www.samajalive.in
Sunday, December 14, 2025
26.1 C
Bhubaneswar

ଅନ୍ଧଭକ୍ତି ନେଲା ପୁତ୍ରର ଜୀବନ

ମହାକାଳପଡ଼ା: ଆଧୁନିକ ଚିକିତ୍ସା ବିଜ୍ଞାନ ସଂପ୍ରତି ଉଚ୍ଚତର ସୋପାନରେ ପହଞ୍ଚିଥିଲେ ହେଁ ଏବେବି କିଛି ଲୋକ ବ୍ୟାଧିରୁ ମୁକୁଳିବା ପାଇଁ ତନ୍ତ୍ରମନ୍ତ୍ର, ଗୁରୁଭକ୍ତି, ପିତୃପୁରୁଷଙ୍କ ଆଶିଷକୁ ମହୌଷଧି ରୂପେ ବ୍ୟବହାର କରୁଛନ୍ତି। କିଛି ଦିନ ତଳେ ନୂଆଦିଲ୍ଲୀର ବୁରାରି ଅଞ୍ଚଳର ଏକ ଶିକ୍ଷିତ ପରିବାରର ୧୧ ସଦସ୍ୟ ଏମିତି ଏକ ଅନ୍ଧବିଶ୍ବାସରେ ବଶବର୍ତ୍ତୀ ହୋଇ ଆତ୍ମହତ୍ୟା କରିବା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ବାବାଙ୍କ ଭକ୍ତ ଗୁରୁଭକ୍ତିରେ ଅନ୍ଧ ହୋଇ ନିଜ ପୁଅକୁ ହରାଇବା ଘଟଣା ଶୁକ୍ରବାର ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁଙ୍କ ବାଣୀରେ ଉଦ୍‌ବୁଦ୍ଧ ହୋଇ ଏହି ବ୍ୟକ୍ତିଜଣକ ନିଜ ପୁଅର ଜୀବନକୁ ବାଜି ଲଗାଇଦେଲେ। ଅସୁସ୍ଥ ପୁଅର ଚିକିତ୍ସା ନିଜେ କଲେ। ସାରା ପରିବାର ଏହାକୁ କେବଳ ଗ୍ରହଣ କଲେନି; ବିଶ୍ୱାସ ବି କଲେ। ଗୁରୁଙ୍କ ନିର୍ଦେଶ ଆସିଲେ ନିଶ୍ଚୟ ମଲା ପୁଅ ବଞ୍ଚିବ କହିଲେ ସହଯୋଗୀ ଗୁରୁ ଭାଇମାନେ। ଆତ୍ମଘୋଷିତ ବାବାଙ୍କ ଫଟୋ ତଳେ ଶୁଆଇ ପୁଅ କାନରେ କ୍ୟାସେଟ ବଜାଇ ଶୁଣାଇଲେ ଗୁରୁମନ୍ତ୍ର; ପୁତ୍ରର ଆଉ ଜୀବନ ଫେରିଲାନି। ଅନ୍ଧଶ୍ରଦ୍ଧାକୁ ପ୍ରୋତ୍ସାହନ ଦେଇ ଶିଶୁଟିକୁ ମରଣମୁହଁକୁ ଠେଲିଦେଇଥିବା ପ୍ରତିବାଦ କରି ଅନ୍ଧଭକ୍ତ ସମର୍ଥକଙ୍କୁ ଉତ୍ତମମଧ୍ୟମ ଦେଇ ଗାଁରୁ ତଡ଼ିଦେଲେ ଗ୍ରାମବାସୀ।
ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକର ବଳିପାଳ ଗାଁରେ। ବାବା ରାମପାଲଙ୍କ ଅନୁଗାମୀ ଶ୍ରୀଧର ପ୍ରଧାନଙ୍କ ୭ ବର୍ଷର ପୁ୍‍ଅ ମହେଶ ସାଗର। ପରିବାରର ସମସ୍ତେ ବନ୍ଦି ଛୋଡ୍‍ ସଦ୍‍ଗୁରୁ ରାମପାଲଜୀ ମହାରାଜଙ୍କ ଭକ୍ତ। ରାମପାଲଜୀଙ୍କ ଛଡା କୌଣସି ଦେବଦେବୀଙ୍କୁ ପରିବାର ପୂଜାର୍ଚ୍ଚନା କରନ୍ତିନି। ଗାଁର କୌଣସି ଦେବାଦେବୀଙ୍କ ମନ୍ଦିରକୁ ଯାଆନ୍ତିନି। ଗାଁରେ କାହା ଘରେ ଖିଆପିଆ ବି ବାରଣ। କିଛିଦିନ ହେଲା ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ମହେଶ ଶ୍ୱାସରୋଗରେ ପୀଡିତ ହୋଇଥିଲେ। ଅସୁସ୍ଥ ପୁଅର ଆରୋଗ୍ୟ ଲାଗି ରାମପାଲଜୀଙ୍କୁ ଧ୍ୟାନରେ ବସି କୁଆଡେ ଡାକିଲେ ଶ୍ରୀଧର। ଅନ୍ୟ ଗୁରୁ ଭାଇମାନଙ୍କୁ ମଧ୍ୟ ସେ ଜଣାଇଲେ। ଗୁରୁଭାଇମାନଙ୍କ ନିର୍ଦ୍ଦେଶରେ ଅସୁସ୍ଥ ପୁଅକୁ ଗତକାଲି ରାତି ସାରା ହଳଦି ପାଣିରେ ଗାଧୋଇ କଞ୍ଚା ଗାଈ କ୍ଷୀର ପିଆଇଲେ। ରାତି ପାହିଲା ହେଲେ ପୁଅ ମହେଶ ଆଉ ଡାକିଲେ ଜବାବ ଦେଲେନି। ନିରୁପାୟ ଶ୍ରୀଧର ଗାଁର ଜଣେ ବୈଦ୍ୟ ନିକଟକୁ ପୁଅକୁ ନେଇଗଲେ। ବୈଦ୍ୟ ଜଣକ କିଛି କରିପାରିବେ ନାହିଁ ବୋଲି କହି କେନ୍ଦ୍ରାପଡା ଡାକ୍ତରଖାନାକୁ ନେଇଯାଅ ବୋଲି ପରାମର୍ଶ ଦେଲେ। ବାଧ୍ୟହୋଇ ଶ୍ରୀଧର ପୁଅକୁ କେନ୍ଦ୍ରାପଡା ଜିଲା ମୁଖ୍ୟ ଡାକ୍ତରଖାନାକୁ ନେଲେ। ଡାକ୍ତର ସେଠାରେ ପରୀକ୍ଷା କରି ମହେଶକୁ ମୃତ୍ୟୁ ଘଟିଥିବା ଘୋଷଣା କଲେ। ମୃତ ପୁଅକୁ ନେଇ ଶ୍ରୀଧର ଘରକୁ ଫେରି ଘଟଣା ଗୁରୁଭାଇମାନଙ୍କୁ ଜଣାଇଲେ। ଗୁରୁଭାଇମାନେ ପରାମର୍ଶ ଦେଲେ ଧୈର୍ୟ୍ୟଧର, ପୁଅ ମରି ନାହିଁ। ଗୁରୁ ତୁମକୁ ପରୀକ୍ଷା କରୁଛନ୍ତି। ମୃତପୁଅକୁ ତୁମ ଠାକୁରଘରେ ଥିବା ଗୁରୁଙ୍କ ଫଟୋ ତଳେ ଶୁଆଇ ଦିଅ। ସାରା ପରିବାର ଭକ୍ତିରେ ଗୁରୁଙ୍କୁ ଧ୍ୟାନ କର, ଆଉ ମୃତ ପୁଅ କାନ ପାଖରେ ଗୁରୁବାଣୀର କ୍ୟାସେଟକୁ ବଜାଅ। ଶ୍ରୀଧର ତାହାହିଁ କଲେ।

