www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏଲ୍‌-୨୦୨୧ : ଆଜି ମୁମ୍ବଇ ଇଣ୍ଡିଆନ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା

ନୂଆଦିଲ୍ଲୀ : ଚଳିତ ଆଇପିଏଲ୍‌ରେ ମଙ୍ଗଳବାର ଦୁଇ ପୂର୍ବତନ ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ଓ ସନ୍‌ରାଇଜର୍ସ ହାଇଦରାବାଦ ମଧ୍ୟରେ ମୁକାବିଲା ହେବ। ଉଭୟ ଦଳଙ୍କ ପାଇଁ ଏହି ମ୍ୟାଚ୍‌ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ତେବେ ସନ୍‌ରାଇଜର୍ସ ପାଇଁ ଆଗକୁ ସମସ୍ତ ଲିଗ୍ ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟିକରିଛି। ସନ୍‌ରାଇଜର୍ସ ଅଦ୍ୟାବଧି ୭ଟି ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ଜିତି ୬ଟିରେ ପରାଜିତ ହୋଇଛି। ୨ ପଏଣ୍ଟ ସହ ଏହା ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଛି। ପ୍ଲେଅଫ୍ ଆଶା ବଜାୟ ରଖିବା ପାଇଁ ସନ୍‌ରାଇଜର୍ସକୁ ବାକି ୭ଟିଯାକ କିମ୍ବା ଅତିକମ୍‌ରେ ୬ଟି ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟପକ୍ଷରେ ୫ ଥର ଚମ୍ପିଆନ୍ ମୁମ୍ବଇ ଇଣ୍ଡିଆନ୍‌ସ ୭ଟି ମ୍ୟାଚ୍‌ରୁ ୪ଟି ଜିତି ୪ର୍ଥ ସ୍ଥାନରେ ରହିଛି। ଶନିବାର ନୈରାଶ୍ୟଜନକ ସ୍ଥିତିରୁ କୈରନ୍ ପୋଲାର୍ଡଙ୍କ ପ୍ରହାର ବଳରେ ଚେନ୍ନଇ ସୁପର କିଙ୍ଗ୍‌ସକୁ ହରାଇବା ପରେ ମୁମ୍ବଇ ଇଣ୍ଡିଆନ୍‌ସର ମନୋବଳ ଦୃଢ଼ରହିଛି। ତେଣୁ ୫ମ ବିଜୟ ସହ ପଏଣ୍ଟ ତାଲିକାର ଉପରକୁ ଯିବାର ପ୍ରୟାସ କରିବ ମୁମ୍ବଇ।
୧୫ ଦିନ ତଳେ ପ୍ରଥମ ରାଉଣ୍ଡରେ ସନ୍‌ରାଇଜର୍ସ ହାଇଦରାବାଦ ଓ ମୁମ୍ବଇ ଇଣ୍ଡିଆନ୍‌ସ ମୁକାବିଲା ହୋଇଥିଲା। ଏଥିରେ ମୁମ୍ବଇ ୧୩ ରନ୍‌ରେ ବିଜୟୀ ହୋଇଥିଲା। ଅଧିନାୟକ ରୋହିତ ଶର୍ମା, କ୍ବିଣ୍ଟନ ଡି କକ୍ ଓ କୈରନ୍ ପୋଲାର୍ଡଙ୍କ ଲଢ଼ୁଆ ଇନିଂସ ବଳରେ ମୁମ୍ବଇ ଇଣ୍ଡିଆନ୍‌ସ ୫ ୱିକେଟରେ ୧୫୦ ରନ୍ କରିଥିଲା। ପରେ ଟ୍ରେଣ୍ଟ ବୋଲ୍‌ଟ ଓ ରାହୁଲ ଚହର ୩ଟି ଲେଖାଏଁ ୱିକେଟ ନେବାରୁ ସନ୍‌ରାଇଜର୍ସ ୧୩୭ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ଓପ୍‌ନିଂ ଯୋଡ଼ି ୬୭ ରନ୍ କରିବା ସତ୍ତ୍ବେ ମଧ୍ୟକ୍ରମ ବିଫଳତା ଯୋଗୁଁ ସନ୍‌ରାଇଜର୍ସ ପରାସ୍ତ ହୋଇଥିଲା। ତେଣୁ ମଧ୍ୟକ୍ରମକୁ ସଜାଡ଼ିବା ଦଳର ମୁଖ୍ୟ ଲକ୍ଷ୍ୟ ରହିଛି। ଟୁର୍ଣ୍ଣାମେଣ୍ଟ ଅଧାରୁ ଡେଭିଡ୍‌ ୱାର୍ଣ୍ଣରଙ୍କ ସ୍ଥାନରେ କେନ୍ ୱିଲିୟମ୍‌ସନଙ୍କୁ ସନ୍‌ରାଇଜର୍ସ ଅଧିନାୟକ ନିଯୁକ୍ତ କରିଛି। ୱାର୍ଣ୍ଣରଙ୍କୁ ଚୂଡ଼ାନ୍ତ ଏକାଦଶରୁ ମଧ୍ୟ ବାଦ୍‌ ଦିଆଯିବାକୁ ଅନେକେ ନାପସନ୍ଦ କରିଛନ୍ତି। ରବିବାର ୱିଲିୟମ୍‌ସନଙ୍କ ନେତୃତ୍ବାଧୀନ ସନ୍‌ରାଇଜର୍ସ ହାଇଦରାବାଦକୁ ସହଜରେ ୫୫ ରନ୍‌ରେ ରାଜସ୍ଥାନ ରୟାଲ୍‌ସ ପରାସ୍ତ କରିଛି। ପ୍ରଥମେ ଦଳର ବୋଲିଂ ବିଫଳ ହେବାରୁ ରାଜସ୍ଥାନ ବିଶାଳ ୨୨୦ ରନ୍ କରିଥିଲା। ଓପ୍‌ନରଙ୍କ ଭଲ ପ୍ରଦର୍ଶନ ସତ୍ତ୍ବେ ସନ୍‌ରାଇଜର୍ସ ପରାଜୟ ଭୋଗିଥିଲା। ଏବେ ଦେଖିବାର କଥା ଯେ ମୁମ୍ବଇ ବିପକ୍ଷରେ ୱାର୍ଣ୍ଣରଙ୍କୁ ଖେଳିବାର ସୁଯୋଗ ମିଳୁଛି କି ନାହିଁ। କାରଣ ୱାର୍ଣ୍ଣର ଜଣେ ମ୍ୟାଚ୍‌ ବିଜେତା। ସନ୍‌ରାଇଜର୍ସ ପାଇଁ ଜନି ବେୟାରଷ୍ଟୋ, ୱାର୍ଣ୍ଣର, ମନୀଷ ପାଣ୍ଡେ ଓ ୱିଲିୟମ୍‌ସନଙ୍କୁ ଛାଡ଼ି କେହି ବଡ଼ ସ୍କୋର୍ କରି ପାରିନାହାନ୍ତି। ପୁଣି ରସିଦ୍‌ ଖାଁଙ୍କ ୧୦ ୱିକେଟକୁ ଛାଡ଼ି କେହି ୫ଟି ୱିକେଟ ମଧ୍ୟ ନେଇନାହାନ୍ତି। ମୁମ୍ବଇର ୫ ବ୍ୟାଟ୍‌ସମ୍ୟାନ୍ ଶହେରୁ ଅଧିକ ରନ୍ କରିଛନ୍ତି। ପୁଣି ରାହୁଲ ଚହର ୧୧ଟି ଓ ଟ୍ରେଣ୍ଟ ବୋଲ୍‌ଟ ୮ଟି ୱିକେଟ ନେଇଛନ୍ତି। ଚେନ୍ନଇରୁ ଦିଲ୍ଲୀ ଆସିବା ମୁମ୍ବଇର ଭାଗ୍ୟରେ ପରିବର୍ତ୍ତନ କରିଛି। ଏଠାରେ ମୁମ୍ବଇ କ୍ରମାଗତ ୨ଟି ମ୍ୟାଚ୍‌ ଜିତିଥିବା ବେଳେ ହ୍ୟାଟ୍ରିକ୍ ଲକ୍ଷ୍ୟରେ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳର ପ୍ରଦର୍ଶନକୁ ଦେଖିଲେ ସନ୍‌ରାଇଜର୍ସ ବିପକ୍ଷରେ ମୁମ୍ବଇ ଇଣ୍ଡିଆନ୍‌ସର ବିଜୟ ସମ୍ଭାବନା ଅଧିକ। ଦିଲ୍ଲୀ ଷ୍ଟାଡିୟମ୍‌ର ପିଚ୍ ବ୍ୟାଟିଂ ସହାୟକ ଥିବା ବେଳେ ଏହାର ଛୋଟ ବାଉଣ୍ଡରୀ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନଙ୍କ ପାଇଁ ବରଦାନ ଭଳି ହୋଇଛି। ତେଣୁ ମ୍ୟାଚ୍‌​‌େ​‌ର ବଡ଼ ସ୍କୋର୍ ଦେଖିବାକୁ ମିଳିପାରେ। ଅଦ୍ୟାବଧି ସନ୍‌ରାଇଜର୍ସ ଓ ମୁମ୍ବଇ ମଧ୍ୟରେ ୧୭ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରୁ ମୁମ୍ବଇ ୯ଟି ଓ ସନ୍‌ରାଇଜର୍ସ ୮ଟି ମ୍ୟାଚ୍ ଜିତିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories