ଆରଡି : ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର। ଦୀର୍ଘବର୍ଷ ହେବ ଏହାର ପରିକଳ୍ପନା କରାଯାଉ ଥିଲେ ମଧ୍ୟ ତାହା ଅର୍ଥ ଅଭାବରୁ ବାସ୍ତବ ରୂପରେଖ ନେବାରେ ବିଳମ୍ବ ହେଉଥିଲା। ଏବେ ନୂଆରୂପରେଖ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ସମ୍ପ୍ରସାରଣ ସହ ସୌନ୍ଦର୍ଯ୍ୟକରଣ ପାଇଁ ୬କୋଟି ଟଙ୍କା ପ୍ରଦାନ କରିବା ପରେ ମନ୍ଦିରର ସୌନ୍ଦର୍ଯ୍ୟ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ପ୍ରର୍ଯ୍ୟାୟରେ ମନ୍ଦିରର ୪ଟି ଦ୍ବାରର ଗୁମୁଟ ସହ ପୁରୁଣା ପ୍ରାଚେରୀ ଭଙ୍ଗା ଯାଇଥିବା ବେଳେ ଗୁରୁବାର ମଧ୍ୟାହ୍ନରେ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଅଶ୍ବନୀ ଗୁରୁଙ୍କ ସହ ଇନଟାକ , ଆରକିଟେକର ଅଧ୍ୟକ୍ଷା ଦିବ୍ୟା ମିଶ୍ର ବୈଷୟିକ ପରାମର୍ଶ ଦାତା ଦେବବ୍ରତ୍ତ ଚାଟାର୍ଜୀଙ୍କ ସହ ୬ ଜଣିଆ ଟିମ ଓ ଭଦ୍ରକ ଜିଲାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ, ଚାନ୍ଦବାଲି ତହସିଲଦାର ଶୁଶାନ୍ତ ସୁତାର, ଆର.ଆଇ ଦେବାଶିଷ ରାୟ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ପ୍ରମୁଖ ସେବାୟତମାନଙ୍କ ସହ ମନ୍ଦିର ବେଢା ଭିତରକୁ ଯାଇ ଭଙ୍ଗା ଯାଇଥିବା କାର୍ଯ୍ୟର ସ୍ଥିତି ପରକ୍ଷିବା ସହ ବେଢାର ସମ୍ପ୍ରସାରଣ ବାବଦରେ ସେବାୟତଙ୍କ ସହ ଆଲୋଚନା କରିଥିଲେ।
ସେହିପରି ଗର୍ଭଗୃହ ଚଟାଣର ମରାମତି, ୪ଦ୍ବାର ମନ୍ଦିର ଗୁମୁଟ, ମୁକ୍ତିମଣ୍ଡପ ସ୍ଥାୟୀ ମରାମତି କାର୍ଯ୍ୟ ଯେପରି ହେବ ସେଥିପାଇଁ ବୈଷୟିକ ଟିମଙ୍କ ସହ ଦୀର୍ଘସମୟ ଧରି ଅଧିକାରୀମାନେ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟର ଦାୟୀତ୍ବ ଭାର ନେଇଥିବା ଜିଲା ଗୃହ ଓ ରାସ୍ତା ନିର୍ମାଣ ବିଭାଗୀୟ ଅଧିକାରୀ ପ୍ରସ୍ତୁତ ଗ୍ରାଫିକ୍ସ ଓ ନକ୍ସା ସର୍ମ୍ପକରେ ଅବଗତ କରାଇଥିଲେ।