- Advertisement -

ଆଜି ସକାଳୁ ୫ ଜଣ ଗୁରୁଭାଇ ଶ୍ରୀଧରଙ୍କ ଘରେ ପହଞ୍ଚିଲେ। ଏହି କଥା ଗାଁ ଓ ପଡୋଶୀ ଗାଁକୁ ବ୍ୟାପିଗଲା। ଶ୍ରୀଧରଙ୍କ ଘରେ ଭିଡ଼ ଜମିଲା। ଅପେକ୍ଷାର ଶେଷ ହେଲାନି। କିଛି ଯୁବକ ଶେଷରେ ଘର ଭିତରେ ଜବରଦସ୍ତ ପଶି ଗୁରୁ ଭାଇମାନଙ୍କୁ କାବୁ କରି ନିସ୍ତୁକ ଛେଚିଲେ। ଜୀବନ ବଞ୍ଚାଇ ସେମାନେ ଗାଁ ଛାଡି ପଳାଇଲେ। ଶେଷରେ ମହେଶ ଶବକୁ ଗ୍ରାମ ଶ୍ମଶାନରେ ସତ୍କାର କରାଯାଇଛି। ଏହାପରେ ବି ଶ୍ରୀଧରଙ୍କ ଯୁକ୍ତି ହେଉଛି ଗୁରୁଭକ୍ତିରେ ତାଙ୍କର କିଛି ତ୍ରୁଟି ରହିବାରୁ ମହେଶ ଚାଲିଗଲା। ବିଜ୍ଞାନ ଯୁଗରେ ଅନ୍ଧଶ୍ରଦ୍ଧାର ଏ ଅଦ୍ଭୁତ ଘଟଣା ଆଜି ବି କେନ୍ଦ୍ରାପଡ଼ା ଭଳି ଜିଲାରେ ଘଟିବା ଦୁର୍ଭାଗ୍ୟଜନକ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories