ଗଡମଧୁପୁର: ଧର୍ମଶାଳା ତହସିଲ ଅଧିନ ବିଛାଖଣ୍ଡି, ରାହାଡପୁର ଓ ଡଙ୍କାରୀ କଳାପଥର ପାହାଡର ସ୍ଥିତି ଅନୁଧ୍ୟାନ କରିବାକୁ ଯାଜପୁରର ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର ଓ ଜେନାପୁର ଥାନାଧିକାରୀଙ୍କ ସମେତ ପୁରା ପଲଟନ ଅଚାନକ ଆସି ତଦନ୍ତ କରି ଫେରିଛନ୍ତି। ପ୍ରଥମେ ସେ ବିଛାଖଣ୍ଡି ପହାଡକୁ ଯାଇ ସେଠାର ସ୍ଥିତି ଅନୁଧ୍ୟାନ କଲା ପରେ ରାହାଡପୁର ଖଣିଖାଦାନର ପରିସ୍ଥିତିକୁ ଆକଳନ କରିଥିଲେ। ପରେ ସେ ଡଙ୍କାରୀ ଖଣିର ପଥରଚୋରୀ ଦେଖିବାକୁ ଯାଇ ସେଠାରେ ମଧ୍ୟ କିଛି ସମୟ ସ୍ଥିତି ଦେଖିବା ପରେ ଫେରିଯାଇଛନ୍ତି। ସୁଚନା ଅନୁଯାଇ ରାହାଡପୁର କଳାପଥର ସୈରାତର ନିଲାମ ପ୍ରକ୍ରିୟା ମାର୍ଚ୍ଚମାସ ୨୨/୨୩ ତାରିଖରୁ ଆରମ୍ଭ ହୋଇ ଅଦ୍ୟାବଧି ସରୁନାହିଁ। ଦୀର୍ଘ ଦେଢ ମାସ ପରେ ମଧ୍ୟ ଟେଣ୍ଡର ଅଚଳାବସ୍ଥ ଲାଗିରହିଛି। ୪୦୦/୫୦୦ ଟଙ୍କାରେ ପ୍ରତି ଘନମିଟର କଳାପଥର କିଣିବାକୁ ଇଛୁକ ଥାଇ କିଛି ଅବେଦନକାରୀ ଲିଜରୁ ବଞ୍ଚିତ ହୋଇଥିବା ବେଳେ ୬୫/୮୫ ଟଙ୍କାରେ ପ୍ରତି ଘନମିଟର କିଣିବାକୁ ଲିଜ ନେବାପାଇଁ କିଛି ଆବେଦନକାରୀ ଯୋଗ୍ୟ ବିବେଚିତ ହୋଇଥିବା ସୁଣିବାକୁ ମିଳୁଛି। ଫଳରେ ପ୍ରଶାସନ ରାଜସ୍ୱହାନିର ଆଶଂକା କରି କମ ଟଙ୍କାରେ ଆବେଦନ କରିଥିବା ଲୋକଙ୍କୁ ନଦେଇ ଦୋଛକିରେ ଛିଡା ହୋଇଥିବା ବେଳ ଆଜି ଜିଳାପାଳଙ୍କର ଏହି ତଦନ୍ତ ଲିଜଧାରିମାନଙ୍କର ଭାଗ୍ୟ ଖୋଲିବ ବୋଲି ଜଣାପଡିଛି।
ଲିଜକୁ ଯାଇଥିବା ସୈରାତ ଗୁଡିକର ପୂର୍ବସ୍ଥିତି ଏବେ ସୁଧା ଆକଳନ କରାଯାଇନଥିବା ବେଳେ କିପରି ସୈରାତ ଲିଜକୁ ଯାଇଛି ତାକୁ ନେଇ ମଧ୍ୟ ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇଛନ୍ତି। ପୁର୍ବଲିଜଧାରି ଯେତିକି ପରିମାଣର କଳାପଥର ଉଠାଇବା ପାଇଁ ଚୁକ୍ତି କରିଥିଲେ ସେମାନେ ସେତିକି ଘନମିଟର ପଥର ଉତ୍ତୋଳନ କରିଛନ୍ତି ନା ତାଠାରୁ ଯଥେଷ୍ଟ ଅଧିକ ପରିମାଣର ଉତ୍ତୋଳ କରିଛନ୍ତି ତାର ଆକଳନ ହୋଇନଥିବା କିଛି ଆବେଦନକାରୀ ନିଜ ନାମ ଗୋପନ ସୁତ୍ରରେ କହିଛନ୍ତି। ଏହାରି ଭିତରେ ଅନେକ ଗଣମାଧ୍ୟମରେ ଟେଣ୍ଡର ପ୍ରକ୍ରିୟାରେ ଜାଲିଆତି କରାଯାଉଥିବା ସନ୍ଦେହ ପ୍ରକାଶ କରି ଖବର ପ୍ରକାଶ ପାଇବା ପରେ ହୁଏତ ଆଜି ଏହାର ତଦନ୍ତ କରିବାକୁ ଖୋଦ ଜିଲାପାଳ ଏଠାକୁ ଆସି ସ୍ଥିତି ଅନୁଧ୍ୟାନ କରିଥିବା ସୁଣିବାକୁ ମିଳୁଛି।
ଏଥି ସହିତ ଲିଜ ସରିଯାଇଥିଲେ ମଧ୍ୟ ପୂର୍ବତନ ଲିଜଧାରି ମାନେ ସୈରାତରୁ ଦିନରାତି ଲୁଟି ଚାଲିଥିବାର ମଧ୍ୟ ଅଭିଯୋଗ ହୋଇଥିଲା। ତାହାକୁ ଜିଲାପାଳ ତଦନ୍ତ କରିବା ସମୟରେ ଦେଖିଥିବେ ନିଶ୍ଚିତ। ଗୋଟିଏ ପଟେ ଲିଜ ସ୍ତିରିକୃତ ନହେବା ଫଳରେ ସରକାର ଦୈନିିକ ହଜାର ହଜାର ଟଙ୍କାର ରାଜସ୍ୱ ହରାଉଥିବା ବେଳେ ପୂର୍ବତନ ଲିଜଧାରୀମାନେ ଏବେ ମଧ୍ୟ ଖଣି ଅଂଚଳରୁ କଳାପଥର ଉତ୍ତୋଳନ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ୪,୫,୭ ନଂ କ୍ୱାରୀ ସହିତ ଏହି ପାହାଡରେ ଥିବା ୧୦ଏକର, ୬ଏକର ଓ ୪ଏକରରୁ ବେଆଇନ ଭାବରେ ଏବେ ଶହ ଶହ ଟ୍ରିପ ଚୋରା ଚାଲାଣ କରାଯଉଛି। ରାହାଡପୁର ପାହାଡର ମୁହଁ କୁହାଯାଉଥିବା ଖଣି ଅଂଚଳକୁ ବିନା ଲିଜରେ ବର୍ଷ ବର୍ଷ ଧରି ଖନନ ଚାଲିଥିଲେ ମଧ୍ୟ ଲିଜ ହୋଇଥିବା କହି ମାଫିଆ ପୁରା ଲୁଟି ଏବେ ପୋଖରୀ କରିସାରିଲେଣି। ତଦନ୍ତରେ ଉପଜିଳାପାଳ ଜ୍ୱୋତିସଂକର ମହାପାତ୍ର, ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲ, ଡଙ୍କାରୀ ଓ ବଳରାମପୁର ୨ ସର୍କଲର ରାଜସ୍ୱ ନିରିକ୍ଷକ ସାମିଲ ହୋଇଥିଲେ। ଜିଲାପାଳ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସୈରାତର ସ୍ଥିତି ଦେଖିବା ସହିତ କିପରି ସ୍ୱଚ୍ଛତା ରହିପାରିବ ସେଥିପାଇଁ ସେ ଖଣି ଅଂଚଳ ବୁଲି ଦେଖିଥିଲେ। ଟେଣ୍ଡର ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତରରେ ସେ ଏହା ଗୁଜବ ବୋଲି କହିବା ସହିତ ପ୍ରକ୍ରିୟାରେ କିଛି କଗଜପତ୍ରକୁ ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆମେ ସରକାରଙ୍କ ଠାରୁ କିଛି ସୁନିଶ୍ଚିତ ହେବା ପାଇଁ ଚିଠି କରିଥିଲୁ। ଗତ ୨୨ତାରିଖରେ ଚିଠି ଆମକୁ ମିଳିସାରିଛି ଆମେ ଖୁବ ଶିଘ୍ର ତାକୁ ସେଷ କରିବୁ। ତେବେ ଜିଲଧାରିଙ୍କ ନାମ ଘୋଷଣାପରେ ସରକାର ଲିଜ ଦେଇ ଆସନ୍ତା କିଛି ବର୍ଷ ପାଇଁ ରାଜସ୍ୱ ବୃଦ୍ଧି କରିବେ କି ୬୫/୮୫ରେ ଦେଇ ହାନିକରିବେ ତାହା ଜଣା ପଡିବ ବୋଲି ସ୍ଥାନୀୟ ଲୋକଙ୍କ ସନ୍ଦେହରେ ରହିଛି।



