ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ୱନାଥ ବିଦ୍ୟାପୀଠରେ ରାଜ୍ୟ ସରକାରଙ୍କର ୫-ଟି ବିଭାଗ ଦ୍ୱାରା ବିଦ୍ୟାଳୟ ରୂପାନ୍ତକରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବିଡିଓ ଅରୁଣ କୁମାର ଦାସ ଶୁକ୍ରବାର ସକାଳେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ପ୍ରଧାନଶିକ୍ଷକ ରୁଦ୍ରନାରାୟଣ ସାମଲ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସ୍ଥିତି ସଂପର୍କରେ ସଂପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ବିଦ୍ୟାଳୟ ରୂପାନ୍ତକରଣ ଯୋଜନାରେ ୨ଟି ସ୍ମାର୍ଟ ଶ୍ରେଣୀ କକ୍ଷ, ଇ-ଗ୍ରନ୍ଥାଘର ଓ ବିଜ୍ଞାନାଗାରର ନବୀକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇସାରିଛି। ଖେଳପଡିଆ, ସାଇକେଲ ଷ୍ଟାଣ୍ଡ, ମୁଖ୍ୟଫାଟକ ଓ ତୋରଣ ନିର୍ମାଣ, ବିଦ୍ୟାଳୟ ପରିସରରେ ବାଲା ଯୋଜନା ଭଳି ଚିତ୍ରକଳା କାର୍ଯ୍ୟ ଆଦି ଦ୍ରୁତଗତିରେ ଆଗେଇ ଚାଲିଛି।
ଏଥି ସହିତ ମୋ ସ୍କୁଲ ଅଭିଯାନ ଯୋଜନାରେ ଅତ୍ୟାଧୁନିକ ଶୌଚାଳୟ ଓ ବଗିଚା କାର୍ଯ୍ୟ ମଧ୍ୟ ଆଗେଇ ଚାଲିଥିବା ପ୍ରଧାନ ଶିକ୍ଷକ ଶ୍ରୀ ସାମଲ ପ୍ରକାଶ କରିଥିଲେ। ଏହି ସମୀକ୍ଷା ବୈଠକରେ ସ୍କୁଲ ପରିଚାଳାନା କମିଟି ସଭାପତି ବିଜୟ କୁମାର ସାହୁ, ଏନଏସି ନିର୍ବାହୀ ଅଧିକାରୀ ଆଶାଲତା ରଚମାଳା, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ର ବୈଷୟିକ ସଂଯୋଜକ ବନୋଜ କୁମାର ବେଉରା, ଏନଏସି କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଶତପଥୀ, ପୁରାତନ ଛାତ୍ର ସଂସଦ ସଭାପତି କ୍ଷୀରୋଦ ଚନ୍ଦ୍ର ମିଶ୍ର, ସରକାରୀ ବାଳିକା ହାଇସ୍କୁଲର ଶିକ୍ଷୟିତ୍ରୀ ବିଜୟିନୀ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବିଦ୍ୟାଳୟ ରୂପାନ୍ତକରଣ ଓ ମୋ ସ୍କୁଲ ଅଭିଯାନ ଯୋଜନାରେ ଚାଲିଥିବା ଉନ୍ନୟନ କାମ ଆସନ୍ତା ସେପେମ୍ବର ୧୫ତାରିଖ ସୁଦ୍ଧା ଶେଷ କରିବା ଲାଗି ବିଡିଓ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ଉଷାରାଣୀ ପତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



