www.samajalive.in
Sunday, December 14, 2025
23.1 C
Bhubaneswar

ଦେଶବାସୀ ଆଗ୍ରହର ସହ କୋଭିଡ୍‍ ଟିକା ନିଅନ୍ତୁ : ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ମୋଦୀଙ୍କ ନିବେଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋଭିଡ୍‍-୧୯ ପ୍ରତିଷେଧକ ଟିକା ନେବାପାଇଁ ନିବେଦନ କରିଛନ୍ତି। ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବବିନିବୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ସମସ୍ତଙ୍କ ପାଇଁ ଗର୍ବର ବିଷୟ ଯେ, ଭାରତରେ ବିଶ୍ୱର ସର୍ବବୃହତ୍‍ ଟିକାକରଣ ଅଭିଯାନ ଆଗେଇ ଚାଲିଛି। ସେ କହିଛନ୍ତି, ୧୦୦ ବର୍ଷରୁ ଊର୍ଦ୍ଧ୍ବ ଅନେକ ଲୋକଙ୍କ ମଧ୍ୟରେ ଏହି ଟିକା ନେବାପାଇଁ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଛି। ଏସବୁ ଭିତରେ ମଧ୍ୟ ସମସ୍ତେ କରୋନା ବିରୋଧୀ ମନ୍ତ୍ର ‘ଦବାଇ ଭି, କଡ଼ାଇ ଭି’କୁ ମନେ ରଖିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ମାର୍ଚ୍ଚ ମାସରେ ଦେଶ ପ୍ରଥମ ଥରପାଇଁ ଜନତା କର୍ଫ୍ୟୁ ଶବ୍ଦ ଶୁଣିବାକୁ ପାଇଥିଲା। ଏହା
ଅନୁଶାସନର ଏକ ଅଦୃଶ୍ୟ ଉଦାହରଣ ଥିଲା, ଯାହାକୁ ନେଇ ଆଗାମୀ ପିଢ଼ି ନିଶ୍ଚିତ ଭାବେ ଗର୍ବ ଅନୁଭବ କରିବ। ଲୋକ ମାନେ ଥାଳି ବଜାଇ, କରତାଳି ଦେଇ ଓ ଦୀପ ଜଳାଇ କରୋନା ଯୋଦ୍ଧାମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ସହ ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହା ସେହି ଯୋଦ୍ଧାମାନଙ୍କ ମନୋବଳକୁ ବହୁଗୁଣିତ କରିଥିଲା। ଏହି କରୋନା ଯୋଦ୍ଧା ମାନେ ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ନିରନ୍ତର ଓ ନିଃସ୍ୱାର୍ଥପର ଭାବେ କାମ କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆରମ୍ଭ ହୋଇଥିବା ‘ଅମୃତ ମହୋତ୍ସବ’ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଏହି ଉତ୍ସବ ଆସନ୍ତା ୨୦୨୩ ମସିହା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ‘ଅମୃତ ମହୋତ୍ସବ’ ସମୟରେ ଦେଶକୁ ସଂଯୋଗ କରିବାପାଇଁ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନର ସ୍ୱାଧୀନତା ସଂଗ୍ରାମୀ ଏବଂ ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ସମ୍ପର୍କରେ ଜଣାଇବାପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ୱାଧୀନତାର
‘ଅମୃତ ମହୋତ୍ସବ’ ଏହା ଦର୍ଶାଉଛି ଯେ, ଆମେ ନୂତନ ସଙ୍କଳ୍ପ ନେଇଥାଉ ଓ ସେଗୁଡ଼ିକୁ ହୃଦୟଙ୍ଗମ କରିଥାଉ। ସମାଜର କଲ୍ୟାଣ ପାଇଁ, ଦେଶର ମଙ୍ଗଳ ଓ ଉଜ୍ଜ୍ୱଳ ଭବିଷ୍ରତ ପାଇଁ ଏହି ସଙ୍କଳ୍ପ କାର୍ଯ୍ୟକାରୀ କରିଥାଉ। ଏହି ସଙ୍କଳ୍ପ ଦେଶର ନାଗରିକମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟରେ ପାଳିତ ହୋଇଥାଏ।
ପ୍ରଧାନମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ମାସରେ ପାଳିତ ହେଉଥିବା ଆନ୍ତର୍ଜାତୀୟ ମହିଳା ଦିବସର ଏକ ବିଶେଷ ଗୁରୁତ୍ୱ ରହିଛି। ଏହି ଦିବସ ଏପରି ଏକ ସମୟରେ ପାଳିତ ହୋଇଥିଲା, ଯେଉଁ ସମୟରେ ମହିଳା ଖେଳାଳିମାନେ ସେମାନଙ୍କ ନାମରେ ରେକର୍ଡ଼ ସ୍ଥାପନ କରିଥିଲେ ଓ ପଦକ ଜିତିଥିଲେ। ଅନ୍ତର୍ଜାତୀୟ କ୍ରିକେଟ୍‍ରେ ୧୦ ହଜାର ରନ୍‍ ସଂଗ୍ରହ କରିଥିବା ମହିଳା କ୍ରିକେଟ୍‍ ତାରକା ମିତାଲି ରାଜ୍‍ଙ୍କ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ମିତାଲି ତାଙ୍କ ଦୁଇ ଦଶନ୍ଧିର
କ୍ୟାରିୟର୍‍ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇପାରିଛନ୍ତି। ତାଙ୍କ ସଫଳତାର କାହାଣୀ କେବଳ ମହିଳା କ୍ରିକେଟ୍‍ ଖେଳାଳି ନୁହେଁ, ପୁରୁଷ କ୍ରିକେଟ୍‍ ଖେଳାଳିଙ୍କ ପାଇଁ ମଧ୍ୟ ଏକ ପ୍ରେରଣାର ଉତ୍ସ।
ଜୀବନର ସମସ୍ତ କ୍ଷେତ୍ରରେ ନୂତନତା ଓ ଆଧୁନିକତା ଆଣିବାପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି, ଭାରତୀୟ କୃଷି କ୍ଷେତ୍ରରେ ଆଧୁନିକୀକରଣ ଅଣାଯିବା ବର୍ତ୍ତମାନ ସମୟର ଆହ୍ୱାନ। ସେ କହିଛନ୍ତି, ପାରମ୍ପରିକ କୃଷି ସହିତ ନୂତନ ବିକଳ୍ପ, ନୂତନ ଉଦ୍‍ଭାବନକୁ ଅପଣେଇବା ସହ କୃଷକମାନଙ୍କର ଆୟ ବୃଦ୍ଧି କରିବାପାଇଁ କୃଷିକ୍ଷେତ୍ରରେ ନିଯୁକ୍ତି ପାଇଁ ନୂତନ ସୁଯୋଗ ସୃଷ୍ଟି କରାଯିବା ଆବଶ୍ୟକ। ସେ କହିଛନ୍ତି, ଶ୍ୱେତ ବିପ୍ଳବ ସମୟରେ ଦେଶ ଏହା ଅନୁଭବ କରିଥିଲା ଏବଂ ବର୍ତ୍ତମାନ ମହୁମାଛି ଚାଷ ଏକ ସମାନ ବିକଳ୍ପ ଭାବେ ଉଭା ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ମହୁମାଛି ଚାଷଦ୍ୱାରା ଦେଶରେ ମଧୁ ବିପ୍ଳବ ଆରମ୍ଭ ହୋଇପାରିଛି। ପଶ୍ଚିମବଙ୍ଗର ଦାର୍ଜିଲିଂ ସ୍ଥିତ ଗୁର୍‍ଦୁଙ୍ଗ୍‍ ଗାଁର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ତୀକ୍ଷ୍‍ଣ ପାର୍ବତ୍ୟାଞ୍ଚଳ ମଧ୍ୟରେ ଥିବା ଏହି ଗାଁ ଭୌଗୋଳିକ ଅସୁବିଧା ସତ୍ତ୍ବେ ମହୁମାଛି ଚାଷ କରି ବର୍ତ୍ତମାନ ଦେଶରେ ସୁନାମ ଅର୍ଜନ କରିଚାଲିଛି। ଦେଶରେ ସୁନ୍ଦରବନ ଅଞ୍ଚଳର ଜୈବିକ ମହୁର ବେଶ୍‍ ଚାହିଦା ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।
ବିଶ୍ୱ ଘରଚଟିଆ ଦିବସ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବାରାଣାସୀର ଇନ୍ଦ୍ରପାଲ୍‍ ସିଂହ ବାତ୍ରା ନିଜ ଘରେ ବହୁ ଘରଚଟିଆଙ୍କ ପାଇଁ ବସା ତିଆରି କରି ମାନବିକତାର ପରିଚୟ ଦେଇଛନ୍ତି। ବର୍ତ୍ତମାନ ବାରାଣସୀରେ ବହୁ ଘର ଏହି ଅଭିଯାନରେ ସାମିଲ୍‍ ହୋଇଛି। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ବିଜୟ କୁମାର କାବିଜିଙ୍କ ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି, ସମୁଦ୍ର ଉପକଣ୍ଠରେ ୧୨ ବର୍ଷ ମଧ୍ୟରେ ଶ୍ରୀ କାବିଜି ୨୫ ଏକର ହେନ୍ତାଳ ବନ ସୃଷ୍ଟି କରିଛନ୍ତି।
ସେହିପରି ତାମିଲ୍‍ନାଡ଼ୁର ଜଣେ ବସ୍‍ କଣ୍ଡକ୍ଟର ମାରିମୁଥୁ ଯୋଗନାଥନ୍‍ଙ୍କ ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି, ବସ୍‍ ଟିକେଟ୍‍ ଦେବା ସମୟରେ ମାରିମୁଥୁ ପ୍ରତ୍ୟେକ ଯାତ୍ରୀଙ୍କୁ ମାଗଣାରେ ଗୋଟିଏ ଗୋଟିଏ ଚାରା ଦେଇଥା’ନ୍ତି। ଏହାଦ୍ୱାରା ସେ ଦେଶରେ ଅସଂଖ୍ୟ ଗଛ ଲଗାଇବାରେ ସମର୍ଥ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, କୌଣସି ନୂତନ ଆରମ୍ଭ ସବୁବେଳେ ସ୍ୱତନ୍ତ୍ର। ନୂତନ ଆରମ୍ଭର ଅର୍ଥ ନୂତନ ସମ୍ଭାବନା, ନୂତନ ପ୍ରୟାସ। ଶ୍ରୀ ମୋଦି କହିଛନ୍ତି, ନୂତନ ପ୍ରୟାସର ଅର୍ଥ ହେଉଛି ନୂତନ ଶକ୍ତି। ତେଣୁ ବିଭିନ୍ନ ରାଜ୍ୟରେ ନୂତନ ଆରମ୍ଭକୁ ଉତ୍ସବ ଭାବେ ପାଳନ କରାଯାଇଥାଏ। ହୋଲି, ଉଗାଡ଼ି, ତାମିଲ୍‍ ପୁଥାଣ୍ଡୁ, ଗୁଡ଼ିପଡ଼ୱା, ବିହୁ, ନବରେହ୍‍, ପୋଇଲା ବୋଇଶାଖ୍‍, ବୈଶାଖୀ, ବିଶୁ, ନବରାତ୍ରି, ରାମନବମୀ, ଇଷ୍ଟର୍‍ ଓ ଆମ୍ବେଦ୍‍କର ଜୟନ୍ତୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ଆଜି ୭୫ତମ ଅଧ୍ୟାୟ ପୂରଣ କରିଥିବାରୁ ଶ୍ରୀ ମୋଦି ଶ୍ରୋତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories