www.samajalive.in
Sunday, December 14, 2025
26.1 C
Bhubaneswar

ଅମାନିଆଙ୍କୁ ଜଗିବ ବାଉଁଶ ବାଡ଼

ଭୁବନେଶ୍ବର: ରାଜଧାନୀ‌ରେ ତାଲାବନ୍ଦ କଟକଣାକୁ ବେଖାତିର କରି ଦୁଇ, ଚାରି ଚକିଆ ଯାନ ଧରି ବୁଲାବୁଲି କରୁଥିବା ଅମାନିଆଙ୍କୁ ଜଗିବା ପାଇଁ ସହର ତମାମ ବାଉଁଶ ବାଡ଼ ନିର୍ମାଣ କରାଯାଇଛି। ତାଲାବନ୍ଦର ତୃତୀୟ ଦିନରେ ନାକା ସ୍ଥଳର ଗୋଟିଏ ପାଖ ରାସ୍ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଅନ୍ୟ ପାଖରେ ପୁଲିସ କର୍ମଚାରୀ ଜଗି ବସୁଛନ୍ତି। ସଂକ୍ରମଣ ପ୍ରତିହତ ପାଇଁ ବୁଧବାରଠାରୁ ଆରମ୍ଭ ହୋଇଥିବା ତାଲାବନ୍ଦ ତୃତୀୟ ଦିନରେ ଆହୁରି କଡ଼ାକଡ଼ି ହୋଇଛି। ପ୍ରଥମ ଦିନରେ କଟକଣାକୁ କିଛି ମାତ୍ରା‌ରେ କୋହଳ କରାଯାଇଥିଲା।

ନିହାତି ଜରୁରି କାମ ନଥିଲେ ଘରୁ ନ ବାହାରିବା ପାଇଁ ପୂର୍ବରୁ ଲୋକଙ୍କୁ ତାଗିଦ କରାଯାଇଥିଲା। ବଜାର ହାଟରେ ସଉଦା କରିବା ପାଇଁ ଚାଲିକି ଯିବା ପାଇଁ କଡ଼ା ନିର୍ଦେଶ ରହିଥିଲା। ତେବେ କିଛି ଅମାନିଆ ଏହି କଟକଣାକୁ ବେଖାତିର କରି ଅଯଥା ବୁଲୁଥିବାରୁ କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ସହରର ନାକା ସ୍ଥଳରେ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ବକୁ ବାଉଁଶ ବ୍ୟାରିକେଡରେ ବନ୍ଦ କରି ଚଳାଚଳ ପାଇଁ ନିଷିଦ୍ଧ କରାଯାଇଛି। ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। ପୁଲିସ କର୍ମଚାରୀ ନାକା ସ୍ଥଳରେ ବାହାରେ ବୁୁଲୁଥିବା ପ୍ରତ୍ୟେକ ଲୋକଙ୍କ ତଥ୍ୟ ରଖୁଛନ୍ତି।

- Advertisement -

ଦୁଇଚକିଆ ନେଇ ବୁଲାବୁଲି କରୁଥିବା ଅମାନିଆଙ୍କୁ ସାବାଡ଼ କରିବା ନେଇ କମିସନରେଟ ପୁଲିସ ଗାଡ଼ି ନମ୍ବର ଆଧାରରେ ଘରକୁ ଚାଲାଣ ପଠାଇବା ବ୍ୟବସ୍ଥା ଆରମ୍ଭ କରିଛି। ତେବେ ଜରୁରୀ କାମ ନଥିଲେ ଘରୁ ନବାହାରିବା ପାଇଁ ପ୍ରଶାସନ ଲୋକଙ୍କୁ ତାଗିଦ କରିଛି। ଏନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୫୩ଟି ନାକା କରାଯାଇଛି। ଯେଉଁଥିରେ ୨୦୦ ଅଧିକାରୀ ଏବଂ ୧୫୦ ଟ୍ରାଫିକ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ୩୫ଟି ପିସିଆର ଭ୍ୟାନ୍ ପାଟ୍ରୋଲିଂ କରୁଛି। ଯାହା ପୁଲିସ ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗରେ ରହିଛି। ତାଲାବନ୍ଦ ସମୟରେ ଘରୁ ନ ବାହାରିବାକୁ ଉପ ପୁଲିସ ଆୟୁକ୍ତ ଡ. ଉମାଶଙ୍କର ଦାଶ ପରାମର୍ଶ ଦେବା ସହ ଅଯଥାରେ ବୁଲାବୁଲି କରୁଥିବା ଜଣାପଡ଼ିଲେ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଛନ୍ତି।

ତିନି ଦିନରେ ତଣ୍ଡ ଗଣିଲେଣି ୫୦୦ ଅମାନିଆ
ତାଲାବନ୍ଦ ବେଳେ କଟକଣା ଉଲ୍ଲଙ୍ଘନ କରି ବାହାରେ ବୁଲାବୁଲି କରୁଥିବା ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିଛି ପୁଲିସ। ଗତ ତିନି ଦିନ ମଧ୍ୟରେ ବିଭିନ୍ନ ଥାନା ଅଞ୍ଚଳରୁ ପ୍ରାୟ ୫୦୦ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ ସହିତ ପାଖାପାଖି ୧୦୦ ଗାଡ଼ି ଜବତ କରାଯାଇଛି। ଏହି ତିନି ଦିନରେ ୧ ଲକ୍ଷ ୩୯ ହଜାର ତଣ୍ଡ ଗଣିଛନ୍ତି ୫୦୦ ଅମାନିଆ।

୫୫ଜଣଙ୍କ ଘରୁ ଅଭିଯୋଗ ଆଣିଲା ପୁଲିସ
ତାଲାବନ୍ଦରେ ଲୋ​କେ ଅତି ଜରୁରି କାମ ନ ଥିଲେ ଘରୁ ବାହାରିବେନି, ତା’ଉପରେ କମିସନରେଟ ପୁଲିସ ଗୁରୁତ୍ବ ଦେଇଛି। ୨୨ ଟି ଥାନା ଅଞ୍ଚଳରେ ପ୍ରାୟ ୫୦ଟି ମାମଲାରେ ପୁଲିସ ଅଧିକାରୀ ନିଜେ ଅଭିଯୋଗକାରୀଙ୍କ ପାଖରେ ପହଞ୍ଚି ଅଭିଯୋଗ ଆଣିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଥିସହ ଅଭିଯୋଗକାରୀ ଅଭିଯୋଗର ନକଲ ହ୍ୱାଟ୍‌ସ୍ ଆପ୍ ଓ ଇ-ମେଲ୍‌ ଜରିଆରେ ପାଇଥିବା ଜଣାପଡ଼ିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories