

କାବୁଲ : ତାଲିବାନ ପକ୍ଷରୁ ସୋମବାର ପୁନର୍ବାର ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ହୋଇଥିବା ଓ ୨୪ ଘଣ୍ଟା ମଧ୍ୟରେ ଏହା ଶପଥ ଗ୍ରହଣ କରିବା ସମ୍ପର୍କରେ ଘୋଷଣା କରାଯାଇଛି। ତାଲିବାନର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଯେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆମ ସରକାର ଗଠନ ହେବାକୁ ଯାଉଛି। ଏହା ଏକ ଅସ୍ଥାୟୀ ସରକାର ହୋଇଥିଲେ ମଧ୍ୟ ସ୍ଥିର ଶାସନ ପ୍ରଦାନ କରିବ। ତାଲିବାନର ମୁଖ୍ୟ ନିଷ୍ପତ୍ତି ନିର୍ଦ୍ଧାରଣକାରୀ ତଥା ‘ରେହାବରୀ ସୁରା’ର ମୁଖ୍ୟ ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦଙ୍କ ନେତୃତ୍ବରେ ସରକାର ଗଠନ ହେବ ଏବଂ ଏଥିରେ ମୁଲ୍ଲା ବରାଦର ଅଖୁନ୍ଦ ଓ ମୁଲ୍ଲା ଆବଦସ୍‌ ସଲାମ ଦୁଇ ଉପ-ମୁଖ୍ୟ ରହିବେ। ହକାନୀ ନେଟ୍‌ୱର୍କ ନେତା ସିରାଜୁଦ୍ଦିନ ହକାନୀ ଦେଶର ଆଭ୍ୟନ୍ତରୀଣ ମନ୍ତ୍ରୀ ହେବେ। ସେ ସମସ୍ତ ରାଜ୍ୟପାଳଙ୍କୁ ମନୋନୀତ କରିବେ। ମୁଲ୍ଲା ଅମିର ଖା​ଁ ମୁତ୍ତାକି ବୈଦେଶିକ ମନ୍ତ୍ରୀ ହେବେ ବୋଲି ସେ ସ୍ପଷ୍ଟ କରିଛନ୍ତି। ସରକାରରୁ ଦୋହା ଆଲୋଚନାରେ ସାମିଲ କାହାକୁ ସ୍ଥାନ ମିଳି ନାହିଁ। ମୁଲ୍ଲା ହୈବାତୁଲ୍ଲା ଅଖୁନ୍ଦଜାଦା ଶାସନର ସର୍ବୋଚ୍ଚ କର୍ତ୍ତା ରହିବା ନେଇ ପୂର୍ବରୁ ଘୋଷଣା ହୋଇଛି। ପ୍ରମୁଖ ତାଲିବାନ ନେତାଙ୍କୁ ନେଇ ଗଠିତ ପରିଷଦର କାର୍ଯ୍ୟକାରୀ ସମିତି ସଦସ୍ୟମାନେ ମୁଲ୍ଲା ଅବଦୁଲ ଘନି ବରାଦର ଅଧ୍ୟକ୍ଷ ରହିବେ। ସରକାରରେ କୌଣସି ମହିଳାଙ୍କୁ ସାମିଲ କରାଯିବାର ନାହିଁ। ନୂଆ ସରକାର ଗଠନ ଉତ୍ସବକୁ ପାକିସ୍ତାନ, ଚୀନ୍‌, ରୁଷିଆ, କାତାର, ତୁର୍କୀ, ଓ ଇରାନ ଭଳି ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରୁ କେବଳ କାତାର ସହିତ ଆମେରିକାର ଭଲ ସମ୍ପର୍କ ରହିଛି। ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ପୂର୍ବରୁ ମୁଲ୍ଲା ଅବଦୁଲ ଘନି ବରାଦର ଶାସନ ମୁଖ୍ୟ ହେବେ ଏବଂ ଦୋହା ଗୋଷ୍ଠୀରୁ ୮୦ ପ୍ରତିଶତ ସରକାରରେ ସ୍ଥାନ ପାଇବେ ବୋଲି କୁହାଯାଇଥିଲା।

ଜବିହୁଲ୍ଲା ମୁଜାହିଦ

ମୁଜାହିଦ କହିଛନ୍ତି ଯେ ‘ପଞ୍ଜଶିର ଦଖଲ ହୋଇସାରିଛି, ଏହାର‌ା ସମସ୍ତ ୮ ଜିଲା ଆମ ଅଧୀନକୁ ଆସିଛି; ଯୁଦ୍ଧ ମଧ୍ୟ ଶେଷ ହୋଇଛି। ଆଫଗାନିସ୍ତାନର ଶେଷ ସ୍ବାଧୀନ ପ୍ରଦେଶ ପଞ୍ଜଶିରକୁ ତାଲିବାନ ଦଖଲ କରିବା ସହ ଏହାର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ପତାକା ଉ​​ତ୍ତୋଳନ କରାଯାଇଛି। ପଞ୍ଜଶିରର ଜାତୀୟ ପ୍ରତିରୋଧ ବାହିନୀ ମେଣ୍ଟ ତଥା ନଦର୍ଣ୍ଣ ଆଲାଏନ୍ସର ପରାଜୟ ଘଟିଛି। ଏହାର ମୁଖପାତ୍ର ତଥା ବିଶିଷ୍ଟ ସାମ୍ବାଦିକ ଫହିମ ଦସ୍ତି, ମୁଖ୍ୟ କମାଣ୍ଡର ସାଲେ ମହମ୍ମଦଙ୍କ ସମେତ ପ୍ରମୁଖ ନେତା ଗୁଲ୍‌ ହାଇଦର ଖାଁ, ମୁନିବ ଅମିରି, ଅହମ୍ମଦ ଶାହା ମାସୁଦଙ୍କ ପୁତୁରା ସାହିବ ଅବଦୁଲ ୱାଦୁଦ ଝୋରଙ୍କର ମୃତ୍ୟୁ ଘଟିଛି। ଅନ୍ୟମାନଙ୍କୁ ପ୍ରଦେଶରୁ ତଡ଼ି ଦିଆଯାଇଛି ଏବଂ ଆଉ କିଛି ଦେଶ ଛାଡ଼ି ପଳାୟନ କରିଛନ୍ତି। ପ୍ରତିରୋଧୀଙ୍କ ନେତୃତ୍ବ ନେଉଥିବା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେଙ୍କର ପତ୍ତା ମିଳୁ ନାହିଁ। ସେ ଦେଶ ଛାଡ଼ି ତାଜିକିସ୍ତାନ ପଳାଇଛନ୍ତି। ଏହା ସତ୍ତ୍ବେ ପଞ୍ଜଶିରବାସୀଙ୍କର କୌଣସି କ୍ଷତି ହେବ ନାହିଁ। ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ଓ ସମ୍ମାନର ସହ ଅବସ୍ଥାନ କରିବାର ସୁଯୋଗ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଅବସରରେ ସେ ପାକିସ୍ତାନର ସରକାରୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ହମିଦ ଫୈଜ୍‌ ତାଲିବାନ ନେତା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଗୁଲବୁଦ୍ଦିନ ହେକ୍‌ମତ୍ୟାରଙ୍କୁ ଭେଟିଥିବା ସ୍ବୀକାର କରିଛନ୍ତି। ପୁନଶ୍ଚ ଆଫଗାନିସ୍ତାନର ପୂର୍ବ ସରକାରୀ ସେନାକୁ ନୂଆ ଶାସକ ସହିତ କାମ କରିବାକୁ ଓ ଏହାର ନୀତି ନିୟମ ଅନୁପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି। ମୁଜାହିଦ କହିଛନ୍ତି ଯେ ଗତ ଦୁଇ ଦଶନ୍ଧି ଧରି ତାଲିମ ନେଇଥିବା ପୂର୍ବତନ ସରକାରଙ୍କ ସୈନିକଙ୍କ ମଧ୍ୟରୁ ଯେଉଁମାନେ ନୂଆ ସୈନ୍ୟବାହିନୀରେ ସାମିଲ ହେବାକୁ ଆଗ୍ରହୀ ସେମାନଙ୍କୁ ଏଥିପାଇଁ ସୁଯୋଗ ଦିଆଯିବ ବୋଲି କହିଛନ୍ତି।
ଏଥିସହିତ ‘ଆଫଗାନିସ୍ତାନ ବା ତାଲିବାନ ବିରୋଧରେ ଯିଏ ଅସ୍ତ୍ର ଉତ୍ତୋଳନ କରିବ ସେ ଆମର ଶତ୍ରୁ; ତାଙ୍କୁ ପଞ୍ଜଶିର ଓ ଆମେରିକା ଭଳି ଅବସ୍ଥା ଭୋଗିବାକୁ ପଡ଼ିବ। ଇସ୍‌ଲାମିକ୍‌ ଏମିରେଟ ଅଫ ଆଫଗାନିସ୍ତାନରେ କୌଣସି ବିଶୃଙ୍ଖଳାର ସ୍ଥାନ ନାହିଁ। ଏହାକୁ ବରଦାସ୍ତ କରାଯିବ ନାହିଁ। ଆକ୍ରମଣକାରୀ କେବେ ଆମ ଦେଶର ପୁନର୍ଗଠନ କରିପାରିବ ନାହିଁ। ଆମେ ଆମ ଦେଶବାସୀଙ୍କ ଦାୟିତ୍ବ ନେଇପାରିବୁ’ ବୋଲି ସେ ସ୍ପଷ୍ଟ କରିଛନ୍ତି। ଚୀନ୍‌ ବିଶ୍ବର ବୃହତ୍‌ ଆର୍ଥିକ ଶକ୍ତି ଭାବେ ସମସ୍ତ ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛି। ପାକିସ୍ତାନ ମଧ୍ୟ ନିଜର ବନ୍ଦୀ ନାଗରିକଙ୍କ ମୁକ୍ତି ଚାହୁଁଛି। ତାଲିବାନ ସରକାର ବିଶ୍ବର ସମସ୍ତ ରାଷ୍ଟ୍ରଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିବାକୁ ଉଦ୍ୟମ କରିବ ବୋଲି ମୁଜାହିଦ କହିଛନ୍ତି। ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ସରକାର ଗଠନରେ ବିଳମ୍ବ ହେଉଥିବା ବିଷୟ ଯାହା ପ୍ରଚାର ହେଉଛି ତାହା ଭୁଲ ଓ ତାଲିବାନ ବିରୋଧୀଙ୍କ ଅପପ୍ରଚାର ବୋଲି ମୁଜାହିଦ ଦାବି କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories