ଦେଶର ୧୦ଟି ରାଜ୍ୟରେ ଅକ୍ସିଜେନ୍ ଅଭାବକୁ ଦୂର କରି ସେହିସବୁ ଅଞ୍ଚଳରେ ତୁରନ୍ତ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇବା ନିମନ୍ତେ ରେଳ ବିଭାଗ ପକ୍ଷରୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବା ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଏହାଫଳରେ ଅଧିକ ପରିମାଣର ଅକ୍ସିଜେନ୍ ସିଲିଣ୍ଡର୍ କମ୍ ସମୟ ମଧ୍ୟରେ କୋଭିଡ୍ ରୋଗୀଙ୍କ ପାଖରେ ପହଞ୍ଚିପାରିବ। କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍ ପ୍ରାଥମିକ ତଥା ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇଥିବାରୁ ରେଳବାଇ ଏହାର ପରିବହନ ନିମନ୍ତେ ତ୍ୱରିତ ପଦକ୍ଷେପ
ଗ୍ରହଣ କରିଛି।
ରେଳମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି, ଅକ୍ସିଜେନ୍ ଏକ୍ସପ୍ରେସ୍ ଟ୍ରେନଗୁଡ଼ିକ ଯେଭଳି ଦ୍ରୁତଗତିରେ ପରିବହନ କରିପାରିବ, ସେଥିପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ତରଳୀକୃତ ମେଡିକାଲ୍ ଅକ୍ସିଜେନ୍ ଏବଂ ଅକ୍ସିଜେନ୍ ସିଲିଣ୍ଡର୍ ପରିବହନ କରାଯିବ। ପୂର୍ବରୁ ଅଧିକ କରୋନା ସଂକ୍ରମିତ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ସରକାର ଏନେଇ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।
ରେଳ ମନ୍ତ୍ରଣାୟ ସୂଚନା ଅନୁଯାୟୀ ରେଳ ବିଭାଗ ଅଧିକାରୀ, ରାଜ୍ୟ ପରିବହନ କମିଶନର୍ ଏବଂ ଅକ୍ସିଜେନ୍ ଉତ୍ପାଦନ କମ୍ପାନୀଗୁଡ଼ିକର ପ୍ରମୁଖମାନଙ୍କର ଏକ ବୈଠକରେ ତରଳୀକୃତ ମେଡିକାଲ୍ ଅକ୍ସିଜେନ୍ ଯୋଗାଣ ନେଇ ଆଲୋଚନା ହୋଇଥିଲା ରେଳମନ୍ତ୍ରୀ ଶ୍ରୀ ଗୋୟଲ୍ କହିଛନ୍ତି, ଦେଶରେ କରୋନା ମହାମାରୀର ମୁକାବିଲା ନିମନ୍ତେ ରେଳ ବିଭାଗ ସବୁମତେ ସହାୟତା ଯୋଗାଇ ଦେଇଛି।



