ଆଠଗଡ: ଆଠଗଡ ନାଗରିକ ସୁରକ୍ଷା ମଞ୍ଚ ହଠାତ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ବିଷୟରେ ରଖିଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟ ଓ କପୋଳକଳ୍ପିତ ବୋଲି ଯୁବ ସଂଗଠକ ଅଭୟ କୁମାର ବାରିକ ଏକ ପାଲଟା ସାମ୍ବାଦିକ ସମ୍ମିଳନୀରେ ନିଜ ପ୍ରତିକ୍ରିୟା ପ୍ରକାଶ କରଛନ୍ତି। ଏହା ଆଠଗଡବାସୀଙ୍କ ଭିତରେ ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରୟାସ ବୋଲି ଶ୍ରୀ ବାରିକ କହିବା ସହିତ ଆଠଗଡରେ କୋଟି କୋଟି ଟଙ୍କାର ସମବାୟ ମହାଦୁର୍ନୀତି ଏବଂ ଏଥିରେ କ୍ଷତିଗ୍ରସ୍ତ ଗରିବ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆଠଗଡ ନାଗରିକ ସୁରକ୍ଷା ମଞ୍ଚ କାହିଁକି କିଛି କହିଲେ ନାହିଁ ବୋଲି ଶ୍ରୀ ବାରିକ ପ୍ରଶ୍ନ କରିଥିଲେ।
ଏହି କୋଟି କୋଟି ଟଙ୍କାର ସମବାୟ ଦୁର୍ନୀତି, ଚାଷୀଙ୍କ ନାମରେ ମିଥ୍ୟା ଋଣ କରି ଅର୍ଥ ହରିଲୁଟର ମୁଖ୍ୟ କାର୍ପତଦାର ଥିବା ଆଠଗଡ ବିଧାୟକ ଓ ବର୍ତ୍ତମାନର ସମବାୟ ମନ୍ତ୍ରୀ ଏବଂ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବା ତାଙ୍କ ଭାଇ ବିରେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ମନ୍ତ୍ରୀ ମଣ୍ଡଳରୁ ବହିସ୍କାର ଓ ଗିରଫ ଲାଗି ନାଗରିକ ସୁରକ୍ଷା ମଞ୍ଚ ଦାବି କରିଥିଲେ ଯଥାର୍ଥ ହୋଇଥାନ୍ତା ବୋଲି ଶ୍ରୀ ବାରିକ ପ୍ରକାଶ କରିଥିଲେ। ଆଠଗଡ ଉପଖଣ୍ଡରେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି ଓ ସେମାନଙ୍କ ନିଷ୍କ୍ରିୟତା ଯୋଗୁଁ ଉପଖଣ୍ଡରେ ଚୋରୀ, ରାହାଜାନୀ, ବେଆଇନ ନିଶା କାରବାର ଓ ଗୋମାଂସ ଚାଲାଣ ଆଦି ବୃଦ୍ଧି ପାଉଛି ବୋଲି ନାଗରିକ ସୁରକ୍ଷା ମଞ୍ଚ ଅଭିଯୋଗ କରିଛନ୍ତି। ଏଥି ସହିତ ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କର ସହ ସୁସଂପର୍କ ରହିଥିବା ଓ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଯେଉଁ ଅଭିଯୋଗ କରାଯାଇଛି ଏବଂ କ୍ରାଇମବାଞ୍ଚ ଅଥବା ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଦାବି କରାଯାଇଛି ତାକୁ ଯୁବସଂଗଠନ ସ୍ୱାଗତ କରୁଛି। ତେବେ ସମବାୟ ଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ପଛଘୁଞ୍ଚା କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ। ଆଠଗଡ ବ୍ଲକର ୨୬ଟି ଯାକ ସମବାୟ ସମିତିରେ ହୋଇଥିବା କୃଷିଋଣ ଦୁର୍ନୀତିର ଭିଜିଲାନ୍ସ ଅବା ସିବିଆଇ ତଦନ୍ତ କରିବାକୁ ଅଭୟ ଦାବି କରିଛନ୍ତି।



