କଟକ : ଟୋକିଓ ଅଲିମ୍ପିକ୍ସରେ ସମସ୍ତଙ୍କୁ ଚକିତ କରିଛି ଭାରତୀୟ ମହିଳା ହକି ଦଳ। ୩ୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ମହିଳା ହକି ଦଳ ବିଶ୍ବର ୨ନଂ ଦଳ ତଥା ୩ ଥର ଅଲିମ୍ପିକ୍ ସ୍ବର୍ଣ୍ଣବିଜେତା ଅଷ୍ଟ୍ରେଲିଆକୁ ପରାସ୍ତକରି ସେମିଫାଇନାଲରେ ପ୍ରବେଶ କରିଛି। ତେଣୁ ଭାରତରେ ହକିର ଅଭ୍ୟୁଦୟ ଘଟୁଛି ବୋଲି ନିଶ୍ଚୟ କହିହେବ।
ଭାରତୀୟ ହକିର ଏପରି ଅଭ୍ୟୁଦୟ ପଛରେ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଛନ୍ନ ହାତ ରହିଛି ବୋଲି ବାହାରେ ବହୁତ କମ୍ ଜାଣିଥିଲେ ହେଁ ଏହା ସତ ବୋଲି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଆଜି ଭାରତର ଉଭୟ ପୁରୁଷ ଓ ମହିଳା ହକି ଦଳ ଅଲିମ୍ପିକ୍ସର ସେମିଫାଇନାଲ ଖେଳିବାକୁ ଯାଉଥିବା ବେଳେ ଏହାର ଅନେକ ଶ୍ରେୟ ଓଡ଼ିଶା ସରକାରଙ୍କର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଲିମ୍ପିକ୍ସର ଭାରତୀୟ ଉଭୟ ହକି ଦଳର ସମସ୍ତ ମ୍ୟାଚ୍ ଟିଭିରେ ଦେଖୁଥିବା ବେଳେ ରବିବାର ଭାରତୀୟ ପୁରୁଷ ଦଳ ସେମିଫାଇନାଲ ଯିବା ପରେ ଭିଡିଓ ବାର୍ତ୍ତା ପଠାଇ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସୋମବାର ସକାଳେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ମହିଳା ହକି ଦଳ କ୍ବାର୍ଟରଫାଇନାଲ ଖେଳିଥିବା ବେଳେ ଏହି ମ୍ୟାଚ୍କୁ ମଧ୍ୟ ନବୀନ ଦେଖିଥିଲେ। ଭାରତର ଅବିସ୍ମରଣୀୟ ଓ ଐତିହାସିକ ବିଜୟ ପରେ ଭିଡିଓ ବାର୍ତ୍ତାରେ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ସେ ଏହି ବାର୍ତ୍ତାରେ କହିଛନ୍ତି, କ୍ବାର୍ଟରଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଚମତ୍କାର ବିଜୟ ପରେ ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଉଛି। ଏହାସହ ଆଶାରଖିଛି ଯେ ଭାରତୀୟ ଦଳ ତା’ର ବିଜୟଧାରା ଜାରିରଖିବ ଏବଂ ଦେଶକୁ ଗୌରବାନ୍ବିତ କରିବ। ଆଗମୀ ମ୍ୟାଚ୍ ପାଇଁ ଦଳକୁ ଶୁଭେଚ୍ଛା ଜଣାଉଛି।
ପ୍ରତି କ୍ରୀଡ଼ାର ଉନ୍ନତି ପାଇଁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ଆବଶ୍ୟକ। ଯେପରି ବ୍ୟାବସାୟିକ ସଂସ୍ଥାମାନେ କ୍ରିକେଟ୍ ପଛରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଯୋଗୁଁ ଆଜି ଦେଶରେ କ୍ରିକେଟ ୧ନଂ କ୍ରୀଡ଼ା ଏବଂ ସବୁଠାରୁ ଲୋକପ୍ରିୟ। ୧୯୮୩ରେ ଭାରତ କ୍ରିକେଟ ବିଶ୍ବକପ୍ ଜିତିବା ପରେ ଅନ୍ୟ ସବୁ କ୍ରୀଡ଼ାକୁ ପଛରେ ପକାଇ କ୍ରିକେଟ୍ ଆଗକୁ ମାଡ଼ି ଚାଲିଥିଲା। ୮୦ ଦଶକରୁ ଭାରତୀୟ ହକି ନିମ୍ନଗାମୀ ହେବାରେ ଲାଗିଥିଲା। ଗତ ଦଶନ୍ଧି ଆରମ୍ଭରୁ ଭାରତୀୟ ହକି ଦଳର କେହି ପ୍ରାୟୋଜକ ନ ଥିଲେ। ଭାରତୀୟ ହକିର ଏପରି ଖରାପ ସମୟରେ ଏହା ପ୍ରତି ସହଯୋଗର ହାତ ବଢ଼ାଇଥିଲେ ଓଡ଼ିଶା ସରକାର। ସ୍କୁଲ୍ ସ୍ତରରେ ହକି ଖେଳିଥିବା ଓଡ଼ିଶାର କ୍ରୀଡ଼ାପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ବର୍ଷ ଲାଗି ଓଡ଼ିଶା ସରକାର ଭାରତୀୟ ହକିର ପ୍ରାୟୋଜକ ହେବାକୁ ଘୋଷଣା କରିଥିଲେ। ଭାରତୀୟ ହକି ପାଇଁ ଏହା ଥିବା ସଞ୍ଜିବନୀ ପରି। ଏହା ପୂର୍ବରୁ ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍ ଓଡ଼ିଶା ସରକାର ନିର୍ମାଣକରି ବିଶ୍ବସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଓଡ଼ିଶା ସରକାର ଘୋଷଣା କରିଥିଲେ। ବିଶ୍ବକପ୍ ସହ ଓଡ଼ିଶା ସରକାର ଅଧ ଡଜନ୍ ବିଶ୍ବସ୍ତରୀୟ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ସାରିଲେଣି। ଭୁବନେଶ୍ବର ଏବେ ଦେଶର କ୍ରୀଡ଼ା ରାଜଧାନୀ ସହ ଭାରତୀୟ ହକିର ପେଣ୍ଠସ୍ଥଳୀ ପାଲଟିଛି। ବିଶ୍ବର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ୨୦୨୩ରେ କ୍ରମାଗତ ୨ୟ ଥର ପୁରୁଷ ହକି ବିଶ୍ବକପ୍ ଆୟୋଜନ କରୁଛି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଭାରତୀୟ ହକରି ଏପରି ସଫଳତା ପଛରେ ବଡ଼ ସହଯୋଗ ଦେଇଥିବା ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି। ଖାତିସମ୍ପନ୍ନ ସାମ୍ବାଦିକ ରାଜଦୀପ ସରଦେଶାଇ ଟ୍ବିଟରରେ ଲେଖିଛନ୍ତି- କେତେଜଣ ଜାଣନ୍ତି ଯେ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାର ଗତ ୫ ବର୍ଷ ହେଲା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ମୁଖ୍ୟ ପ୍ରାୟୋଜକ ଅଛନ୍ତି? ଯଦି କାହା ପାଖରେ ଆଜି ଉତ୍ସବମୁଖର ହେବାର କାରଣ ଅଛି; ସେ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଗ୍ଲାମର୍ ଯୋଗୁଁ ବହୁତ ରାଜନେତା ଏବଂ ବ୍ୟାବସାୟିକ ସଂସ୍ଥା କ୍ରିକେଟ ସହ ନିଜକୁ ଜଡ଼ିତ କରି ଚାଲିଥିବା ବେଳେ ଓଡ଼ିଶା ହକିକୁ ବାଛିଥିଲା। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ଟ୍ବିଟରରେ ଲେଖିଛନ୍ତି- ଦେଶର ପ୍ରଥମ ସହର ଭାବେ ଭୁବନେଶ୍ବର ୧୦୦% ଟିକାକରଣ ହାସଲ କରିପାରିଛି। ପୁରୀ ପ୍ରଥମ ସହର ଭାବେ ଦୈନିକ ୨୪ ଘଣ୍ଟା ପାନୀୟ ଜଳର ସୁବିଧା ପାଇଛି। ଏହାସହ ୨୦୧୮ରୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ହୋଇଥିବାରୁ ନବୀନ ପଟ୍ଟନାୟକଙ୍କ ଓଡ଼ିଶା ସରକାରଙ୍କୁ ଏଥିପାଇଁ ବହୁତ ଅଭିନନ୍ଦନ। ଆମର ଉଭୟ ଦଳ ସେମିରେ ପହଞ୍ଚି ପାରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ : ଓଡ଼ିଶାର ପୃଷ୍ଠପୋଷକତାରେ ହକିର ଅଭ୍ୟୁଦୟ
Popular Categories



