ବ୍ରହ୍ମପୁର:ବ୍ରହ୍ମପୁର ସହରରେ ଇ-ବର୍ଜ୍ୟବସ୍ତୁ ଏବଂ ବିପଦଜନକ ବର୍ଜ୍ୟବସ୍ତୁ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ପଦକ୍ଷେପ ନିଆଯାଇଛି । ନିଗମ ତରଫରୁ ପ୍ରତ୍ୟେକ ଶନିବାର ଘରକୁ ଘର ବୁଲି ଇ-ବର୍ଜ୍ୟବସ୍ତୁ ସଂଗ୍ରହ କରାଯିବ । ପୂର୍ବରୁ ଇ-ବର୍ଜ୍ୟବସ୍ତୁ ଯଥା ବୈଦ୍ୟୁତିକ ଯନ୍ତ୍ରପାତି, ମୋବାଇଲ, କ୍ୟାମେରା, ମୋବାଇଲ ଚାର୍ଜର, କମ୍ପୁଟର ଆଦିକୁ ସାଧାରଣ ଆବର୍ଜନା ସହ ସଂଗ୍ରହ କରାଯାଉଥିଲା ।
ସେହିଭଳି ବିପଦଜନକ ବର୍ଜ୍ୟବସ୍ତୁ ଯଥା ବ୍ୟବହୃତ ସିରିଞ୍ଜ, ବୈଦ୍ଧତା ସରିଯାଇଥିବା ଔଷଧ ଏବଂ ଅନ୍ୟାନ୍ୟ ମେଡ଼ିକାଲ ଉପକରଣକୁ ମଧ୍ୟ ଏଣେତେଣେ ଫିଙ୍ଗି ଦିଆଯାଉଥିଲା । ଯାହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିଲା । ଫଳରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଏହି ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଶନିବାର ସଫେଇ କର୍ମଚାରୀମାନେ ସ୍ବତନ୍ତ୍ର ଗାଡ଼ିରେ ଘରକୁ ଘର ଯାଇ ଏହି ବର୍ଜ୍ୟବସ୍ତୁ ସଂଗ୍ରହ କରିବେ । ଅଭିଯାନ ଆରମ୍ଭ ସମୟରେ ମହାନଗର ନିଗମର ଉପଆୟୁକ୍ତ ରୋମାଞ୍ଚଳ ଖମାରୀ ଏବଂ ପରିମଳ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।



