ସମ୍ବଲପୁର: ସମ୍ବଲପୁର ପୁଲିସ କ୍ରମାଗତ ଭାବରେ ଜନତା ମଧ୍ୟରେ ତାର ଭାବମୂର୍ତ୍ତିର ସୁଧାର ଆଣିବା ପାଇଁ ପ୍ରଚେଷ୍ଟାରତ ରହିଛି। ଏଥିପାଇଁ ସମ୍ବଲପୁର ପୁଲିସ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ଜନସର୍ମ୍ପକ ଓ ସଚେତନତା ଶିବିର ମାନ ଆୟୋଜନ ମଧ୍ୟ କରାଯାଉଛି। ଏହି କ୍ରମରେ ସମ୍ବଲପୁର ପୁଲିସ ଆଉ ଏକ ପାଦ ଆଗକୁ ଯାଇ ସମ୍ବଲପୁରର କ୍ଷେତରାଜପୁର ପୁଲିସ ଥାନାକୁ ଏକ ଆଦର୍ଶ ଥାନା ରୁପେ ଗଢି ତୋଳିବା ପାଇଁ ଏହାର ନବକଳେବର କରିଛି। ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ୱାଧିନତା ଦିବସରେ ଉଦଘାଟିତ ହେବାକୁ ଥିବା ଏହି ଥାନାର ରୁପ ଏବେ ସମ୍ପୁର୍ଣ୍ଣ ରୂପେ ବଦଳିଯାଇଛି।
ସାଧାରଣତଃ ସାଧାରଣ ଜନତା ଥାନାକୁ ଆସିଲେ ଭୟଭୀତ ନ ହୋଇ ଘର କିମ୍ବା ଏକ ପାର୍କରେ ଥିବା ଭଳିଆ ମନେ କରିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ଥାନାକୁ ବିଭିନ୍ନ ରଙ୍ଗରେ ରଙ୍ଗୀନ କରାଯିବା ସହିତ ସମ୍ବଲପୁରୀ ଲୋକ କଳା ଓ ସଂସ୍କୃତି ର ଚିତ୍ରକୁ ଅଙ୍କିତ କରାଯାଇଛି। ସେହିଭଳି ମହିଳା ଓ ଶିଶୁ କକ୍ଷକୁ ବିଭିନ୍ନ କାର୍ଟୁନ ଚରିତ୍ର ଗୁଡିକୁ ଅତି ନିଖୁଣ ଭାବରେ ଚିତ୍ରିତ କରାଯାଇଛି। ଏହା ସହ ଥାନା କୋଠା, ପାଚେରୀ, ଖୁଣ୍ଟ ଆଦିରେ ସିପାହୀ, ସମ୍ବଲପୁରୀ ଶାଢିର ଧଡି, ତ୍ରିରଙ୍ଗା ପତାକା, ଟ୍ରାଇବାଲ ଆର୍ଟ ଆଦିକୁ ଅତି ନିଖୁଣ ଭାବରେ ଚିତ୍ରିତ କରାଯାଇଛି। ଥାନା ପରିସରରେ ବିଭିନ୍ନ ପ୍ରକାରର ଫୁଲ ଓ ସୌଖୀନ ଗଛ ଲଗାଯାଇଛି। ୨୪ ଘଣ୍ଟିଆ ବିଦ୍ୟୁତ ଓ ଜଳ ଯୋଗାଣ ସହିତ ଅଭ୍ୟର୍ଥନା ଓ ଶିଶୁ ମହିଳା କକ୍ଷକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବା ସହିତ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟରର ବ୍ୟବସ୍ଥା ମଧ୍ୟ କରାଯାଇଛି। ଥାନାକୁ ଆସୁଥିବା ସାଧାରଣ ଜନତା ଏକ ଗେଷ୍ଟ ହାଉସକୁ ଆସିବା ଭଳି ମନେ କରି ଭୟଶୂନ୍ୟ ବାତାବରଣରେ ସେମାନଙ୍କ ଆପତ୍ତି ଅଭିଯୋଗ କରିପାରିବେ ବୋଲି ଏଭଳି ପଦକ୍ଷେପ ନିଆଯାଇଛି।

ସେହିଭଳି ଅଭିଯୁକ୍ତ ମାନେ ସହଜରେ ଯେମିତି ଖସି ଯାଇ ନ ପାରିବେ ସେଥିପାଇଁ ଉନ୍ନତ ମାନର ଯନ୍ତ୍ରପାତି ଜରିଆରେ ବୟାନ ଦର୍ଜ କରାଯିବାର ବ୍ୟବସ୍ଥା କରାଯାଉଛି। ଥାନା କୋଠାର ଉପର ମହଲାରେ ସମ୍ମିଳନୀ କକ୍ଷ, ଅନୁସନ୍ଧାନ କେନ୍ଦ୍ର ଓ ବ୍ୟାୟାମ ଶାଳା ଆଗକୁ ନିର୍ମାଣ କରାଯିବ। ଆଦର୍ଶ ଥାନାର ଆରମ୍ଭ ହେବା ପରେ ଅନ୍ୟ ଥାନା ଭଳି ଅଧିକାରୀ କିମ୍ବା କର୍ମଚାରୀ ମାନଙ୍କୁ ଅଧିକ ସମୟ ଡ୍ୟୁଟି କରିବାକୁ ପଡିବ ନାହିଁ ଏବଂ ସେମାନଙ୍କୁ ସିପ୍ଟ ଅନୁଯାୟୀ ଡ୍ୟୁଟି ଦିଆଯିବ। ଯାହା ଦ୍ୱାରା ପୁଲିସ ଅଧିକାରୀ ଓ କର୍ମଚାରୀ ମାନେ ମଧ୍ୟ କମ ଚାପରେ ରହିବେ ଏବଂ ଦାୟିତ୍ୱ ସୁଚାରୁ ରୁପେ କରିପାରିବେ। ଆଦର୍ଶ ଥାନା ହେବାକୁ ଯାଉଥିବା ଏହି ଥାନାର ସାଜସଜ୍ଜା ପରେ କର୍ମଚାରୀ ମାନଙ୍କର ମନରେ ପରିବର୍ତ୍ତନ ପରିଲକ୍ଷିତ ହେବା ଆରମ୍ଭ ହେଲାଣି ଏବଂ ସେମାନେ ସ୍ୱତଃପ୍ରବୃତ ଭାବରେ ଥାନା ପରିସରକୁ ସଫାସୁତୁରା ରଖିବା ପ୍ରତି ଧ୍ୟାନ ଦେଉଛନ୍ତି। ଚାରି ଜଣ ଚିତ୍ରଶିଳ୍ପୀ ମିଥନ ସେଠ, ସନତ ପ୍ରଧାନ, ଚିତ୍ରସେନ ଭୋଇ ଓ ଅବଦୁଲ କଲାମ ପ୍ରାୟ ୭ ଦିନ ପରିଶ୍ରମ କରି ଏହି ଚିତ୍ରକଳାର କାର୍ଯ୍ୟକୁ ନିଖୁଣ ଭାବରେ ସମ୍ପାଦିକ କରିଛନ୍ତି।

ଯୋଗେଶ ପଣ୍ଡା, କ୍ଷେତରାଜପୁର ଥାନାଧିକାରୀ
ବ୍ରିଟିଶ ସମୟରୁ ଥାନା ପ୍ରତି ଲୋକଙ୍କର ଭୟ ରହିଛି। ସେହି ସମୟରେ ପୁଲିସ ଥାନାକୁ ଲାଲ ରଙ୍ଗରେ ରଙ୍ଗୀତ କରାଯାଉଥିଲା ଏବଂ ଏହା ଲୋକ ମାନଙ୍କୁ ଭୟଭୀତ କରୁଥିଲା। କିନ୍ତୁ ପୁଲିସ ଜନତା ସହିତ ସର୍ମ୍ପକକୁ ସୁଦୃଢ କରିବା ପାଇଁ ଏବଂ ଜନତା ମନରୁ ଭୟ ଦୁର କରିବା ପାଇଁ ବର୍ତ୍ତମାନ ଥାନାକୁ ରଙ୍ଗୀନ କରାଯାଇଛି। ବିଭିନ୍ନ ଫୁଲ ଓ ସୌଖୀନ ଗଛ ଲଗାଯାଇ ଏହାକୁ ପାର୍କ ଭଳିଆ ରୂପେ ଦିଆଯାଇଛି। ଲୋକଙ୍କୁ ସାହାଯ୍ୟ ଓ ନ୍ୟାୟ ଦେବା ପାଇଁ ପୁଲିସ ସର୍ବଦା ତତ୍ପର ରହିଛି।

ନଟବରଲାଲ ଅଗ୍ରୱାଲ, କ୍ଷେତରାଜପୁର
ଥାନା ନାମ ଶୁଣିବା ମାତ୍ରେ ଲୋକେ ଆସିବାକୁ ଡରୁଥିଲେ। ଏହା ସହ ଥାନା ପୁର୍ବରୁ ଏଭଳି ନ ଥିଲା। ଏବେ ଥାନାକୁ ଦେଖିଲେ ବଢିଆ ଲାଗୁଛି। ଥାନାର ନୂତନ ରୂପେ ଦେଖି ଲୋକେ ରିଙ୍ଗ ରୋଡରେ ଯାତାୟାତ କରିବା ସମୟରେ ଅଟକି ଦେଖି କରି ଯାଉଛନ୍ତି। ଥାନା ଏକ ପାର୍କ ଭଲିଆ ଲାଗୁଛି।
ବିକାଶ କେଡିଆ, ସ୍ୱେଚ୍ଛାସେବୀ
କ୍ଷେତରାଜପୁର ଥାନାକୁ ଆଦର୍ଶ ଥାନା ଭାବରେ ଚୟନ କରି ଏହାର ନବକଳେବର କରିବା ଦ୍ୱାରା ଏହା ବହୁତ ଆକର୍ଷଣୀୟ ଓ ସୁନ୍ଦର ଲାଗୁଛି। ମୁଁ କେବେ ବି ଭାବି ନ ଥିଲି ଯେ ଗୋଟିଏ ଥାନାର ଏଭଳି କାୟକଳ୍ପ କରି ହୋଇ ପାରେ। ଏହା ଏହି ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ପୁଲିସ ପ୍ରତି ଜନତାଙ୍କ ମନରୁ ନିଶ୍ଚିତ ଭାବରେ ଭୟ କମିବ ବୋଲି ମୋ ବିଶ୍ୱାସ।
ମିଥୁନ ସେଠ, ଚିତ୍ରଶିଳ୍ପୀ
ଏହା ପୁର୍ବରୁ ଲକ୍ଷ୍ମୀ ଟକିଜ ଛକ, ପାନ୍ଥ ନିବାସ, ପୁଲିସ ଲାଇନ, ବିଗ ବଜାର ଆଦି ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ପାଇଁ ବିଭିନ୍ନ ସ୍ଥାନରେ ଏଭଳି ଚିତ୍ର ଆଙ୍କିଛି। ତେବେ କୌଣସି ଥାନା ପରିସରରେ ଏଭଳି ଚିତ୍ର ଆଙ୍କିବା ଏହା ପ୍ରଥମ ଅଟେ।



