ମାର୍ଚ୍ଚ, ୨୦୨୪ ସୁଦ୍ଧା ‘ହର ଘର ଜଳ’ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟକୁ କେନ୍ଦ୍ରର ସମର୍ଥନ
ଦେଶର ପ୍ରତ୍ୟେକ ପରିବାରକୁ ପାଇପ ଯୋଗେ ସ୍ବଚ୍ଛ ଜଳ ଯୋଗାଣ, ବିଶେଷ କରି ମହିଳା ଓ ଶିଶୁଙ୍କ ଜୀବନରେ ସୁଧାର ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ଜୀବନ ମିଶନ ଅନ୍ତର୍ଗତ ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୩୩୨୩.୪୨ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ପରିମାଣ ୮୧୨.୧୫ କୋଟି ଟଙ୍କା ଥିଲା। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଓଡ଼ିଶାକୁ ଏହି ଚାରିଗୁଣ ଅଧିକ ଆର୍ଥିକ ଅନୁଦାନ ଯୋଗାଇ ଦେବା ନିମନ୍ତେ ଘୋଷଣା କରିବା ସହିତ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।
୨୦୧୯ରେ ଆରମ୍ଭ ହୋଇଥିଲା ଜଳ ଜୀବନ ମିଶନ। ସେତେବେଳେ ଦେଶରେ ଥିବା ମୋଟ୍ ୧୮.୯୩ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ମାତ୍ର ୧୭% ଅର୍ଥାତ୍ ୩.୨୩ କୋଟି ପରିବାର ନିକଟରେ ପାଇପ ଜଳ ଯୋଗାଣ ସୁବିଧା ରହିଥିଲା। ଗତ ୨୨ ମାସ ମଧ୍ୟରେ, କୋଭିଡ-୧୯ ମହାମାରୀର ପ୍ରକୋପ ଜନିତ ଲକଡାଉନ ଓ ବାଧା ସତ୍ତ୍ବେ ଜଳଜୀବନ ମିଶନକୁ ଦ୍ରୁତଗତିରେ କାର୍ଯ୍ୟକାରୀ କରାଯାଇ ୪.୫ କୋଟି ପରିବାରକୁ ପାଇପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ମୋଟ ଜଳ ଯୋଗାଣ ପ୍ରସାର ୨୩.୫%କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସାରା ଦେଶରେ ୭.୬୯ କୋଟି ପରିବାର ଅର୍ଥାତ୍ ୪୦.୬% ଗ୍ରାମୀଣ ପରିବାର ନିକଟରେ ପାଇପ ଜଳ ସଂଯୋଗ ରହିଛି। ଗୋଆ, ତେଲଙ୍ଗାନା, ଆଣ୍ଡାମାନ ଓ ନିକୋବର ଦ୍ବୀପସମୂହ ଏବଂ ପୁଡୁଚେରୀ ଶତପ୍ରତିଶତ ସୁନିଶ୍ଚିତ ପାଇପ ଜଳ ଯୋଗାଣ ଲକ୍ଷ୍ୟ ହାସଲ କରିପାରିଛନ୍ତି ଏବଂ ‘ହର ଘର ଜଳ’ ଅଞ୍ଚଳ ହୋଇପାରିଛି। ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ବାସ’ ସଂକଳ୍ପ ଏବଂ ‘କେହି ଜଣେ ହେଲେ ପଛରେ ପଡ଼ିବା ଅନୁଚିତ୍’ ଲକ୍ଷ୍ୟ ନେଇ ପ୍ରତ୍ୟେକ ପରିବାରକୁ ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ୬୯ଟି ଜିଲ୍ଲାର ୯୯ ହଜାରରୁ ଊର୍ଦ୍ଧ୍ବ ଗ୍ରାମରେ ସବୁ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି।

ଓଡ଼ିଶାର ସ୍ଥିତିକୁ ଦେଖିଲେ, ଅଗଷ୍ଟ ୧୫, ୨୦୧୯ରେ ଜଳ ଜୀବନ ମିଶନ ଆରମ୍ଭ ହେବା ସମୟରେ, ରାଜ୍ୟର ମାତ୍ର ୩.୧୦ ଲକ୍ଷ (୩.୬୩%) ପରିବାର ପାଖରେ ପାଇପ ଜଳ ସଂଯୋଗ ରହିଥିଲା। ସେବେ ଠାରୁ ବର୍ତ୍ତମାନସୁଦ୍ଧା ୨୨.୮୪ ଲକ୍ଷ ପରିବାରକୁ ପାଇପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି। ଫଳରେ ଓଡ଼ିଶାର ମୋଟ ୮୫.୬୬ ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ ୨୫.୯୫ ଲକ୍ଷ ପରିବାର (୩୦.୩%) ପରିବାର ନିକଟରେ ପାଇପ ପାଣି ସଂଯୋଗ ରହିଛି। ୨୦୨୧-୨୨ରେ, ରାଜ୍ୟ ୨୧.୩୧ ଲକ୍ଷ ପରିବାରକୁ ପାଇପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖିଥିବା ସମୟରେ ୨୦୨୨-୨୩ରେ ୨୨.୫୩ ଲକ୍ଷ ଏବଂ ୨୦୨୩-୨୪ରେ ୧୮.୮୭ ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରିଛି। ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ।
ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ନିଜ ପତ୍ରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ବତ ଦର୍ଶାଇଛନ୍ତି ଯେ, ରାଜ୍ୟର ସବୁ ଜିଲ୍ଲାରେ ପାଇପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍। ଯାହାଫଳରେ ମାର୍ଚ୍ଚ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ। ୨୦୨୧-୨୨ ଆର୍ଥିକ ବର୍ଷରେ ବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶାର ପଦକ୍ଷେପରେ ସହାୟତା କରିବା ଲାଗି କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବୃଦ୍ଧି କରାଯାଇଛି। ବର୍ତ୍ତମାନ ରାଜ୍ୟ ଉପରେ ୧୦.୯୩ କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି ଏବଂ ରାଜ୍ୟର ଭାଗ ୩,୨୫୩ କୋଟି ଟଙ୍କାକୁ ମିଶାଇଲେ ୨୦୨୧-୨୨ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର୍ଯ୍ୟ ନିମନ୍ତେ ୬,୫୯୬ କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି। ତେଣୁ ପାଣ୍ଠି ଉପଲବ୍ଧତାରେ କୌଣସି ଅଭାବ ନାହିଁ।
ଗ୍ରାମାଞ୍ଚଳରେ ଜଳ ଯୋଗାଣ ପରିଚାଳନା ଏବଂ ସ୍ବଚ୍ଛତାରେ ସୁଧାର ଆଣିବା ନିମନ୍ତେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ସକ୍ଷମ କରିବା ସକାଶେ ଗ୍ରାମୀଣ ସ୍ଥାନୀୟ ସଂସ୍ଥା/ପଞ୍ଚାୟତିରାଜ ଅନୁଷ୍ଠାନକୁ ପାନୀୟ ଜଳ ଓ ସ୍ବଚ୍ଛତା ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ସଂଯୁକ୍ତ ଅନୁଦାନ ଆକାରରେ ଓଡ଼ିଶାକୁ ୧,୦୦୨ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଏହି ଉତ୍ସରୁ ୨୦୨୫-୨୬ ପର୍ଯ୍ୟନ୍ତ ୫,୨୮୦ କୋଟି ଟଙ୍କାର ଏକ ସୁନିଶ୍ଚିତ ଅନୁଦାନ ରହିଛି। ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ବିପୁଳ ପରିମାଣର ନିବେଶ, ଆର୍ଥିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ। ଏହା ମଧ୍ୟ ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ସ୍ବଚ୍ଛ ପାଇପ ଜଳ ସଂଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ୧୦୦ ଦିନିଆ ଅଭିଯାନ ଘୋଷଣା କରିଥିଲେ। ଏହାକୁ ଅକ୍ଟୋବର ୨, ୨୦୨୦ରେ ଆରମ୍ଭ କରାଯାଇଥିଲା। ଓଡ଼ିଶାରେ ୨୫,୮୨୦ ବିଦ୍ୟାଳୟ (୪୭%) ଏବଂ ୧୧,୯୧୩ ଅଙ୍ଗନଓ୍ବାଡ଼ି କେନ୍ଦ୍ର (୨୨%)କୁ ପାଇପ ଜଳ ଯୋଗାଣ କରା ଯାଇଛି। ଆସନ୍ତା କିଛି ମାସ ମଧ୍ୟରେ ଅବଶିଷ୍ଟ ବିଦ୍ୟାଳୟ, ଆଶ୍ରମ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ସମେତ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ କେନ୍ଦ୍ର, ଗ୍ରାମପଞ୍ଚାୟତ କୋଠା, ଆରୋଗ୍ୟ କେନ୍ଦ୍ର ଆଦିରେ ପାନୀୟ ଜଳ ଯୋଗାଣ ସହିତ ଉନ୍ନତ ସ୍ବାସ୍ଥ୍ୟ, ସ୍ବଚ୍ଛତା ଓ ପରିଚ୍ଛନ୍ନତାରେ ସୁଧାର ଆଣିବା ନିମନ୍ତେ ପଦକ୍ଷେପ ନେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ କୁହାଯାଇଛି।
ଜଳ ଜୀବନ ମିଶନ ଅନ୍ତର୍ଗତ ଜଳ ସଂକଟଗ୍ରସ୍ତ କ୍ଷେତ୍ର, ଜଳ ଗୁଣବତ୍ତା ଭଲ ନଥିବା ଗ୍ରାମ, ଆକାଂକ୍ଷୀ ଜିଲ୍ଲା, ଏସସି/ଏସଟି ବହୁଳ ଗ୍ରାମ ଏବଂ ସାଂସଦ ଆଦର୍ଶ ଗ୍ରାମ ଯୋଜନା ପ୍ରତି ଗୁରୁତ୍ବାରୋପ କରିବା ଲାଗି ରାଜ୍ୟ ଗୁଡ଼ିକୁ କୁହାଯାଇଛି। ଜଳ ଗୁଣବତ୍ତା ଅନୁଧ୍ୟାନ ଓ ନିରୀକ୍ଷଣ କାର୍ଯ୍ୟକଳାପ ଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏଥିପାଇଁ ଅଙ୍ଗନଓ୍ବାଡ଼ି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ, ପଞ୍ଚାୟତି ରାଜ ସଦସ୍ୟ, ବିଦ୍ୟାଳୟ ଶିକ୍ଷକ ଆଦିଙ୍କୁ ନିୟୋଜିତ କରାଯିବ। ସେମାନଙ୍କୁ ଫିଲ୍ଡ ଟେଷ୍ଟ କିଟ୍ସ ଜରିଆରେ ଦୂଷିତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ ପାଇଁ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟଗୁଡ଼ିକ ଜଳ ନମୁନା ପରୀକ୍ଷାଗାର ଗୁଡ଼ିକର ଉନ୍ନତିକରଣ ଏବଂ ଏନଏବିଏଲ ମାନ୍ୟତା ସୁରକ୍ଷିତ କରିବାର ଆବଶ୍ୟକତା ରହିଛି। ଏହି ପରୀକ୍ଷାଗାର ଜନସାଧାରଣଙ୍କ ପାଇଁ ଖୋଲା ରହିବା ଉଚିତ୍ ଯାହାଫଳରେ ସେମାନେ ଜଳ ନମୁନା ଅଳ୍ପ ଖର୍ଚ୍ଚରେ ପରୀକ୍ଷା କରାଇପାରିବେ।
ଜଳ ଜୀବନ ମିଶନରେ ଗୋଷ୍ଠୀଗତ ସମ୍ପୃକ୍ତିକୁ ବିଶେଷ ଗୁରୁତ୍ବାରୋପ କରାଯାଇଛି। ଏହାକୁ ହାସଲ କରିବା ଲାଗି, ରାଜ୍ୟ ସରକାର ଏଥିପାଇଁ ସହାୟକ କାର୍ଯ୍ୟକଳାପ ଯେପରିକି ଗ୍ରାମୀଣ ଜଳ ଓ ସ୍ବଚ୍ଛତା ସମିତି, ପାଣି ସମିତିକୁ ସୁଦୃଢ଼ କରିବା ଆବଶ୍ୟକ ଏବଂ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଗ୍ରାମୀଣ କାର୍ଯ୍ୟ ଯୋଜନାକୁ ବିକଶିତ କରିବା ଉଚିତ୍। ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଲାଗି ପଦକ୍ଷେପ ନିଆଯିବା ଆବଶ୍ୟକ। ବର୍ତ୍ତମାନ ରାଜ୍ୟର ୪୭,୪୧୨ ଗ୍ରାମ ମଧ୍ୟରୁ ମାତ୍ର ୧୧୮୪ ଗ୍ରାମରେ ଗ୍ରାମୀଣ ଜଳ ଓ ସ୍ବଚ୍ଛତା ସମିତି କିମ୍ବା ପାଣି ସମିତି ରହିଛି। ଏହି ଗୋଷ୍ଠୀଗୁଡ଼ିକର ଗ୍ରାମୀଣ ସ୍ତରରେ ଯୋଜନା, କାର୍ୟ୍ୟକାରିତା, ପାଞ୍ଚ ବର୍ଷୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଜଳଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣରେ ମଧ୍ୟ ଏମାନଙ୍କର ପ୍ରମୁଖ ଭୂମିକା ରହିଛି। ଏମାନଙ୍କ ଜରିଆରେ ରାଜ୍ୟର ପ୍ରତ୍ୟେକ ପରିବାର ବିଶେଷ କରି ଜଳସଙ୍କଟଗ୍ରସ୍ତ ପଶ୍ଚିମ ଓଡ଼ିଶାରେ ସବୁ ପରିବାର ନିକଟରେ ସ୍ବଚ୍ଛ ପାଇପ ଜଳଯୋଗାଣ ସୁନିଶ୍ଚିତ ହୋଇପାରିବ।



