www.samajalive.in
Sunday, December 14, 2025
26.1 C
Bhubaneswar

ମୋ ବସ୍ ସେବା ଓ ମୁଣ୍ଡଳି ଟୋଲ ଆଦାୟ ବନ୍ଦ ପାଇଁ ଦାବି

ଆଠଗଡ : କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ତଥା ସର୍ବବୃହତ ଉପଖଣ୍ଡ ଆଠଗଡର ମୁଖ୍ୟଦପ୍ତରକୁ କଟକ ଓ ଭୁବନେଶ୍ୱରରୁ ମୋ ବସ୍ ସେବା ଉପଲବ୍ଧ କରାଇବା ଏବଂ ମୁଣ୍ଡଳି ସେତୁଠାରେ ୨୫ବର୍ଷ ଧରି ଚାଲିଥିବା ଟୋଲ ଆଦାୟକୁ ବନ୍ଦ କରିବା ଲାଗି ଆଠଗଡ ବୁଦ୍ଧିଜୀବୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ଆଠଗଡରୁ ପ୍ରତିଦିନ ଶହ ଶହ ଲୋକ ବିଶେଷକରି ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ କଟକ ଓ ଭୁବନେଶ୍ୱରକୁ ବିଭିନ୍ନ କାମରେ ବସରେ ଯାଇଥାନ୍ତି। ତେବେ ଆଠଗଡ ସହରରୁ କୌଣସି ବସ ଉକ୍ତ ୨ ସହରକୁ ସିଧାସଳଖ ଚାଲୁନଥିବାବେଳେ ଯେଉଁସବୁ ବସ୍ ଚାଲୁଛି ସେଗୁଡିକ ନରସିଂହପୁର ଓ ବଡମ୍ବା ଅଞ୍ଚଳରୁ ଆଠଗଡ ବାଟ ଦେଇ ଯାତାୟତ କରିଥାଏ। ଯେଉଁଥିରେ ଆଠଗଡର ଯାତ୍ରୀମାନଙ୍କୁ କେବେବି ବସିବା ପାଇଁ ସିଟଟିଏ ମିଳେନାହିଁ। ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ କଟକ-ଭୁବନେଶ୍ୱରକୁ ଯାଉଥିବା ଚାକିରିଆମାନେ ବସ୍‌ରେ ଠିଆ ହୋଇ ବହୁ କଷ୍ଟରେ ଯାତାୟତ କରିଥାନ୍ତି। ଆଠଗଡରୁ କଟକ ଓ ଭୁବନେଶ୍ୱରକୁ ମୋ ବସ୍ ସେବା ଯୋଗାଇ ଦେଲେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଥିବା ରୋଗୀ ଓ ସେମାନଙ୍କ ସହାୟକ, ଛାତ୍ରଛାତ୍ରୀ, କୋର୍ଟ କଚେରୀ କାମରେ ଯାଉଥିବା ଲୋକ ଏବଂ ଚାକିରିଆ ଉପକୃତ ହୋଇପାରନ୍ତେ। ତେଣୁ ଆଠଗଡକୁ ମୋ ବସ୍ ସେବା ଯୋଗାଇଦେବା ପାଇଁ ଆଠଗଡ ବୁଦ୍ଧିଜୀବୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ନିବେଦନ କରାଯାଇଛି। ସେହିପରି ୧୯୯୬ମସିହାରେ ଉଦ୍‌ଘାଟନ ହେବା ଦିନଠାରୁ ଗତ ୨୫ବର୍ଷ ଧରି ମୁଣ୍ଡଳି ସେତୁରେ ଟୋଲ ଆଦାୟ କରାଯାଉଥିବାବେଳେ ଏବେ ନୂତନ ଭାବେ ନିର୍ମିତ ସେତୁଗୁଡିକରୁ ଟୋଲ ଆଦାୟ କରାଯାଉନାହିଁ। କଟକର ମଧୁସୁଦନ ସେତୁ, ନେତାଜୀ ସୁଭାଷ ବୋଷ ସେତୁ, ସୁବର୍ଣ୍ଣପୁର-ଜାତମୁଣ୍ଡିଆ ସେତୁ ସମେତ ନୂତନ ଭାବେ ନିର୍ମିତ ଅନେକ ସେତୁରେ ଟୋଲ ଆଦାୟ କରାଯାଉନଥିବା ବେଳେ ମୁଣ୍ଡଳି ସେତୁରୁ କାହିଁକି ଦୀର୍ଘ ୨୫ବର୍ଷ ଧରି ଟୋଲ ଆଦାୟ କରାଯାଉଛି ତାହା ଏଠାରେ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ସହିତ ଅସନ୍ତୋଷ ପ୍ରକାଶ ପାଉଛି। ସେଠାରେ ଜୋରଜବରଦସ୍ତ ଓ ଜୁଲମ କରି ଧାର୍ଯ୍ୟ ଦରଠାରୁ ଅଧିକ ଅର୍ଥ ଆଦାୟ କରାଯାଉଥିବା ଏବଂ ବାହାର ରାଜ୍ୟରୁ ଆସୁଥିବା ଯାନବାହାନ ଉପରେ ସର୍ବାଧିକ ଜୁଲମ କରାଯାଉଥିବା ଅଭିଯୋଗ ହୋଇଆସୁଛି। ଜନସାଧାରଣଙ୍କର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଣ୍ଡଳି ସେତୁରୁ ଟୋଲ ଆଦାୟକୁ ବନ୍ଦ କରିବା ଲାଗି ସଂଘ ପକ୍ଷରୁ ରାଜ୍ୟ ନିର୍ମାଣ ବିଭାଗ ସଚିବଙ୍କୁ ଏକ ସ୍ମାରକପତ୍ର ମାଧ୍ୟମରେ ଦାବି କରାଯାଇଛି। ଏଥିସହିତ ଆଠଗଡ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ କୋଭିଡ ଟୀକା ଯଥାଶୀଘ୍ର ଉପଲବ୍ଧ କରାଇବା ପାଇଁ ବୁଦ୍ଧିଜୀବୀ ସଂଘ ପକ୍ଷରୁ କଟକ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇ ସହରର ଶତାଧିକ ବରିଷ୍ଠ ନାଗରିକଙ୍କର ଏକ ତାଲିକା ପ୍ରଦାନ କରାଯାଇଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories