www.samajalive.in
Sunday, December 14, 2025
23.1 C
Bhubaneswar

ଭାରତରେ ତୈଳ ଦରବୃଦ୍ଧି ଓ ଆତ୍ମନିର୍ଭରତା

ଏବେ ଦୁଇ ପ୍ରକାର ତୈଳର ଦର ଭାରତୀୟ ଖାଉଟିଙ୍କୁ ଡରାଉଛି କହିଲେ ଭୁଲ୍ ହେବନାହିଁ। ଗୋଟିଏ ହେଲା ପେଟ୍ରୋଲ୍ ଡିଜେଲ୍ ପରି ଇନ୍ଧନ ତୈଳ ଓ ଅନ୍ୟଟି ବିଭିନ୍ନ ପ୍ରକାରର ରନ୍ଧନ ତୈଳ। ପେଟ୍ରୋଲ୍ ଡିଜେଲ୍ଠାରୁ ବି ନିତ୍ୟବ୍ୟବହାର୍ଯ୍ୟ ଖାଇବା ତେଲର ଦରବୃଦ୍ଧି ଏବେ ଖାଉଟିକୁ ବେଶି ବାଧୁଛି। ବିନା ତେଲରେ କୌଣସି ଖାଦ୍ୟ ଆମକୁ ରୁଚିକର ଲାଗେନାହିଁ । ଅଧିକନ୍ତୁ, ଭାରତରେ ଶସ୍ୟ ଜାତୀୟ ଖାଦ୍ୟକୁ ଛାଡିଦେଲେ, ସ୍ନେହସାର ଓ ପୁଷ୍ଟିସାର ଖାଦ୍ୟର ମୁଖ୍ୟ ଉତ୍ସ ହେଉଛି ତୈଳବୀଜ ।

ଆଜି ଖାଇବା ତେଲର ମୂଲ୍ୟ ଗତ ଦଶ ବର୍ଷର ସର୍ବୋଚ୍ଚ ସ୍ତରକୁ ଛୁଇଁଛି । ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ବନସ୍ପତି ତେଲର ଖୁଚୁରା ଦର ୫୫.୫୫ ପ୍ରତିଶତ ବୃଦ୍ଧି ହୋଇ କିଲୋ ପ୍ରତି ୧୪୦ ଟଙ୍କାରେ ପହଞ୍ଚିଛି । ତାଳତେଲର ଖୁଚୁରା ଦର ୫୧.୫୪ ପ୍ରତିଶତ ବୃଦ୍ଧି ପାଇ ୧୩୨.୬ ଟଙ୍କା, ସୋୟା ତେଲ ୫୦ ପ୍ରତିଶତ ବଢି ୧୫୮ ଟଙ୍କା ହୋଇଥିବାବେଳେ ସୋରିଷ ତେଲ ୪୯ ପ୍ରତିଶତ ବୃଦ୍ଧି ପାଇ ୧୬୩.୫ ଟଙ୍କାରେ ପହଞ୍ଚିଛି । ଗତ ଏକ ବର୍ଷ ମଧ୍ୟରେ ହାରାହାରି ଖାଇବା ତେଲ ଦର ପ୍ରାୟ ୫୦ ପ୍ରତିଶତରୁ ଅଧିକ ବଢିଛି । କରୋନା ମହାମାରୀ କାରଣରୁ ଲୋକେ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ଦୁଃସ୍ଥିତିରେ ଥିଲାବେଳେ, ଏହି ମୂଲ୍ୟବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ।

- Advertisement -

ଦେଶରେ ମୁଣ୍ଡପିଛା ବ୍ୟବହାର ୧୯ କିଲୋଗ୍ରାମ ହିସାବରେ, ବାର୍ଷିକ ପ୍ରାୟ ୨୬ ନିୟୁତ ଟନ ଖାଇବା ତେଲର ଚାହିଦା ରହୁଛି । ୨୦୧୮-୧୯ ସୁଦ୍ଧା ଦେଶରେ ୨୫ ନିୟୁତ ହେକ୍ଟର ଜମିରେ ଚାଷ କରାଯାଇ ବାର୍ଷିକ ୩୨ ନିୟୁତ ଟନ ତୈଳବୀଜ ଉତ୍ପାଦନ କରାଯାଇଥିଲା । ହାରାହାରି ୨୮ ପ୍ରତିଶତ ତୈଳ-ନିଃସାରଣ ହାରରେ ହିସାବ କଲେ, ଏହି ପରିମାଣର ତୈଳବୀଜରୁ ପ୍ରାୟ ୮.୩ ନିୟୁତ ଟନ ତେଲ ଉତ୍ପାଦିତ ହୋଇପାରିବ। ଏହି ଘରୋଇ ଉତ୍ପାଦନ ମୋଟ ଚାହିଦା(୨୬ନିୟୁତ ଟନ)ର ମାତ୍ର ଏକ-ତୃତୀୟାଂଶ । ତେଣୁ, ଭାରତ ଭଳି ଏକ ବିବିଧ କୃଷି-ଜଳବାୟୁ ମଣ୍ଡଳ, ପ୍ରଚୁର ଚାଷଜମି ଓ କୃଷି ଉପରେ ନିର୍ଭରଶୀଳ ଏକ ବୃହତ୍ ଜନସଂଖ୍ୟାର ଦେଶକୁ ଖାଇବା ତେଲ ଆମଦାନୀ କରିବାକୁ ପଡୁଛି ଏବଂ ଆମ ଦେଶରେ ଏହାର ବଜାର ମୂଲ୍ୟ ଅନ୍ତର୍ଜାତୀୟ ମୂଲ୍ୟ ସହିତ ପରିବର୍ତ୍ତିତ ହେଉଛି ।

ଦେଶ ପ୍ରତିବର୍ଷ ୧୫ ନିୟୁତ ଟନ ଖାଇବା ତେଲ ଆମଦାନୀ କରୁଛି, ଯାହାର ମୂଲ୍ୟ ପ୍ରାୟ ୬୫ରୁ ୭୦ ହଜାର କୋଟି ଟଙ୍କା ହେବ । ଏହି ଖର୍ଚ୍ଚ ଦେଶର କୃଷି ଆମଦାନୀ ଖର୍ଚର ୪୦ ପ୍ରତିଶତ ଓ ସମୁଦାୟ ଆମଦାନୀ ଖର୍ଚର ପ୍ରାୟ ତିନି ପ୍ରତିଶତ । ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳତା ଉଭୟ ଖାଉଟି ଓ ତୈଳବୀଜ ଚାଷୀଙ୍କୁ ମୂଲ୍ୟ ଅସ୍ଥିରତା କାରଣରୁ ପ୍ରଭାବିତ କରୁଛି।

ଇଣ୍ଡୋନେସିଆ ଓ ମାଲେସିଆରେ ତାଳତେଲ ଚାଷରେ କୋଭିଡ ମହାମାରୀ କାରଣରୁ ଶ୍ରମବଳର ଅଭାବ, ଆର୍ଜେଣ୍ଟିନାରେ ଏଲ ନିନୋ ପ୍ରଭାବରୁ ମରୁଡ଼ି ଯୋଗୁଁ ପ୍ରଭାବିତ ସୋୟାବିନ ଉତ୍ପାଦନ ଏବଂ ୟୁକ୍ରେନରେ ସୂର୍ଯ୍ୟମୁଖୀ ଫସଲର କମ ଉତ୍ପାଦନ ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟବୃଦ୍ଧିର ପ୍ରମୁଖ କାରଣ । ଏହା ଛଡ଼ା ନିଜର ବିରାଟ ଜନସଂଖ୍ୟା ପାଇଁ ଚୀନ୍ ମାତ୍ରାଧିକ ପରିମାଣରେ କ୍ରୟ କରି ରଖୁଥିବାରୁ ଖାଇବା ତେଲ ଦର ବୃଦ୍ଧି ଘଟୁଛି । ଏଭଳି ସ୍ଥିତିରେ ଆମଦାନୀ ଓ ଘରୋଇ ଉତ୍ପାଦନ ମଧ୍ୟରେ ଥିବା ଏହି ବୃହତ୍ ବ୍ୟବଧାନକୁ ଦୂର କରି ‘ଆତ୍ମନିର୍ଭରଶୀଳତା’ ହାସଲ କରିବାକୁ ହେବ।

ଭାରତରେ ତୈଳବୀଜର ଘରୋଇ ଉତ୍ପାଦନ ବଢାଇବାର କ୍ଷମତା ଅଛି, ଯଦ୍ଦ୍ବାରା ଚାଷୀଙ୍କୁ ଲାଭ ମିଳିବା ସହିତ ଆମ ଖାଉଟି ଅନ୍ତର୍ଜାତୀୟ ଦରର ଶିକାର ହେବାରୁ ବର୍ତ୍ତି ପାରନ୍ତେ। ସରକାରଙ୍କ କୃଷି ମନ୍ତ୍ରଣାଳୟ ‘ଜାତୀୟ ତୈଳବୀଜ ମିଶନ’ ଅଧୀନରେ ତିନୋଟି ସ୍ତରରେ ତୈଳବୀଜ ଉତ୍ପାଦନ ବୃଦ୍ଧି ପାଇଁ ପ୍ରଚେଷ୍ଟା ଜାରି ରଖିଛି।

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ମହାନି‌େର୍ଦଶକ ତ୍ରିଲୋଚନ ମହାପାତ୍ର କହନ୍ତି, ଦେଶରେ ତୈଳବୀଜ ଉତ୍ପାଦନ ବୃଦ୍ଧି କରିବାକୁ ହେଲେ, ଚାଷାଞ୍ଚଳ ବୃଦ୍ଧି ସହିତ ଉତ୍ପାଦକତା ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଅଛି । ଦେଶର ପୂର୍ବାଞ୍ଚଳରେ ଖରିଫ୍ ଧାନ ଫସଲ ଅମଳ ଉତ୍ତାରୁ ପ୍ରାୟ ୧୧୦ ଲକ୍ଷ ହେକ୍ଟର ଚାଷଜମି ବିନା ଚାଷରେ ଖାଲି ପଡୁଛି । ଏହି ଅଞ୍ଚଳରେ ବ୍ୟାପକ ଭାବରେ ସୋରିଷ ଚାଷ କରାଯାଇ ଚାଷାଞ୍ଚଳ ବୃଦ୍ଧି କରାଯାଇପାରନ୍ତା । ପଞ୍ଜାବ, ହରିୟାଣା ସମେତ ଉତ୍ତର ଭାରତର ଶୁଷ୍କାଞ୍ଚଳରେ ଧାନ, ଗହମ ଓ ଆଖୁ ପରି ଫସଲ ବଦଳରେ ଡାଲି ଓ ତୈଳବୀଜ ଜାତୀୟ ଚାଷ କରିବାକୁ ଚାଷୀମାନଙ୍କୁ ଉତ୍ସାହିତ କରିବାକୁ ହେବ ।

ଧାନ,ଗହମ ପରି ଚାଷୀଙ୍କ ନିକଟରୁ ବିଭିନ୍ନ ତୈଳବୀଜ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ସରକାରୀ ଏଜେନ୍ସି ଦ୍ୱାରା ଖରିଦଦାରକୁ ଅଧିକ କ୍ରିୟାଶୀଳ କରାଯିବାର ଅଛି । ଅଧିକ ଅମଳକ୍ଷମ ବିହନ, କୃଷି-ରସାୟନର ଅନୁକୂଳ ବ୍ୟବହାର ଓ ଉନ୍ନତ ପରିଚାଳନା ଅଭ୍ୟାସ ପରି ଉନ୍ନତ ପ୍ରଯୁକ୍ତିବିଦ୍ୟାକୁ ଅଧିକ ବ୍ୟାପକତାର ସହିତ ପ୍ରୋତ୍ସାହିତ କରାଗଲେ ଏହି ଫସଲ ଚାଷ କରିବାପାଇଁ ଚାଷୀଙ୍କର ଆଗ୍ରହ ବଢନ୍ତା ।

ଦେଶରେ ସମୁଦାୟ ତୈଳବୀଜ ଚାଷାଞ୍ଚଳର ପ୍ରାୟ ନବେ ଭାଗରେ ସୋୟାବିନ, ରାଇସୋରିଷ, ସୋରିଷ ଓ ଚିନାବାଦାମ ଚାଷ କରାଯାଏ । ଅନ୍ୟ ପାରମ୍ପରିକ ତୈଳବୀଜରୁ ହେକ୍ଟର ପିଛା ପ୍ରାୟ ଏକ ଟନ ତେଲ ମିଳୁଥିବାବେଳେ, ତାଳତେଲ ଫଳରୁ ହେକ୍ଟର ପିଛା ୪ରୁ ୫ ଟନ ଖାଇବା ତେଲ ମିଳିଥାଏ । ଅଧ୍ୟୟନରୁ ଜଣାଯାଏ ଯେ, ଭାରତରେ ୧.୯ ନିୟୁତ ହେକ୍ଟର ଜମିରେ ତାଳତେଲ ଚାଷ କରାଯାଇପାରିବାର କ୍ଷମତା ରହିଛି । ଏହି ପରିମାଣ ଚାଷଜମିରୁ ପ୍ରାୟ ୭.୬ ନିୟୁତ ଟନ ଅତିରିକ୍ତ ଖାଇବା ତେଲ ଉତ୍ପାଦନ କରାଯାଇପାରିବ(କୃଷି ମନ୍ତ୍ରଣାଳୟ, ୨୦୧୮) । ବିଶିଷ୍ଟ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି କୁହନ୍ତି କେବଳ ତାଳତେଲ ହିଁ ଭାରତକୁ ଖାଇବା ତେଲରେ ଆତ୍ମନିର୍ଭରଶୀଳ ହେବାରେ ସାହାଯ୍ୟ କରିପାରିବ । ତାଳତେଲ ଚାଷ ସମୟ ସାପେକ୍ଷ ଓ ଅତି ମାତ୍ରାରେ ଜଳ ସମ୍ବେଦୀ ହୋଇଥିବାରୁ ସରକାରୀ ପ୍ରୋତ୍ସାହନର ଆବଶ୍ୟକତା ଅନୁଭୂତ ହୁଏ।

ଖାଇବା ତେଲର ଆଉ ଏକ ଅଣ-ପାରମ୍ପରିକ ବିକଳ୍ପ ହେଉଛି ଚାଉଳକୁଣ୍ଡା ତେଲ । ସହରୀ ଉପଭୋକ୍ତାଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଅଧିକ, କାରଣ ହୃଦ୍ରୋଗ ଓ ଟାଇପ୍-୨ ମଧୁମେହ ଆଶଙ୍କାକୁ ଏହା କମାଉଥିବାର ଜଣାଯାଏ । ଉପଲବ୍ଧ ଚାଉଳ-କୁଣ୍ଡାକୁ ଉପଯୋଗ କରି ପ୍ରାୟ ୨ ନିୟୁତ ଟନ ଖାଇବା ତେଲ ଉତ୍ପାଦନ କରାଯାଇପାରିବ ବୋଲି ଆକଳନ କରାଯାଉଛି । କପା ମଞ୍ଜି ମଧ୍ୟ ବନସ୍ପତି ତେଲର ଏକ ଆଶାଜନକ ଉତ୍ସ । ଏଥିରୁ ପ୍ରାୟ ୧.୪ ନିୟୁତ ଟନ ଅଧିକ ତେଲର ସମ୍ଭାବନା ରହିଥିବାର ଜଣାଯାଏ ।

ସ୍ଥାନୀୟ ଦର ହ୍ରାସ କରିବା ଓ ଏହାର ବ୍ୟବହାର ବଢ଼ାଇବା ପାଇଁ ସରକାର କର ହ୍ରାସ କରିବାକୁ ଚିନ୍ତା କରୁଥିବାର ସୂଚନା ମିଳେ । କିଛି ବିଶେଷଜ୍ଞ ଆମଦାନୀ ଶୁଳ୍କ ହ୍ରାସକୁ ବିରୋଧ କରୁଛନ୍ତି । ସେମାନଙ୍କ କହିବା କଥା ହେଲା, କର ହ୍ରାସ କେବଳ ବିଦେଶୀ ଯୋଗାଣକାରୀଙ୍କୁ ସାହାଯ୍ୟ କରିବ ଓ ଘରୋଇ ଚାଷୀଙ୍କୁ ତୈଳବୀଜ ଚାଷ ବଢ଼ାଇବାକୁ ନିରୁତ୍ସାହିତ କରିବ । ଗତ ୨୦୨୦’ ନଭେମ୍ବରରେ ଅଶୋଧିତ ତାଳତେଲ ଉପରେ ମୂଳ ସୀମା ଶୁଳ୍କ ୨୭.୫ ପ୍ରତିଶତକୁ ହ୍ରାସ କରାଯାଇଥିଲା; କିନ୍ତୁ କୌଣସି ଲାଭ ମିଳିନଥିଲା ।
ସ୍ପଷ୍ଟ ଭବିଷ୍ୟତ ପରିକଳ୍ପନା ସହିତ ଏକ ସ୍ଥିର ଓ ନ୍ୟାୟସଙ୍ଗତ ବାଣିଜ୍ୟ ନୀତି ବିଭିନ୍ନ ବଜାର ଭିତ୍ତିକ ହିତାଧିକାରୀଙ୍କ ପାଇଁ ଠିକ୍ ମୂଲ୍ୟ ସଙ୍କେତ ପ୍ରଦାନ କରିବ ଓ ଘରୋଇ ଉତ୍ପାଦକ(ଚାଷୀ)ମାନେ ତୈଳବୀଜ ଫସଲକୁ ଆଗକୁ ନବାକୁ ଅାଶ୍ୱସ୍ତ ମନେକରିବେ। ଉଦାହରଣ ସ୍ୱରୂପ, ଚଳିତ ବର୍ଷ ଜୁନ୍ ମାସରୁ ଏଫଏସଏସଆଇର ମିଶ୍ରିତ ସୋରିଷ ତେଲ ବନ୍ଦ କରିବାର ନିଷ୍ପତ୍ତି କୃଷକମାନଙ୍କୁ ଆଶାର କିରଣ ପ୍ରଦାନ କରିଛି। ଏହା ସୋରିଷ ଚାଷୀଙ୍କୁ ଏହି ଫସଲ ବଢ଼ାଇବାକୁ ଉତ୍ସାହିତ କରିବ। ବଜାର ଭିତ୍ତିକ ବିଶ୍ଳେଷଣରୁ ବାହାରି, ସ୍ୱାସ୍ଥ୍ୟାବସ୍ଥା ଉପରେ ଖାଇବା ତେଲର ଅହେତୁକ ବ୍ୟବହାର ବୃଦ୍ଧିର କୁପ୍ରଭାବ ଦିଗଟି ମଧ୍ୟ ବିଚାର କରିବାର ଅଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର)ର ଅନୁସନ୍ଧାନରୁ ଜଣାଯାଏ ଯେ, ଜଣେ ବ୍ୟକ୍ତି ପ୍ରତିଦିନ ୩୦ ଗ୍ରାମ ତେଲ ଖାଇଲେ, ବାର୍ଷିକ ୧୧ କିଲୋଗ୍ରାମ ତେଲ ଖାଇବା କଥା। କିନ୍ତୁ, ଆମ ଦେଶରେ ମୁଣ୍ଡ ପିଛା ଖାଇବା ତେଲ ବ୍ୟବହାର ୧୯ କେଜି ରହିଛି। ସ୍ୱାସ୍ଥ୍ୟାବସ୍ଥା ଉପରେ ଏହାର ପ୍ରଭାବ ଏବଂ ଏହି ଜୀବନଶୈଳୀରୁ ସୃଷ୍ଟ ରୋଗବ୍ୟାଧିର ପ୍ରସାର ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ତେଲ ମିତବ୍ୟୟତାର ଉପକାରିତା ବିଷୟରେ ଲୋକଙ୍କୁ ସଚେତନ କରାଇବା ପାଇଁ ଆକ୍ରମଣାତ୍ମକ ଅଭିଯାନ ଆରମ୍ଭ କରିବାର ଅଛି । ଚାହିଦା କମିଲେ ଦର ଆପେ ଆପେ କମିଯିବ।

ଭାରତରେ ଖାଇବା ତେଲର ଦରବୃଦ୍ଧି ଅନ୍ତର୍ଜାତୀୟ ଆନୁପାତିକ ହାର ତୁଳନାରେ ଅଧିକ ହୋଇଥିବାରୁ ଏହା ଚିନ୍ତାର ବିଷୟ। ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଯୁକ୍ତ ସ୍ୱଳ୍ପ ମିଆଦି ପଦକ୍ଷେପ ଏବଂ ଖାଇବା ତେଲ ଉତ୍ପାଦନରେ ଆତ୍ମନିର୍ଭର ହେବା ପାଇଁ ଆବଶ୍ୟକ ଦୀର୍ଘ ମିଆଦି ପଦକ୍ଷେପ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ହେବ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories