ଭଦ୍ରକ/ବନ୍ତ : ବନ୍ତ ବ୍ଲକ ଷେଣ୍ଢତିରା ପଞ୍ଚାୟତର ବଣପିଞ୍ଜରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ମଧ୍ୟାହ୍ନ ଭୋଜନରେ ଝିଟିପିଟି ବାହାରିବା ଓ ଏହାକୁ ଖାଇ ୭୦ ପିଲା ଅସୁସ୍ଥ ହୋଇ ପଡିବା ଘଟଣା ଏଠାରେ ଆଲୋଚ୍ୟ ବିଷୟ ହୋଇଛି। ଅସୁସ୍ଥଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯିବା ପରେ ସେମାନଙ୍କୁ ଚିକିତ୍ସା ପରେ ଛାଡି ଦିଆଯାଇଛି। ସମସ୍ତ ଛାତ୍ରଛାତ୍ରୀଙ୍କ ଅବସ୍ଥା ଭଲ ଥିବା ଜଣାଯାଇଛି। ଆଜି ଦ୍ୱିପ୍ରହରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ରୀ ମଞ୍ଜୁଲତା ପାତ୍ରଙ୍କ ତରକାରୀରୁ ଝିଟିପିଟି ବାହାରିଥିଲା। ପରେ ମଞ୍ଜୁଲତା ହଠାତ ଅସୁସ୍ଥ ହୋଇ ପଡିବା ପରେ ଅନ୍ୟମାନେ ମଧ୍ୟ ଜଣକ ପରେ ଜଣେ ଅସୁସ୍ଥ ହୋଇଥିଲେ। ଏହା ଶିକ୍ଷକଙ୍କୁ ବ୍ୟତିବ୍ୟସ୍ତ କରିପକାଇଥିଲା। ଆମେ ତୁରନ୍ତ ଗାଡି ଓ ଆମ୍ବୁଲାନ୍ସ ଯୋଗେ ଛାତ୍ରଛାତ୍ରଙ୍କୁ ଭଦ୍ରକ ମେଡିକାଲକୁ
ପଠାଇବାର ବ୍ୟବସ୍ଥା କରିଥିଲୁ ବୋଲି କହିଛନ୍ତି ପ୍ରଧାନଶିକ୍ଷକ ମାନସ ସାହୁ। ତେବେ ଅସୁସ୍ଥଙ୍କ ମଧ୍ୟରୁ ୬୫ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଥିଲା। ଅନ୍ୟ ୫ଜଣଙ୍କୁ କିଛିକାଳ ମେଡିକାଲରେ ଚିକିତ୍ସା କରାଯିବା ପରେ ସନ୍ଧ୍ୟାରେ ସେମାନଙ୍କୁ ଘରକୁ ପଠାଯାଇଛି। ଉପଜିଲାପାଳ ନରୋତ୍ତମ ବେହେରା ଭଦ୍ରକ ମେଡିକାଲକୁ ଯାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ବ୍ୟବସ୍ଥା ପରଖିଥିଲେ। ଘଟଣାର ପ୍ରାଥିମକ ତଦନ୍ତ ହେବ, ଆବଶ୍ୟକ ପଡିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପଜିଲାପାଳ କହିଛନ୍ତି।
ମଧ୍ୟାହ୍ନଭୋଜନରେ ଝିଟିପିଟି; ୭୦ ଛାତ୍ରଛାତ୍ରୀ ଅସୁସ୍ଥ
Popular Categories



