www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ସଂକ୍ରମଣ ବୃଦ୍ଧି ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ନିର୍ଦେଶ : କଟକଣା କଡ଼ାକଡ଼ି କର ; ସ୍ବାବ ପରୀକ୍ଷା ବଢ଼ାଅ

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ପଞ୍ଜାବ ଓ ଜାମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଏହାକୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଗୁଡିକୁ ରବିବାର କେତେକ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମାରେ ରାଜ୍ୟ ସରକାରଙ୍କୁ କରୋନା ସ୍ବାବ ନମୁନା ପରୀକ୍ଷା ସଂଖ୍ୟା ବଢାଇବାକୁ କୁହାଯାଇଛି। ବିଶେଷକରି ଆରଟି-ପିସିଆର ପରୀକ୍ଷା ସଂଖ୍ୟା ବଢାଇବାକୁ କୁହାଯାଇଛି। ରାପିଡ ଆଣ୍ଟିଜେନ ଟେଷ୍ଟ (ଆରଏଟି)ରେ ନେଗେଟିଭ୍ ରିପୋର୍ଟ ଆସୁଥିବା ସ୍ବାବର ଆରଟି-ପିସିଆର ଟେଷ୍ଟ କରାଯିବା ବାଧ୍ୟମୂଳକ। ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଥିବା କୌଣସି ବ୍ୟକ୍ତିଙ୍କୁ ଆରଟି-ପିସିଆର ପରୀକ୍ଷା ବିନା ଛଡାଯିବ ନାହିଁ। ଏହା ସହିତ ସମସ୍ତ କରୋନା ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି। ବିଶେଷକରି ସମସ୍ତ ​‌‌କ୍ଷେତ୍ର ପାଇଁ ଜାରି ଏସଓପିକୁ କଡାକଡି ଭାବେ ଅନୁସରଣ କରିବାକୁ କୁହାଯାଇଛି। ସଂକ୍ରମଣ ବୃଦ୍ଧି ପାଉଥିବା ଜିଲାଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଲାଗି ପଦକ୍ଷେପ ନିଆଯିବ। ନୂଆ ଷ୍ଟ୍ରେନର ଭୂତାଣୁ ସଂକ୍ରମଣ ଉପରେ କଡାକଡି ନଜର ରଖିବାକୁ ନିର୍ଦେଶ ଦିଆଯାଇଛି।
ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଟିକାକରଣର ବେଗକୁ ବୃଦ୍ଧି କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ସଚିବଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ବହୁ ସଂଖ୍ୟକ ସ୍ୱାସ୍ଥ୍ୟ କର୍ମଚାରୀ ଏବଂ କରୋନା ଯୋଦ୍ଧାଙ୍କୁ ଏବେ ଟିକାକରଣ ବାକି ରହିଛି। ତେଣୁ କରୋନା ଟିକାକରଣ ଅଭିଯାନକୁ ଆହୁରି ଅଧିକ ଗତିଶୀଳ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସପ୍ତାହର ସମସ୍ତ ଦିନ ଟିକାକରଣ କରିବା ସହିତ ଟିକାକରଣ ସ୍ଥାନ ସଂଖ୍ୟା ବଢାଇବାକୁ ହେବ। ଯଥା ସମ୍ଭବ କମ୍ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ଟିକାକରଣ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଟିକାକରଣ ପ୍ରକ୍ରିୟା ଅଧିକ ବେଗରେ ବଢ଼ିଲେ ହିଁ ସଂକ୍ରମଣ କମ ହୋଇପାରିବ। ଟିକାକରଣ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିଏଚସି, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର, ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ପ୍ରସ୍ତୁତ ହେବା ଉଚିତ୍ ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି। କାରଣ ମାର୍ଚ୍ଚରୁ ୫୦ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଓ ଗୁରୁତର ରୋଗରେ ଆକ୍ରାନ୍ତ ଲୋକଙ୍କୁ ଟିକାକରଣ କରିବାକୁ ସରକାର ଯୋଜନା କରିଛନ୍ତି।
ରବିବାର ସମଗ୍ର ଦେଶରେ ୧୪,୨୬୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୯୦ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ରବିବାର ମୃତ ସଂକ୍ରମିତଙ୍କ ମଧ୍ୟରୁ ମହାରାଷ୍ଟ୍ରର ସର୍ବାଧିକ ୪୦ଜଣ ଥିବାବେଳେ କେରଳ ୧୩ ଓ ପଞ୍ଜାବରୁ ୮ଜଣ ଅଛନ୍ତି। ଦେଶରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୭୪% ସଂକ୍ରମିତ ମହାରାଷ୍ଟ୍ର ଓ କେରଳରୁ ବାହାରିଛନ୍ତି। ମହାରାଷ୍ଟ୍ରରୁ ଆଜି ୬୭୯୧ ନୂଆ ସଂକ୍ରମିତ ଚିହ୍ନଟ ହୋିଥିବାବେଳେ କେରଳରୁ ୪,୦୭୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୯୧, ୬୫୧ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୧,୫୬,୩୦୨ରେ ପହଞ୍ଚିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧,୦୬,୮୯,୭୧୫ଜଣ ସୁସ୍ଥ ହୋଇଥିବାବେଳେ ୧,୪୫,୬୩୪ଜଣ ଚିକିତ୍ସାଧୀନ ଅଛନ୍ତି। ରବିବାର ୧୧,୬୬୭ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି। ଆଇସିଏମଆର ତଥ୍ୟ ଅନୁଯାୟୀ ଶନିବାର ସମଗ୍ର ଦେଶରେ ୬,୭୦,୦୫୦ କରୋନା ସ୍ବାବ ପରୀକ୍ଷା କରାଯାଇଥିଲା। ଏହା ସହିତ ମୋଟ ସ୍ବାବ ପରୀକ୍ଷା ସଂଖ୍ୟା ୨୧,୦୯,୩୧,୫୩୦ରେ ପହଞ୍ଚିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories